ଭୁବନେଶ୍ବର: ମମତା ଅନୁଷ୍ଠାନ ପକ୍ଷରୁ ‘ଅଲ୍ଟର୍ନେଟିଭ୍ ମେଡିସିନ୍: ଏ ହୋଲିଷ୍ଟିକ୍ ଆପ୍ରୋଚ୍ ଟୁ ହିଲିଂ’ ସମ୍ପର୍କିତ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି।ଏଥିରେ ସିୱାଇଏସ୍ଡିର ସହସଂସ୍ଥାପକ ଶ୍ରୀ ଜଗଦାନନ୍ଦ ଅଧ୍ୟକ୍ଷତା କରିଥିଲେ। ‘ମମତା’ର ଅଧ୍ୟକ୍ଷା ପ୍ରଫେସର ବିଜୟା ମିଶ୍ର ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ। ପ୍ରଫେସର ମଧୁମିତା ଦାସ ପ୍ରସଙ୍ଗ ଉପରେ ମତ ରଖିଥିଲେ। କସ୍ତୁରୀ ପଣ୍ଡା ସେମିନାର ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।
କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ତ୍ରିଲୋକି ଏନ୍ ପାଣ୍ଡେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଫେସର ଅନ୍ନପୂର୍ଣ୍ଣା ପାଣ୍ଡେ, ଭଗିନୀ ଲୀନା, ସଂସୃଷ୍ଟିର ଅଧ୍ୟକ୍ଷା ପ୍ରଫେସର ଆଶା ହଂସ, ପୋଷ୍ଟଗ୍ରାଜୁଏଟ୍ ଇନ୍ଷ୍ଟିଟ୍ୟୁଟ୍ ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚର ନିର୍ଦ୍ଦେଶିକା ସୁଜାତା ମିଶ୍ର, ପୂର୍ବତନ ନିର୍ଦ୍ଦେଶିକା ନିବେଦିତା ପାଣି ଓ ରୀତା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏଲୋପାଥିକ୍(ପାରମ୍ପରିକ) ଚିକିତ୍ସାରେ ବାନ୍ତିବୋଧ, ଶୁଷ୍କ ଚର୍ମ, କ୍ଲାନ୍ତି ଆଦିରୁ ଆରମ୍ଭ କରି ଗୁରୁତର ଅଙ୍ଗକ୍ଷତି ପର୍ଯ୍ୟନ୍ତ କେତେକ ପାର୍ଶ୍ୱ ପ୍ରତିକ୍ରିୟା ଘଟୁଛି। ଏହାର ବିକଳ୍ପ ଚିକିତ୍ସା ପ୍ରଣାଳୀ ସାରା ବିଶ୍ୱରେ ଲୋକପ୍ରିୟ ହେଉଛି। ବିକଳ୍ପ ଚିକିତ୍ସା ଶାରୀରିକ, ମାନସିକ ଓ ଭାବନାତ୍ମକ ଦିଗକୁ ପ୍ରଭାବିତ କରେ। ଆକ୍ୟୁପଙ୍କ୍ଚର୍, ଔଷଧୀୟ ଉଦ୍ଭିଦ ଚିକିତ୍ସା, ଯୋଗ, ନେଚୁରୋପାଥି, ହୋମିଓପାଥି ପ୍ରମୁଖ ପ୍ରଚଳିତ ପ୍ରଣାଳୀକୁ ପାରମ୍ପରିକ ଚିକିତ୍ସା ସହ ସମନ୍ୱୟ କରି ଜୀବନଶୈଳୀର ସୁଧାର ମାଧ୍ୟମରେ ସମଗ୍ର ସୁସ୍ଥତାକୁ ପ୍ରୋତ୍ସାହନ ଦିଆଯାଏ ବୋଲି ଅତିଥିମାନେ କହିଥିଲେ।
ଏହି ଅବସରରେ ‘ଲାଫ୍, ଲଭ୍ ଓ ଲାଇଭ୍’ ଶୀର୍ଷକ ପୁସ୍ତକ ମମତା ଓ ରୋଟାରି କ୍ଲବ୍ ଅଫ୍ ଭୁବନେଶ୍ୱର ନ୍ୟୁ ହରାଇଜନ୍ ଆନୁକୂଲ୍ୟରେ ଉନ୍ମୋଚିତ ହୋଇଥିଲା l ସେହିପରି ଜ୍ୟୋତ୍ସ୍ନା ମହାପାତ୍ରଙ୍କ ରଚିତ ‘ମନେପଡ଼େ ସେହି ଦିନର ବୋଷ୍ଟନ୍ ଓ ବିଦେଶ ବୁଲା’ ପୁସ୍ତକକୁ ଅତିଥି ଲୋକାର୍ପଣ କରିଥିଲେ। ଦିଲୀପ ଦ୍ୱିବେଦୀ ଧନ୍ୟବାଦ ଦେଇଥିଲେ।
ସୌଜନ୍ୟ ସମ୍ବାଦ
