ରାଜ୍ୟ

‘ସିଏଜି’ ହାତରେ ‘ନିପୁଣ’ ବିଫଳତା, ବିଦ୍ୟାର୍ଥୀ ଲେଖିପାରୁ ନାହାନ୍ତି ନାଁ

ଭୁବନେଶ୍ୱର,୧୮।୮(ରବିନାରାୟଣ ଜେନା): ଶିକ୍ଷାକୁ ସାର୍ବଜନୀନ କରିବାପାଇଁ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଗୁରୁତ୍ୱ ଦେଉଛନ୍ତି । ଛାତ୍ରୀଛାତ୍ରଙ୍କୁ ଗୁଣବତ୍ତା ଶିକ୍ଷା ଯୋଗାଇବା ଲାଗି ଶିଶୁ ବାଟିକାଠାରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ବହୁବିଧ ଯୋଜନା ହାତକୁ ନିଆଯାଇଛି । ଏହି ସବୁ ଯୋଜନାରେ ଅନେକ କୋଟି ଟଙ୍କା ଅର୍ଥ ଖର୍ଚ୍ଚ ହେଉଛି, ହେଲେ ବାସ୍ତବକ୍ଷେତ୍ରରେ ଯୋଜନା ଠିକ୍‌ଭାବେ କାର୍ଯ୍ୟକାରୀ ହେଉନାହିଁ। କେଉଁ ବିଦ୍ୟାଳୟରେ ଯୋଜନାରେ ପ୍ରଦାନ କରାଯାଇଥିବା ବିଭିନ୍ନ ବିଜ୍ଞାନ ଉପକରଣ ବାକ୍ସ ଖୋଲା ଯାଉନାହିଁ ତ ଆଉ କେଉଁଠି ଜଣେ ଶିକ୍ଷକଙ୍କୁ ଦୁଇ ଦୁଇଟି ବିଦ୍ୟାଳୟର ଦାୟିତ୍ୱ ଦିଆଯାଇଛି । ସ୍ଥିତି ଏପରି ହୋଇଛି ଯେ ଛାତ୍ରୀଛାତ୍ରମାନେ ନିଜ ନାମ ଠିକ୍‌ରେ ଲେଖିପାରୁ ନ ଥିବାବେଳେ ଶିକ୍ଷକମାନେ ମଧ୍ୟ ଓଡ଼ିଆରେ ଉତ୍ତର ଦେଇପାରୁ ନାହାନ୍ତି। ଏଭଳି ଏକ ଅଭାବନୀୟ ଚିତ୍ର ରାଜଧାନୀ ଉପକଣ୍ଠ ଜଟଣୀ ବ୍ଲକରେ ଦେଖିବାକୁ ମିଳିଛି। ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ(ସିଏଜି)ଙ୍କ ପକ୍ଷରୁ ‘ନିପୁଣ ଓଡ଼ିଶା’ ଯୋଜନାର କାର୍ଯ୍ୟାନ୍ବୟନ ନେଇ ଅଡିଟ୍‌ ବେଳେ ଏଭଳି ତଥ୍ୟ ଲୋକଲୋଚନକୁ ଆସିଛି। ଏହାକୁ ନେଇ ଜଟଣୀ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଖୋର୍ଦ୍ଧା ଜିଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ରାଜଧାନୀର ନିକଟବର୍ତ୍ତୀ ଅଞ୍ଚଳରେ ଯଦି ଏଭଳି ଶିକ୍ଷା ଛାତ୍ରୀଛାତ୍ରଙ୍କୁ ପ୍ରଦାନ କରାଯାଉଛି, ତେବେ ଦୁର୍ଗମ ଅଞ୍ଚଳରେ କି ପ୍ରକାର ଶିକ୍ଷା ଦିଆଯାଉଥିବ ତାହାକୁ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ।
