ଯୁଦ୍ଧ ଭିତରେ ଗ୍ୟାସ୍ ଯନ୍ତ୍ରଣା, କେମିତି ହେବ ରୋଷେଇ ଘରେ ପଡିଛି ଭାଳେଣି

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଘନଘଟା ମଧ୍ୟରେ ଭାରତରେ ରନ୍ଧନ ଗ୍ୟାସ୍ ସଙ୍କଟ ଆଶଙ୍କା । କେନ୍ଦ୍ର ସରକାର ବୁଧବାରଠାରୁ ବ୍ୟବସାୟିକ ଗ୍ୟାସ୍ ଉପରେ ସମ୍ପୂର୍ଣ କଟକଣା ଲଗାଇଥିଲେ । ଏହାକୁ ନେଇ ମଧ୍ୟ ବ୍ୟବସାୟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

କଟକ ୧୨/୦୩: ପଲ୍ଲୀରୁ ଦିଲ୍ଲୀ ଗ୍ୟାସ୍ ସଂକଟ । ହାଣ୍ଡିଶାଳରେ ପଡିଳାଣି ଭାଳେଣି । କେମିତି ଜଳିବ ଘରେ ଚୂଲି । ଘରୋଇ ଗ୍ୟାସ୍ ସିଲିଣ୍ଡର ଯୋଗାଣରେ ବି ବାଧା । ସେପଟେ ସରକାର କହୁଛନ୍ତି କୌଣସି ପ୍ରଭାବ ପଡ଼ିବନି ବୋଲି ବ୍ୟବସାୟିକ ଗ୍ୟାସ୍ ବନ୍ଦ କରି ଦିଆଗଲା । ସାଧାରଣ ଖାଉଟିଙ୍କୁ ନିରବଚ୍ଛିନ୍ନ ଗ୍ୟାସ୍ ଯୋଗାଣ କରାଯିବ ।

କାହାରି କୌଣସି ସମସ୍ୟା ହେବନି ବୋଲି କୁହାଗଲା । ମଧ୍ୟପ୍ରାଚ୍ୟ ଯୁଦ୍ଧ ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କଲେ। କିନ୍ତୁ ଏବେ ଘରୋଇ ଗ୍ୟାସ୍ ସିଲିଣ୍ଡର ମିଳିବା ଠାରୁ ଏହାର ବୁକିଂ ଯନ୍ତ୍ରଣା ଅଧିକ କଷ୍ଟ ଦେଲାଣି। ନମ୍ବରକୁ ଦିନ ଦିନ ଧରି କଲ୍ କଲେ ମଧ୍ୟ ବୁକିଂ ହୋଇପାରୁନି। ସେପଟେ ଜିଲ୍ଲା ଯୋଗାଣ ବିଭାଗ ମୁଖ୍ୟ ଅଧିକାରୀ କେ. ଚନ୍ଦ୍ର ଶେଖର ପାତ୍ର କହିଛନ୍ତି, ଗ୍ୟାସ୍ ଏଜେନ୍ସି ଗୁଡ଼ିକରେ ସେଭଳି କୌଣସି ସମସ୍ୟା ନାହିଁ ।

କେବଳ ଭୟଭୀତ ହୋଇ ଲୋକେ ଗ୍ୟାସ୍ ବୁକିଂ ପାଇଁ ଉଦ୍ୟମ କରୁଥିବାରୁ ଏଭଳି ସମସ୍ୟା ଉପୁଜିଛି । ଲୋକେ ଧୈର୍ଯ୍ୟ ଧରି ଗ୍ୟାସ୍ ବୁକିଂ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଯଦିଓ ଜିଲ୍ଲା ଯୋଗାଣ ବିଭାଗ ଏଭଳି କହୁଛି କିନ୍ତୁ ସାଧାରଣ ଲୋକେ ବୁକିଂକୁ ନେଇ ସାମ୍ନା କରୁଥିବା ସମସ୍ୟା ଜଟିଳ ହେଉଛି ।

​​​​​​​

ତେବେ ଏହାରି ଭିତରେ ଲୋଡା ପଡିଛି ଘରେ ଥିବା ଅଲୋଡା ଜିନିଷ । ଅର୍ଥାତ୍ ଦିନ ଦିନ ଧରି ଚାହିଦା ନଥିବା ଜିନିଷ ଏବେ ଖୋଜା ପଡିଛି । ଅର୍ଥାତ୍ ପୁରୁଣା ଦିନରେ ଚାଲୁଥିବା ଘରର ଆସବାବ ଜରୁରୀ ହୋଇପଡିଛି । ଲୋକେ ଦୀର୍ଘ ବର୍ଷ ଧରି ମୁହଁ ମାଡ଼ି ପଡ଼ିଥିବା ତଥା କଳଙ୍କି ଲାଗି ଯାଇଥିବା ଷ୍ଟୋଭକୁ ପୁଣି ସଜାଡ଼ିବା ଆରମ୍ଭ କଲେଣି । ପ୍ରାୟ ସମ୍ପୂର୍ଣ୍ଣ ଅଲୋଡ଼ା ପଡ଼ିଯାଇଥିବା କିରାସିନିର ପୁଣି ଚାହିଦା ବଢ଼ିଲାଣି। ଲୋକଙ୍କ ଚାହିଦାକୁ ଦେଖୁ ଯଦି ଆବଶ୍ୟକ ପଡ଼େ କିରାସିନି ପୁଣି ମଗାଯିବ ବୋଲି ଯୋଗାଣ ଅଧିକାରୀ କହିଛନ୍ତି।

ସୌଜନ୍ୟ Prameya News7

Exit mobile version