ଦେଶ ବିଦେଶ

ହର୍ମୁଜ ପରେ ଆଉ ଏକ ତୈଳ କାରବାର ମାର୍ଗ ସଙ୍କଟରେ ; ହୁତିଙ୍କ କବ୍‌ଜାରେ ବାବ ଅଲ୍-ମନ୍ଦାବ ପ୍ରଣାଳୀ

ସନା : ଆମେରିକା-ଇରାନ ଯୁଦ୍ଧ ପାଇଁ ହର୍ମୁଜ ପ୍ରଣାଳୀ ଦୀର୍ଘ ଦିନ ହେଲା ବନ୍ଦ ରହିଛି। ଏହି ଗୁରୁତ୍ବପୂର୍ଣ୍ଣ ବାଣିଜ୍ୟିକ ମାର୍ଗ ଦେଇ ଜାହାଜ ଯିବାକୁ ଭୟ କରୁଛନ୍ତି। ଏଥିଯୋଗୁଁ ବିଶ୍ବରେ ଶକ୍ତି ସଙ୍କଟ ସୃଷ୍ଟି ହୋଇଛି ଓ ତୈଳ ଦର ବୃଦ୍ଧି ପାଇଛି। ଏବେ ବିଶ୍ବର ଆଉ ଏକ ଗୁରୁତ୍ବପୂର୍ଣ୍ଣ ସାମୁଦ୍ରିକ ତୈଳ ମାର୍ଗ ‘ବାବ ଅଲ୍-ମନ୍ଦାବ’ ଉପରେ ଭୟଙ୍କର ସଙ୍କଟ ଦେଖା ଦେଇଛି। ୟେମେନର ହୁତି ବିଦ୍ରୋହୀ ଆଜି ଏହାକୁ କବଜା କରି ନେଇଛନ୍ତି। ତେଣୁ ଆଗାମୀ ଦିନରେ ସ୍ଥିତି କ’ଣ ହେବ ତାହାକୁ ନେଇ ଆଶଙ୍କା ଦେଖା ଦେଇଛି। ଯଦି ହୁତି ବିଦ୍ରୋହୀ ଏହି ମାର୍ଗକୁ ବନ୍ଦ କରିଦେବେ, ତେବେ ଶକ୍ତି ସଙ୍କଟ ଭୟଙ୍କର ରୂପ ଧାରଣ କରିବ। ଏହି ପ୍ରଣାଳୀ ଏସିଆ ଓ ୟୁରୋପ ମଧ୍ୟରେ ଜାହାଜ ଚଳାଚଳର ପ୍ରମୁଖ ମାର୍ଗ ହୋଇ ରହିିଛି। ବାବ ଅଲ୍-ମନ୍ଦାବ ଚେକ ପଏଣ୍ଟ ଭଳି କାମ କରୁଛି। ହର୍ମୁଜ ପ୍ରଣାଳୀ ବନ୍ଦ ଥିବାରୁ ଏହି ମାର୍ଗ ଦେଇ ଜାହାଜ ଚଳାଚଳ ବଢ଼ି ଚାଲିଛି। ଏହି ପ୍ରଣାଳୀ ଲୋହିତ ସାଗର ଓ ଆଦେନ ଉପସାଗରକୁ ମଧ୍ୟ ଯୋଡୁଛି। ଏଭଳି ସ୍ଥିତିରେ ଭାରତ ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି। ହୁତି ବିଦ୍ରୋହୀଙ୍କ ସାମରିକ ପ୍ରବକ୍ତା ୟାହା ସରି କହିଛନ୍ତି ଯେ ସାଉଦି ସମର୍ଥନ ପାଇଥିବା ସେନା ବାବ ଅଲ୍-ମନ୍ଦାବ ମଧ୍ୟରେ ଥିବା ପେରିମ ତଥା ମାୟୁନ ଦ୍ବୀପରୁ ନିୟନ୍ତ୍ରଣ ହରାଇ ଦେଇଛି। ଏବେ ୫,୪୦୦ ବର୍ଗ କିମି ଅଞ୍ଚଳକୁ ହୁୁତି କବଜା କରିନେଇଛି। ତେବେ ସେ ଆଶ୍ବସ୍ତିଜନକ ଘୋଷଣା କରିଛନ୍ତି। ଏହି ଗୁରୁତ୍ବପୂର୍ଣ୍ଣ ବାଣିଜ୍ୟିକ ମାର୍ଗରେ ସାଉଦି ଆରବର ଜାହାଜକୁ ଛାଡ଼ି ଆଉ ସବୁ ଦେଶର ଜାହାଜକୁ ଅତିକ୍ରମ ପାଇଁ ଅନୁମତି ଦିଆଯିବ ବୋଲି କହିଛନ୍ତି।
