ଦେଶ ବିଦେଶ

ଇରାନ-ଆମେରିକା ସଂଘର୍ଷରେ ଲାଗୁନି ବିରାମ ; ଆକ୍ରମଣ-ପ୍ରତିଆକ୍ରମଣରେ ମଧ୍ୟପ୍ରାଚ୍ୟ ଅଶାନ୍ତ

ତେହରାନ : ମଧ୍ୟପ୍ରାଚ୍ୟରେ ସଂଘର୍ଷ ଥମିବାର ନାଁ ଧରୁ ନାହିଁ। ଗୋଟିଏପଟେ ଆମେରିକା ସେନା ଇରାନର ବିଭିନ୍ନ ଅଞ୍ଚଳ ଉପରେ ଆକ୍ରମଣ ଜାରି ରଖିଥିବାବେଳେ ଇରାନ ତରଫରୁ ପଡ଼ୋଶୀ ଦେଶରେ ଥିବା ଆମେରିକାର ସାମରିକ ଘାଟି ଉପରେ ଆକ୍ରମଣ ଜାରି ରଖିଛି। ପାକିସ୍ତାନରେ କୂଟନୈତିକ ସ୍ତରରେ ଶାନ୍ତି ଆଲୋଚନା ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ଆକ୍ରମଣ ଜାରି ରଖିଛନ୍ତି।
ବୁଧବାର ଜୋର୍ଡାନର ପ୍ରମୁଖ ବନ୍ଦର ସହର ଆକାବା ଉପରେ ଇରାନ ତରଫରୁ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ତେବେ ଜୋର୍ଡାନ ସେନା ଇରାନର ୪ଟି କ୍ଷେପଣାସ୍ତ୍ରକୁ ଆକାଶମାର୍ଗରେ ନଷ୍ଟ କରିଥିବା ଦାବି କରିଛି। ଅନ୍ୟପଟେ ଆମେରିକା ସେନା ଇରାନ ଭିତରେ ଲଗାତାର ରାତ୍ରିକାଳୀନ ବିମାନ ଆକ୍ରମଣ କରିଛି। ତେହେରାନ, ବୁସେହର, ହୋରମୋଜଗାନ ଓ ସିସ୍ତାନ-ବେଲୁଚିସ୍ତାନ ସମେତ ବିଭିନ୍ନ ପ୍ରଦେଶରେ ଆକ୍ରମଣ ହୋଇଛି। ଆମେରିକା ପକ୍ଷରୁ ଇରାନର ବିମାନ ହ୍ୟାଙ୍ଗର ଓ ଡ୍ରୋନ୍ ଗଚ୍ଛିତ କେନ୍ଦ୍ରଗୁଡ଼ିକୁ ଲକ୍ଷ୍ୟ କରାଯାଇଛି। ହର୍ମୁଜ୍‌ ପ୍ରଣାଳୀରେ ଇରାନ ଏକ ତୈଳବାହୀ ଜାହାଜ ଉପରେ ଆକ୍ରମଣ କରିବା ସହ ବାହାରିନ୍, ଜୋର୍ଡାନ ଓ କୁଏତ ଉପରେ ମଧ୍ୟ ଆକ୍ରମଣ ଜାରି ରଖିଛି। ଯେମେନର ହୁତି ବିଦ୍ରୋହୀମାନେ ସାଉଦି ଆରବ ବିରୋଧରେ ସାମୁଦ୍ରିକ ଅବରୋଧ ଘୋଷଣା କରିବାରୁ ସାଉଦି ଆରବ ଏବେ ଲୋହିତ ସାଗର ପାଇପଲାଇନ୍ ମାଧ୍ୟମରେ ତୈଳ ରପ୍ତାନି କରୁଛି। ଇରାନର ଗୃହମନ୍ତ୍ରୀ ଏସ୍କନ୍ଦର ମୋମେନୀ ଯୁଦ୍ଧବିରାମ ପାଇଁ ପାକିସ୍ତାନ ଗସ୍ତ କରିଥିଲେ ମଧ୍ୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଲୋଚନାରେ କୌଣସି ଆଗ୍ରହ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଇରାନର ମୁଖ୍ୟ ୟୁରୋନିୟମ ସମୃଦ୍ଧିକରଣ କେନ୍ଦ୍ର ନିକଟରେ ଆମେରିକା ସେନା ଖୁବଶୀଘ୍ର ବଡ଼ ଆକ୍ରମଣ କରିପାରେ ବୋଲି ସେ ସଙ୍କେତ ଦେଇଛନ୍ତି।

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button