ସରପଞ୍ଚ-ସମିତିସଭ୍ୟଙ୍କ ତୁ ତୁ ମେ ମେ, ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ

ରିଷିଡ଼ା,୨୩ା୭(ସୁଶାନ୍ତ ମଲ୍ଲିକ): ରାସ୍ତା କାମ କରିବା ପାଇଁ ଜନପ୍ରତିନିଧି ସରପଞ୍ଚ ଓ ସମିତିସଭ୍ୟଙ୍କ ଭିତରେ ତୁ ତୁ ମେ ମେ ଯୋଗୁ ଦେଢ଼ମାସ ହେଲା ରାସ୍ତା କାମ ବନ୍ଦ ହେଇ ପଡ଼ିରହିଛି। ଫଳରେ ଅନୁସୂଚିତ ଜାତି ଓ ଜନଜାତିବହୁଳ ଗାନ୍ଧିନଗର ପଡ଼ା ଓ ବହଲମୁଣ୍ଡାପଡ଼ାବାସୀ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଏଥିସହିତ କୁନିକୁନି ପିଲା ସ୍କୁଲ ଯିବା ସମୟରେ ସେଠାରେ ଖସିପଡ଼ୁଛନ୍ତି। ଏପରି ଘଟଣା ରିଷିଡ଼ା ପଞ୍ଚାୟତ ବାପୁଜୀ ହାଇସ୍କୁଲ ଛକରୁ ଗାନ୍ଧିନଗର ପଡ଼ାକୁ ଯାଉଥିବା ରାସ୍ତାରେ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ଓଡ଼ିଶା ସରକାର ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ଅନୁଦାନରୁ ୪ଲକ୍ଷ ମଞ୍ଜୁରୀ ହୋଇଥିବାବେଳେ ପ୍ରଥମେ ସରପଞ୍ଚ ପେପର ବ୍ଲକ ଇଟା ଓ ବାଲି ପକାଇଥିବାବେଳେ ପରବର୍ତ୍ତୀ ସମୟରେ ସମିତିସଭ୍ୟ ବାଲି ପକାଇଛନ୍ତି। ଉଭୟେ କାମ କରିବା ଜିଦ୍ରେ ରହୁଥିବାରୁ କାମ ବନ୍ଦ ହୋଇ ପଡ଼ିରହିଛି l ସୂଚନାଫଳକ ଲିଭିବାକୁ ବସିଲାଣି। କିନ୍ତୁ କାମ ଆଗେଇ ପାରୁନି। ଉଭୟ ଜନପ୍ରତିନିଧିଙ୍କୁ କାମ ଆରମ୍ଭ କରିବାକୁ କହି ବ୍ଲକ ପ୍ରଶାସନ ବୋଲି ତାମ୍ସା ଦେଖୁଛି ବୋଲି ସାଧାରଣରେ ଜୋର୍ଦାର ଚର୍ଚ୍ଚା ହେଉଛି। ଦେଢ଼ ମାସ ବିତିଯାଇଥିଲେ ମଧ୍ୟ ବ୍ଲକ ପ୍ରଶାସନ କୌଣସି ପଦକ୍ଷେପ ନେଉ ନ ଥିବାରୁ କାମ ଆରମ୍ଭ ହୋଇପାରୁନାହିଁ। ଏନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଏଥିପ୍ରତି ଜିଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି।
ସୌଜନ୍ୟ ଧରିତ୍ରୀ




