ଶ୍ରୀମନ୍ଦିରରେ ବାମନ ଜନ୍ମୋତ୍ସବ ନୀତି ସମ୍ପନ୍ନ, ଆଜି ବାମନ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ,୨୪/୦୯: ବୁଧବାର ଶ୍ରୀମନ୍ଦିରରେ ବାମନ ଜନ୍ମୋତ୍ସବ ନୀତି ଅନୁଷ୍ଠିତ ହୋଇଛି । ରାତିରେ ଏହି ଜନ୍ମ ନୀତି ସମ୍ପନ୍ନ ହୋଇଥିଲା । ଭିତର ଚନ୍ଦନ ଅର୍ଗଳି ଠାରେ ସୁଦୁସୁଆର ପାଣି ପକାଇ ପୋଛା ମାରିବା ପରେ ପୂଜାପଣ୍ଡା ସାଆନ୍ତ ପଞ୍ଚବର୍ଣ୍ଣ ମୁରୁଜରେ ମଣ୍ଡଳ ଲେଖିଥିଲେ । ତିନି ବାଡରେ ବନ୍ଦାପନା ବଢି କଳସ ବରୁଣ ପୂଜା ହୋଇଥିଲା । ଏହା ପରେ ଦକ୍ଷିଣ ଘର ଭୋଗ ସାରି ମହାଜନମାନେ ଶ୍ରୀକୃଷ୍ଣଙ୍କୁ ରତ୍ନସିଂହାସନକୁ ବିଜେ କରାଇଥିଲେ । ମୁଦିରସ୍ତ ଶ୍ରୀଅଙ୍ଗରେ ଧଣ୍ଡି ପ୍ରସାଦ ଲାଗି କରିବା ପରେ ମହାଜନମାନେ ଠାକୁରଙ୍କୁ ଭଦ୍ର ମଣ୍ଡଳ ଉପରେ ବିଜେ କରାଇଥିଲେ । ଏଠାରେ ସୁବର୍ଣ୍ଣ ବାମନ ପ୍ରତିମାଙ୍କୁ ବିଜେ କରାଯାଇଥିଲା । ପଞ୍ଚାମୃତ ମହାସ୍ନାନ ପରେ ଶୀତଳ ଭୋଗ ଓ ପରେ ଗର୍ଭଉଦକ ନୀତି ବଢିଥିଲା । ଭଣ୍ଡାରରୁ ଶ୍ରୀ ଦୁର୍ଗାଦେବୀ ବିଜେ ହୋଇଥିଲେ । ପୂଜାପଣ୍ଡା ସାଆନ୍ତେ ବସୁଧାରା ନୀତି ତୁଲାଇଥିଲେ । ପରେ ପଞ୍ଚୋପଚାରରେ ଭୋଗ ଓ ବନ୍ଦାପନା ହୋଇଥିଲା । ପ୍ରସାଦ ଲାଗି ପରେ ବାମନ ଠାକୁର ଦକ୍ଷିଣି ଘରକୁ ଓ ମା’ ଦୁର୍ଗା ଭଣ୍ଡାର ଘରକୁ ବିଜେ ହୋଇଥିଲେ ।
ଗୁରୁବାର ଶ୍ରୀଜଗନ୍ନାଥଙ୍କର ବାମନ ବେଶ ଅନୁଷ୍ଠିତ ହେବ । ଦ୍ୱିପ୍ରହର ଧୂପ ପରେ ଶ୍ରୀଜଗନ୍ନାଥଙ୍କୁ ବାମନ ବେଶ କରାଯିବ । ବଡସିଂହାର ପୂଜା ପର୍ଯ୍ୟନ୍ତ ଏହି ବେଶ ରହିବ । ସିଂହାରୀ ସେବକମାନେ ଠାକୁରଙ୍କୁ ବେଶ କରାଇବେ । ମାଳା, ଚନ୍ଦ୍ରିକା, କୁଣ୍ଡଳ ଓ ପଦକ ଆଦି ପରିଧାନ କରିବେ ଠାକୁରେ । ଏହି ବେଶ ପାଇଁ ଦର୍ଜି ସେବକମାନେ ପରିଧେୟ ସିଲାଇ କରି ଯୋଗାଇଥିବେ । ଶ୍ରୀବଳଭଦ୍ର ରାଜ ବେଶ ଧାରଣ କରିବେ । ଦେବୀ ସୁଭଦ୍ରା ସାଧାରଣ ବେଶରେ ଉଭା ହେବେ । ମହାପ୍ରଭୁ ବିଷ୍ଣୁ ପଞ୍ଚମ ଅବତାରରେ ବାମନ ରୂପ ନେଇ ବଳି ମହାରାଜଙ୍କୁ ପାତାଳରେ ଚାପି ଦେଇଥିଲେ । ଏହାକୁ ମନେ ପକାଇ ବଡ଼ଦେଉଳରେ ଠାକୁରଙ୍କର ବାମନ ବେଶ ହୁଏ ।
ସୌଜନ୍ୟ ପ୍ରମେୟ




