ସରିଲା ଟଙ୍କା, କମିଲା ପ୍ରେମ: ଦୁବାଇରେ ଲିଭ୍-ଇନ୍ ରିଲେସନ୍, ଭାରତରେ ଉଠାଇଲେନି ଫୋନ୍

ନୂଆଦିଲ୍ଲୀ: ଫେସବୁକରୁ ଆରମ୍ଭ ହେଲା ପ୍ରେମ, ଲିଭ୍-ଇନ୍ ରେ ରହିଲେ । ଦୁବାଇରେ ଆରମ୍ଭ ହୋଇଥିବା ଏହି ପ୍ରେମ, ଭାରତରେ ଥାନାରେ ପହଞ୍ଚିଛି । ଯୁବତୀ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ଦୁବାଇରେ ଏକ ଆଇଟି କମ୍ପାନୀରେ ଉଚ୍ଚ ପଦବୀରେ କାର୍ଯ୍ୟରତ ଜଣେ NRI ମହିଳା ନିଜ ସ୍ୱାମୀଙ୍କୁ ଖୋଜିବା ପାଇଁ ଦୁବାଇରୁ ମଧ୍ୟପ୍ରଦେଶର ଜବଲପୁର ପହଞ୍ଚିଛନ୍ତି । ସ୍ୱାମୀଙ୍କ ପ୍ରତାରଣା ଓ ଯୌତୁକ ନିର୍ଯାତନା ନେଇ ସେ ପୋଲିସ୍ର ଦ୍ୱାରସ୍ଥ ହୋଇଛନ୍ତି।
ପୀଡ଼ିତା ଅଶ୍ୱିନ୍ଦର କୌରଙ୍କ କହିବା ଅନୁଯାୟୀ, ଅକ୍ଟୋବର ୨୦୨୦ରେ ଫେସବୁକ୍ ଜରିଆରେ ଜବଲପୁର ତ୍ରିମୂର୍ତ୍ତି ନଗରର ସୁନିଲ ଠାକୁରଙ୍କ ସହ ତାଙ୍କର ପରିଚୟ ହୋଇଥିଲା । ବନ୍ଧୁତା ନିବିଡ଼ ହେବା ପରେ ସୁନିଲ ଦୁବାଇ ଚାଲିଯାଇଥିଲେ ଏବଂ ଦୁହେଁ ସେଠାରେ ପ୍ରାୟ ୬ ବର୍ଷ ଧରି ଲିଭ୍-ଇନ୍ ସମ୍ପର୍କରେ ରହିଥିଲେ । ୨୩ ଫେବୃଆରୀ ୨୦୨୫ରେ ଜବଲପୁରର ସିଭିକ୍ ସେଣ୍ଟରସ୍ଥିତ ଗୁରୁଦ୍ୱାରରେ ପରିବାରବର୍ଗଙ୍କ ଗହଣରେ ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇଥିଲା ।
ଅଶ୍ୱିନ୍ଦର ଦୁବାଇର ଏକ ବଡ଼ ଆଇଟି କମ୍ପାନୀରେ କଣ୍ଟ୍ରି ହେଡ୍ ଭାବେ କାର୍ଯ୍ୟରତ ଥିବାବେଳେ ତାଙ୍କର ମାସିକ ଦରମା ପ୍ରାୟ ୪.୫ ଲକ୍ଷ ଟଙ୍କା ଥିଲା । ଅପରପକ୍ଷରେ ସ୍ୱାମୀ ସୁନିଲଙ୍କ ମାସିକ ଆୟ ମାତ୍ର ୫୫ ହଜାର ଟଙ୍କା ଆଖପାଖରେ ଥିଲା । ଅଶ୍ୱିନ୍ଦରଙ୍କ ଅଭିଯୋଗ ଅନୁଯାୟୀ, ଯେପର୍ଯ୍ୟନ୍ତ ସେ ସୁନିଲଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଉଥିଲେ, ସେପର୍ଯ୍ୟନ୍ତ ସବୁକିଛି ଠିକ୍ ଚାଲିଥିଲା । ମାତ୍ର ପରବର୍ତ୍ତୀ ସମୟରେ ଅଶ୍ୱିନ୍ଦର ସୁନିଲଙ୍କ ଅସୀମ ଆର୍ଥିକ ଦାବି ପୂରଣ କରିବାରେ ଅସମର୍ଥ ହେବାରୁ ସମ୍ପର୍କରେ ତିକ୍ତତା ଆସିଥିଲା ।
ଗତ ୩୧ ଜୁଲାଇ ୨୦୨୬ରେ ଦୁହେଁ ଦୁବାଇରୁ ଭାରତ ପାଇଁ ବାହାରିଥିଲେ। ୧ ଅଗଷ୍ଟରେ ଭାରତ ପହଞ୍ଚିବା ପରେ ସୁନିଲ ନିଜ ମାମୁଁ ଘରକୁ ଏବଂ ପରେ ଜବଲପୁର ଚାଲିଯାଇଥିଲେ। ଏହା ପରେ ସେ ଅଶ୍ୱିନ୍ଦରଙ୍କ ଫୋନ୍ ଉଠାଇବା ବନ୍ଦ କରିଦେଇଥିଲେ। ସ୍ୱାମୀଙ୍କୁ ଖୋଜିବା ପାଇଁ ଅଶ୍ୱିନ୍ଦର ମୁମ୍ବାଇ, ଜବଲପୁର ଓ ସତନା ବୁଲିଥିଲେ। ସତନାରେ ସୁନିଲଙ୍କ ସହ ଦେଖା ହୋଇଥିଲେ ସୁଦ୍ଧା ସେ ପତ୍ନୀଙ୍କ ସହ ରହିବାକୁ ସାଫ୍ ମନା କରିଦେଇଥିଲେ।
ମାନସିକ ନିର୍ଯାତନା, ପ୍ରତାରଣା ଓ ଆର୍ଥିକ ଶୋଷଣର ଶିକାର ହେବା ପରେ ଅଶ୍ୱିନ୍ଦର ଜବଲପୁରର ଗୋହଲପୁର ଥାନାରେ ସ୍ୱାମୀ ସୁନିଲ ଠାକୁର ଓ ଶାଶୂଘର ଲୋକଙ୍କ ବିରୋଧରେ ଯୌତୁକ, ନଗଦ ଟଙ୍କା ଓ ଗହଣା ହଡ଼ପ କରିବା ଅଭିଯୋଗରେ FIR ଦାଖଲ କରିଛନ୍ତି। ଗୋହଲପୁର ଥାନା ଅଧିକାରୀ ରୀତେଶ ପାଣ୍ଡେ ଜଣାଇଛନ୍ତି ଯେ, ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି ଏବଂ ପୋଲିସ୍ ସମସ୍ତ ଆଇନଗତ ଦିଗକୁ ନେଇ ତଦନ୍ତ ଚଳାଇଛି।
ସୌଜନ୍ୟ ପ୍ରମେୟ



