Lightning: ବୁର୍ଜ ଖଲିଫା ଉପରେ ଭୟଙ୍କର ବଜ୍ରପାତ
ବୁର୍ଜ ଖଲିଫା ଏହାର ଅତ୍ୟଧିକ ଉଚ୍ଚତା ଯୋଗୁଁ ବଜ୍ରପାତକୁ ନିଜ ଆଡ଼କୁ ଆକର୍ଷିତ କରିଥାଏ। ଏତେ ଉଚ୍ଚ ଅଟ୍ଟାଳିକାଗୁଡ଼ିକ କେବଳ ବଜ୍ରପାତ ସହୁ ନାହାନ୍ତି, ବରଂ ନିଜେ ବଜ୍ରପାତ ସୃଷ୍ଟି କରିବାରେ ମଧ୍ୟ ସାହାଯ୍ୟ କରନ୍ତି। ବାଦଲରେ ବିଦ୍ୟୁତ୍ ଚାର୍ଜ ବଢ଼ିବା ମାତ୍ରେ, ଏହି ଅଟ୍ଟାଳିକାର ଶୀର୍ଷରୁ ଏକ ବିଦ୍ୟୁତ୍ ତରଙ୍ଗ ଆକାଶ ଆଡ଼କୁ ଗତି କରିଥାଏ,

ଦୁବାଇ: ଗତ କିଛି ଦିନ ହେବ ସମଗ୍ର ମଧ୍ୟପ୍ରାଚ୍ୟରେ ପ୍ରକୃତିର ଏକ କରାଳ ରୂପ ଦେଖିବାକୁ ମିଳିଛି, ଯେଉଁଠାରେ ପ୍ରବଳ ବର୍ଷା, ପବନ ଓ କୁଆପଥର ମାଡ଼ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଏହି ପ୍ରଳୟଙ୍କରୀ ପାଣିପାଗ ମଧ୍ୟରେ ବିଶ୍ୱର ସବୁଠାରୁ ଉଚ୍ଚ ଅଟ୍ଟାଳିକା ‘ବୁର୍ଜ ଖଲିଫା’ ଉପରେ ଏକ ଶକ୍ତିଶାଳୀ ବଜ୍ରପାତ ହୋଇଥିବା ଦେଖାଯାଇଛି, ଯାହାର ଦୃଶ୍ୟ ବେଶ୍ ଭୟାନକ ଥିଲା। ଏହାକୁ ନେଇ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ସ୍ପଷ୍ଟ ଭାବେ ଦେଖାଯାଉଛି ଯେ ବଜ୍ରପାତ ବୁର୍ଜ ଖଲିଫାର ଶୀଖରକୁ ଛୁଇଁବା ସହ ସାରା ଆକାଶକୁ ଆଲୋକିତ କରିଦେଉଛି।
ତେବେ ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ,ବୁର୍ଜ ଖଲିଫା ଏହାର ଅତ୍ୟଧିକ ଉଚ୍ଚତା ଯୋଗୁଁ ବଜ୍ରପାତକୁ ନିଜ ଆଡ଼କୁ ଆକର୍ଷିତ କରିଥାଏ। ଏତେ ଉଚ୍ଚ ଅଟ୍ଟାଳିକାଗୁଡ଼ିକ କେବଳ ବଜ୍ରପାତ ସହୁ ନାହାନ୍ତି, ବରଂ ନିଜେ ବଜ୍ରପାତ ସୃଷ୍ଟି କରିବାରେ ମଧ୍ୟ ସାହାଯ୍ୟ କରନ୍ତି। ବାଦଲରେ ବିଦ୍ୟୁତ୍ ଚାର୍ଜ ବଢ଼ିବା ମାତ୍ରେ, ଏହି ଅଟ୍ଟାଳିକାର ଶୀର୍ଷରୁ ଏକ ବିଦ୍ୟୁତ୍ ତରଙ୍ଗ ଆକାଶ ଆଡ଼କୁ ଗତି କରିଥାଏ, ଯାହା ଫଳରେ ବଜ୍ରପାତ ସିଧାସଳଖ ଏହା ଉପରେ ପଡ଼ିଥାଏ।
କିଭଳି ସୁରକ୍ଷିତ ରହେ ଏହି ବିଶାଳ ଅଟ୍ଟାଳିକା?
ଏତେ ବଡ଼ ବଜ୍ରପାତ ସତ୍ତ୍ୱେ ବୁର୍ଜ ଖଲିଫାର କୌଣସି କ୍ଷତି ନହେବା ପଛରେ ରହିଛି ଅତ୍ୟାଧୁନିକ ଇଞ୍ଜିନିୟରିଂ କୌଶଳ। ଏହାର ଶୀର୍ଷରେ ଏକ ସ୍ୱତନ୍ତ୍ର ‘ଲାଇଟନିଂ ରଡ୍’ ବା ବଜ୍ର ନିରୋଧକ ଦଣ୍ଡ ଲଗାଯାଇଛି, ଯାହା ପ୍ରଥମେ ବଜ୍ରପାତକୁ ନିଜ ଆଡ଼କୁ ଟାଣି ନିଏ। ଏହାପରେ, ଅଟ୍ଟାଳିକାର ସ୍ଟିଲ୍ କଂକ୍ରିଟ୍ ଢାଞ୍ଚା ଏକ ବିଦ୍ୟୁତ୍ ପରିବାହୀ ଭଳି କାମ କରେ। ଏହି ଶକ୍ତିଶାଳୀ ବିଦ୍ୟୁତ୍ ସ୍ରୋତ ଅଟ୍ଟାଳିକାର ବାହ୍ୟ ପାର୍ଶ୍ୱ ଦେଇ ସିଧାସଳଖ ମାଟି ତଳକୁ ଚାଲିଯାଏ। ଏହି ‘ଗ୍ରାଉଣ୍ଡିଂ ସିଷ୍ଟମ’ ଯୋଗୁଁ ବିଦ୍ୟୁତ୍ ଅଟ୍ଟାଳିକା ଭିତରକୁ ପ୍ରବେଶ କରିପାରେ ନାହିଁ, ଯାହାଫଳରେ ଭିତରେ ଥିବା ଲୋକେ ଏବଂ ବୈଦ୍ୟୁତିକ ଉପକରଣ ସମ୍ପୂର୍ଣ୍ଣ ସୁରକ୍ଷିତ ରହନ୍ତି।
ସୌଜନ୍ୟ ସମ୍ବାଦ