ଏ ସଂକ୍ରାନ୍ତରେ ଖୋର୍ଦ୍ଧା ଜିଲା ଶିକ୍ଷା ଅଧିକାରୀ(ଡିଇଓ) ଅଗଷ୍ଟ ୧୩ରେ ଜଟଣୀ ବିଇଓଙ୍କୁ ପ୍ରମୁଖ ମହାଲେଖାକାର (ପିଏଜି)ଙ୍କ ଅଡିଟ୍‌କୁ ନେଇ ପ୍ରଦାନ କରିଥିବା କାରଣ ଦର୍ଶାଅ ନୋଟିସରେ ଦର୍ଶାଇଛନ୍ତି, ‘ନିପୁଣ ଓଡ଼ିଶା’ ଅଧୀନରେ ଫାଉଣ୍ଡେଶନାଲ ଲିଟରେସି ଆଣ୍ଡ୍‌ ନ୍ୟୁମେରାସି (ଏଫ୍‌ଏଲ୍‌ଏନ୍‌) କାର୍ଯ୍ୟକ୍ରମର କାର୍ଯ୍ୟାନ୍ବୟନ, ତଦାରଖ ଓ ମନିଟରିଂରେ ଗୁରୁତର ଅବହେଳା ହୋଇଛି। ପିଏଜି ଟିମ୍‌ ଚଳିତବର୍ଷ ଜୁଲାଇ ୨୦ରେ କୃଷ୍ଣଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ, ଉତ୍ତର ମୁଣ୍ଡମୁହାଣା, ଯଁାଳା ଏବଂ ଗଭର୍ନମେଣ୍ଟ ଅପର ପ୍ରାଇମେରୀ ସ୍କୁଲ୍‌, ତିରିମଲ ପରିଦର୍ଶନ କରିଥିଲେ। ଏହି ସମୟରେ ଉଭୟ ବିଦ୍ୟାଳୟରେ ଏଫ୍‌ଏଲ୍‌ଏନ୍‌ କ୍ଲାସ୍‌ ପାଇଁ ମାତ୍ର ଜଣେ ଶିକ୍ଷକ ନିୟୋଜିତ ଥିଲେ। ଏଠାରେ ବିଦ୍ୟାର୍ଥୀ ନିଜ ନାମ ଓଡ଼ିଆରେ ଲେଖିପାରୁ ନ ଥିବାବେଳେ ସମ୍ପୃକ୍ତ ଶିକ୍ଷକ ମଧ୍ୟ ଅଡିଟ୍‌ ଟିମ୍‌ ଦ୍ୱାରା କୁହାଯାଇଥିବା କେତେକ ସରଳ ଓଡ଼ିଆ ଶବ୍ଦ ଲେଖିପାରି ନ ଥିଲେ। ଏହା ଏଫ୍‌ଏଲ୍‌ଏନ୍‌ ଶ୍ରେଣୀ ନେଉଥିବା ଶିକ୍ଷକଙ୍କ ଭାଷାଗତ ଦକ୍ଷତା ଓ ପାଠ୍ୟଦାନ ପ୍ରସ୍ତୁତି ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିପରି ଏଫ୍‌ଏଲ୍‌ଏନ୍‌ ଶିକ୍ଷା ପାଇଁ ଦିଆଯାଇଥିବା ‘ଯାଦୁ ପେଡ଼ି’ ଉଭୟ ବିଦ୍ୟାଳୟରେ ବ୍ୟବହାର ହେଉ ନ ଥିବା ଜଣାପଡ଼ିଛି। ଶିକ୍ଷକମାନେ ଏହାର ବ୍ୟବହାର ନେଇ କୌଣସି ତାଲିମ ପାଇ ନ ଥିବା କହିଥିଲେ। ଅନ୍ୟପକ୍ଷରେ ନିପୁଣ ଭାରତର ନିର୍ଦ୍ଦିଷ୍ଟ ‘ଲକ୍ଷ୍ୟ ପୋଷ୍ଟର’ ମଧ୍ୟ ପ୍ରଦର୍ଶିତ ହୋଇ ନ ଥିଲା। ଏଥିସହିତ ‘ଶିକ୍ଷଣ ସୋପାନ ରେଜିଷ୍ଟର’ ମଧ୍ୟ ନିୟମିତ ଭାବେ ରକ୍ଷଣାବେକ୍ଷଣ ହେଉ ନ ଥିବା ଏବଂ ସରକାରୀ ସ୍କୁଲର ବିଦ୍ୟାର୍ଥୀଙ୍କୁ ଟ୍ୟୁଶନ୍‌ ଉପରେ ନିର୍ଭର କରୁଥିବା ଭଳି ୧୧ଟି ଦିଗ ଉପରେ ଅଡିଟ୍‌ ଟିମ୍‌ ଦର୍ଶାଇଛନ୍ତି। ପିଏଜିଙ୍କ ପ୍ରଶ୍ନର ଉତ୍ତର ୧୬ ଅଗଷ୍ଟ ସୁଦ୍ଧା ଲିଖିତ ଭାବେ ଦାଖଲ କରିବାକୁ କୁହାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା ମିଳି ନ ଥିବା ଜଣାଯାଇଛି। ଏ ସଂକ୍ରାନ୍ତରେ ଜଟଣୀ ବ୍ଲକ ଶିକ୍ଷା ଅଧିକାରୀ ନୀହାରିକା ପଣ୍ଡା କହିଛନ୍ତି, ଏନେଇ ସିଆର୍‌ସିସି ଏବଂ ବିଆର୍‌ସିସିଙ୍କଠାରୁ ରିପୋର୍ଟ ମଗାଯାଇଛି। ଖୁବ୍‌ଶୀଘ୍ର କାରଣ ଦର୍ଶାଅ ନୋଟିସ୍‌ର ଉତ୍ତର ପ୍ରଦାନ କରାଯିବ।

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button