ରୁଷ-ୟୁକ୍ରେନ ଯୁଦ୍ଧ; ମୃତ ଓ ନିଖୋଜ ଭାରତୀୟଙ୍କ ପାଇଁ ନୋଡାଲ ଅଫିସର ନିଯୁକ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ରୁଷ-ୟୁକ୍ରେନ ସଂଘର୍ଷରେ ନିଖୋଜ କିମ୍ବା ମୃତ୍ୟୁବରଣ କରିଥିବା ଭାରତୀୟଙ୍କ ପରିବାର ପକ୍ଷରୁ ଦାୟର ଏକ ଆବେଦନର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଏହି ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ ନିଜ ନିର୍ଦ୍ଦେଶରେ କହିଛନ୍ତି ଯେ ନିଯୁକ୍ତ ନୋଡାଲ ଅଫିସର ପ୍ରଭାବିତ ପରିବାରଗୁଡ଼ିକୁ ନୂଆଦିଲ୍ଲୀ ସ୍ଥିତ ଦୂତାବାସରେ କ୍ଷତିପୂରଣ ଦାବି ଆବେଦନ ଦାଖଲ କରିବାରେ ସମ୍ପୂର୍ଣ୍ଣ ସହାୟତା ପ୍ରଦାନ କରିବେ ।

ନୂଆଦିଲ୍ଲୀ :ରୁଷ-ୟୁକ୍ରେନ ଯୁଦ୍ଧରେ ପ୍ରାଣ ହରାଇଥିବା, ନିଖୋଜ ହୋଇଥିବା କିମ୍ବା ଆହତ ହୋଇଥିବା ଭାରତୀୟ ନାଗରିକଙ୍କ ପରିବାରକୁ ସହାୟତା କରିବା ପାଇଁ ବୈଦେଶିକ ମନ୍ତ୍ରାଳୟରେ ଜଣେ ସ୍ୱତନ୍ତ୍ର ନୋଡାଲ ଅଫିସର ନିଯୁକ୍ତ କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଏବଂ ଜଷ୍ଟିସ୍ ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ବୈଦେଶିକ ମନ୍ତ୍ରାଳୟକୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ଯୁଦ୍ଧରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତଦେହ ଚିହ୍ନଟ ପ୍ରକ୍ରିୟା ପାଇଁ ସେମାନଙ୍କ ପରିବାର ସଦସ୍ୟଙ୍କ ସହ ଡିଏନଏ ମ୍ୟାଚିଂ କାର୍ଯ୍ୟକୁ ସହଜ କରିବା ପାଇଁ କୋର୍ଟ କହିଛନ୍ତି ।
ରୁଷ-ୟୁକ୍ରେନ ସଂଘର୍ଷରେ ନିଖୋଜ କିମ୍ବା ମୃତ୍ୟୁବରଣ କରିଥିବା ଭାରତୀୟଙ୍କ ପରିବାର ପକ୍ଷରୁ ଦାୟର ଏକ ଆବେଦନର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଏହି ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ ନିଜ ନିର୍ଦ୍ଦେଶରେ କହିଛନ୍ତି ଯେ ନିଯୁକ୍ତ ନୋଡାଲ ଅଫିସର ପ୍ରଭାବିତ ପରିବାରଗୁଡ଼ିକୁ ନୂଆଦିଲ୍ଲୀ ସ୍ଥିତ ଦୂତାବାସରେ କ୍ଷତିପୂରଣ ଦାବି ଆବେଦନ ଦାଖଲ କରିବାରେ ସମ୍ପୂର୍ଣ୍ଣ ସହାୟତା ପ୍ରଦାନ କରିବେ ।
ଏହା ସହିତ ଯୁଦ୍ଧଗ୍ରସ୍ତ ଅଞ୍ଚଳର ସମସ୍ତ ସଦ୍ୟତମ ସୂଚନା ପୀଡ଼ିତଙ୍କ ପରିବାର ପାଇଁ ସେମାନଙ୍କର ଆଞ୍ଚଳିକ ବା ମାତୃଭାଷାରେ ଉପଲବ୍ଧ କରାଇବାକୁ ବୈଦେଶିକ ମନ୍ତ୍ରାଳୟକୁ କୁହାଯାଇଛି । କୋର୍ଟଙ୍କ ଏହି ଆଦେଶ ଫଳରେ ଭାଷାଗତ ସମସ୍ୟା ଭୋଗୁଥିବା ବିଭିନ୍ନ ରାଜ୍ୟର ପରିବାରଗୁଡ଼ିକ ସହଜରେ ସରକାରୀ ସୂଚନା ପାଇପାରିବେ । ଏଥିସହ ସୁପ୍ରିମକୋର୍ଟ ଜାତୀୟ ଆଇନ ସେବା ପ୍ରାଧିକରଣ ଏବଂ ସମସ୍ତ ରାଜ୍ୟ ଆଇନ ସେବା ପ୍ରାଧିକରଣଗୁଡ଼ିକୁ ମଧ୍ୟ ଏହି ପ୍ରକ୍ରିୟାରେ ସାମିଲ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସୌଜନ୍ୟ ସମ୍ବାଦ