ଶୋଭାଯାତ୍ରାରେ ଡିଜେ ଉପରେ ପ୍ରତିବନ୍ଧକ ନେଇ ମାମଲା: ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ୬ ସପ୍ତାହରେ SOP ଜାରି କର

କଟକ,୨୨/୦୯: ଶୋଭାଯାତ୍ରାରେ ଡିଜେ ବଜାଇବା ସଂପର୍କରେ ମାର୍ଗଦର୍ଶିକା ଜାରି କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜଗତସିଂହପୁର ଜିଲ୍ଲାରେ ଚଳିତବର୍ଷ ଗଣେଶ ପୂଜା ଏବଂ ଭସାଣିରେ ଡିଜେ ବଜାଇବା ଉପରେ ଜିଲ୍ଲା ପ୍ରଶାସନ କଟକଣା ଲାଗୁ କରିଛନ୍ତି । ଏହାକୁ ବିରୋଧ କରି ରୁଜୁ ମାମଲାରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଏହି ମର୍ମରେ ଏକ ମାର୍ଗଦର୍ଶିକା ଜାରି କରିବାକୁ କହିଛନ୍ତି । ଜଗନ୍ନାଥ ଟେଣ୍ଟ ଲାଇଟ୍ ଏବଂ ମାଲିକ ସଂଘ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ରାଧାକୃଷ୍ଣ ପଟ୍ଟନାୟକ ଏହି ଆଦେଶ ଦେଇଛନ୍ତି ।
ହାଇକୋର୍ଟଙ୍କ ଏହି ଆଦେଶର ଏକ କପି ଆବେଦନକାରୀ ପ୍ରଶାସନ ନିକଟରେ ଦାଖଲ କରିବେ । ଆବେଦନକାରୀଙ୍କୁ ପକ୍ଷର ରଖିବାର ସୁଯୋଗ ଦେଇ ସରକାର ଡିଜେ ସଂପର୍କରେ ୬ସପ୍ତାହ ମଧ୍ୟରେ ମାର୍ଗଦର୍ଶିକା ଜାରି କରିବେ ବୋଲି ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି ।
ଆବେଦନକାରୀ ପିଟିସନ୍ରେ ଦର୍ଶାଇଥିଲେ ଯେ, ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିବାହ ଶୋଭାଯାତ୍ରାଠାରୁ ଆରମ୍ଭ କରି ପୂଜା ଭସାଣିରେ ଡିଜେ ବଜାଇବା ଉପରେ କଟକଣା ଜାରି କରିଛନ୍ତି । କିନ୍ତୁ ଏହା ପୂର୍ବରୁ ୨୦୨୪ ମସିହା ଅକ୍ଟୋବର ୩ ତାରିଖରେ ହାଇକୋର୍ଟ ଏହିଭଳି ଏକ ମାମଲାରେ ରାୟ ପ୍ରକାଶ କରିଥିଲେ । ଓଡ଼ିଶା ଫାୟର୍ ୱାର୍କସ୍ ଆଣ୍ଡ ଲାଉଡସ୍ପିକର ରେଗୁଲେସନ୍ ଆକ୍ଟ-୧୯୫୮କୁ ତର୍ଜମା କରି ପ୍ରଶାସନ ଡିଜେ ବଜାଇବା ପାଇଁ ଏକ ମାଗଦର୍ଶିକା ଜାରି କରିବାକୁ ହାଇକୋର୍ଟ ସେତେବେଳେ କହିଥିଲେ । କିନ୍ତୁ ଏହି ଦୁଇ ବର୍ଷ ମଧ୍ୟରେ ପ୍ରଶାସନ ପକ୍ଷରୁ ଏ ସଂକ୍ରାନ୍ତ କୌଣସି ପ୍ରକାର ମାର୍ଗଦର୍ଶିକା ଜାରି କରାଯାଇ ନାହିଁ ବୋଲି ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା । ଏହାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିରୋଧ କରାଯାଇଥିଲା ।
ସୌଜନ୍ୟ ପ୍ରମେୟ




