- ୭ ଜିଲ୍ଲାରୁ ୧୦,୦୩୧ ଆକାଉଣ୍ଟ ଯାଞ୍ଚ
- ୩୩୯ ମାମଲା ପଞ୍ଜିକୃତ, ୩୫ ଗିରଫ
- ରାଜ୍ୟ ବାହାରୁ ପରିଚାଳନା ହେଉଛି ମ୍ୟୁଲ ଆକାଉଣ୍ଟ
ଭୁବନେଶ୍ବର ୧୧।୩: ଓଡ଼ିଶା ପୋଲିସ ପକ୍ଷରୁ ସାଇବର ଅପରାଧକୁ ମାତ୍ ଦେବା ପାଇଁ ଆରମ୍ଭ କରାଯାଇଛି ସାଇବର-କବଚ ଏନଫୋର୍ସମେଣ୍ଟ । ଏହି ଅଭିଯାନ ବିଭିନ୍ନ ରେଞ୍ଜରେ ଜାରି ରହିଥିବା ବେଳେ ସେଣ୍ଟ୍ରାଲ ରେଞ୍ଜ ପୋଲିସ ୭ ଜିଲ୍ଲାରେ ଆକାଉଣ୍ଟ ଯାଞ୍ଚ କରିଛି । ୧୩ ଫେବୃଆରୀରୁ ୧୦ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ କେନ୍ଦ୍ରୀୟ ରେଞ୍ଜର କଟକ, ପୁରୀ, ଖୋର୍ଦ୍ଧା, ଯାଜପୁର, ଜଗତସିଂପୁର, କେନ୍ଦ୍ରାପଡ଼ା ଏବଂ ନୟାଗଡ଼ ଜିଲ୍ଲାରେ ଯାଞ୍ଚ କରାଯାଇଛି । ସାଇବର ଆର୍ଥିକ ଠକେଇ, ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ଏବଂ ଜାଲିଆତି ସିମ୍ ପ୍ରଦାନକୁ ରୋକିବା ପାଇଁ “ସାଇବର-କବଚ” ଶୀର୍ଷକ ଏକ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଅଭିଯାନ ଚଳାଇଥିଲା ।
ଏହି ଅଭିଯାନ ସମୟରେ, ବ୍ୟାଙ୍କ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ସହ ସମନ୍ୱୟ ରଖି ସନ୍ଦିଗ୍ଧ ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ଗୁଡ଼ିକର ଏକ ବଡ଼ ଧରଣର ଯାଞ୍ଚ ପ୍ରକ୍ରିୟା କରାଯାଇଥିଲା । ସମଗ୍ର ଅଞ୍ଚଳରେ ମୋଟ୍ ୧୦,୦୩୧ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଇଥିଲା । ତଥ୍ୟ ଆଧାରରେ, ୩୩୯ ସାଇବର ଠକେଇ ମାମଲା ପଞ୍ଜିକୃତ ହୋଇଥିଲା ଏବଂ ଅଧିକ ତଦନ୍ତ ପାଇଁ ୧,୪୦୮ ଆକାଉଣ୍ଟଧାରୀ ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନୋଟିସ୍ ଦିଆଯାଇଥିଲା । ଏହି ଅଭିଯାନ ସମୟରେ ସାଇବର ଠକେଇ କାର୍ଯ୍ୟକଳାପ ସହିତ ଜଡିତ ୩୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ।
ସାଇବର ଠକେଇର ଶୀକାର ହେବାକୁ ଯାଉଥିବା ଲୋକଙ୍କୁ ଠିକ୍ ସମୟରେ ପୋଲିସର ସହାୟତା ମିଳିଥିବା କାରଣରୁ ୫୦ ଲକ୍ଷ ୬୦ ହଜାର ୨୮୦ ଟଙ୍କା ବ୍ଲକ କରିବାରେ ପୋଲିସ ସଫଳତା ପାଇଛି । ତଦନ୍ତରୁ ଜଣାପଡିଛି ଯେ, ଅନେକ ମ୍ୟୁଲ୍ ଆକାଉଣ୍ଟ ଓଡ଼ିଶା ବାହାରୁ ପରିଚାଳିତ ହେଉଛି । ଏହାସହ ସେମାନଙ୍କ ସହିତ ସ୍ଥାନୀୟ ଲୋକଙ୍କ ସହାୟତା ନେଟୱାର୍କ ଚାଲିଥିବା ପୋଲିସକୁ ସୂଚନା ମିଳିଛି । ବିଶେଷକରି କିଛି କମିଶନ ପାଇଁ ଗ୍ରାହକମାନେ ନିଜ ଆକାଉଣ୍ଟକୁ ସାଇବର ଫ୍ରଡଙ୍କ ହାତରେ ଦେଇ ଦେଇଛନ୍ତି ।
ଏହି ଅଭିଯାନରେ ଜାଲିଆତି ମାଧ୍ୟମରେ ବହୁ ପରିମାଣରେ ସିମ୍ କାର୍ଡ ଜାରି କରୁଥିବା ସନ୍ଦେହ କରାଯାଉଥିବା ପଏଣ୍ଟ-ଅଫ୍-ସେଲ୍ (PoS) ଏଜେଣ୍ଟମାନଙ୍କ ବିରୁଦ୍ଧରେ ମଧ୍ୟ ସମାନ୍ତରାଳ ତଦନ୍ତ କରାଯାଇଥିଲା । କାରଣ ଏହି ସିମ୍ ଗୁଡ଼ିକୁ ସାଇବର ଅପରାଧୀ ମାନେ ପ୍ରାୟତଃ ଅନଲାଇନ୍ ଠକେଇ କାର୍ଯ୍ୟକାରୀ କରିବା ପାଇଁ ବ୍ୟବହାର କରନ୍ତି । କେନ୍ଦ୍ରୀୟ ରେଞ୍ଜ ପୋଲିସ ସାଇବର ଅପରାଧର ମୁକାବିଲା ପାଇଁ ସମସ୍ତ ବିଭାଗ ସହ ସମନ୍ବୟ ରକ୍ଷା କରି କାର୍ଯ୍ୟ କରୁଛି । ଏହାସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ସାଇବର ଅପରାଧ ମୂଳୋତ୍ପାଟନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ନାଗରିକ ମାନଙ୍କୁ ସତର୍କ ରହିବାକୁ ଏବଂ ୧୯୩୦କୁ କଲ୍ କରି କିମ୍ବା ଜାତୀୟ ସାଇବର ଅପରାଧ ରିପୋର୍ଟିଂ ପୋର୍ଟାଲ ମାଧ୍ୟମରେ ତୁରନ୍ତ ଯେକୌଣସି ସାଇବର ଠକେଇ ରିପୋର୍ଟ କରିବାକୁ ରେଞ୍ଜ ଆଇଜି ସତ୍ୟଜିତ ନାୟକ ପରାମର୍ଶ ଦେଇଛନ୍ତି ।
ସୌଜନ୍ୟ Prameya News7