ସୂଚନାଯୋଗ୍ୟ ଯେ ବିଶ୍ବ ସାମୁଦ୍ରିକ କାରବାରର ୧୨ ପ୍ରତିଶତ ବାବ ଅଲ୍-ମନ୍ଦାବ ଦେଇ ହୋଇଥାଏ। ଦିନକୁ ୬୦-୭୦ ଲକ୍ଷ ବ୍ୟାରେଲ ତୈଳ ନେଇ ପଣ୍ୟବାହୀ ଜାହାଜ ଯାଆସ କରିଥାଏ। ଏହି ମାର୍ଗ ସୁଏଜ କେନାଲ ଦେଇ ୟୁରୋପ-ଏସିଆକୁ ଯୋଡ଼ିଥାଏ। ହୁତି ବିଦ୍ରୋହୀ ମାତ୍ର ୯ ଦିନ ମଧ୍ୟରେ ଏହି ପ୍ରଣାଳୀକୁ କବଜା କରି ନେଇଛନ୍ତି। ରିପୋର୍ଟ ଅନୁଯାୟୀ, ଏଥିରେ ହୁତି ବିଦ୍ରୋହୀଙ୍କୁ ଇରାନ ଅସ୍ତ୍ରଶସ୍ତ୍ର ଦେଇ ସହାୟତା କରିଛି। ଏବେ ଇରାନ ରିଭୋଲ୍ୟୁସନାରୀ ଗାର୍ଡ (ଆଇଆରଜିସି)ର ଅନେକ ବରିଷ୍ଠ କମାଣ୍ଡର ୟେମେନରେ ଅଛନ୍ତି। ଗତ ତିନି ତାରିଖରେ ହୁତି ବିଦ୍ରୋହୀ ଆକ୍ରମଣ ଆରମ୍ଭ କରିବା ଦିନଠାରୁ ଏ ପର୍ଯ୍ୟନ୍ତ ଅନେକ ଥର ଇରାନ ଅଧିକାରୀଙ୍କ ସହ ବୈଠକ କଲେଣି। ତେବେ ମୋଖା ସହରରେ ଆକ୍ରମଣ କରିବାର ନିଷ୍ପତ୍ତି ହୁତି ବିଦ୍ରୋହୀ ନେଇଥିଲେ ବୋଲି କୁହାଯାଉଛି। ଏଥିରେ ଇରାନ ସହଯୋଗ ଦେଉଥିବା ମଧ୍ୟ ୟେମେନ ସରକାରଙ୍କ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଆମେରିକା ସହାୟତା ନେଇ ହୁତି ବିଦ୍ରୋହୀଙ୍କ ଉପରେ ସାଉଦି ଆରବ ଏୟାର ଷ୍ଟ୍ରାଇକ କରିବାକୁ ଚାହୁଁ ଥିଲା। ମାତ୍ର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଥିପାଇଁ ଅନୁମତି ଦେଇ ନ ଥିଲେ। ତେବେ ସ୍ଥିତି ଉପରେ ଆମେରିକା ନଜର ରଖିଛି। ୧୦୦ରୁ ଊର୍ଦ୍ଧ୍ବ ଆମେରିକୀୟ ସାମରିକ ଅଧିକାରୀ ଏବେ ସାଉଦିରେ ଅଛନ୍ତି। ଏମାନେ ହୁତି ବିଦ୍ରୋହୀଙ୍କ ସମ୍ବନ୍ଧରେ ଗୁଇନ୍ଦା ସୂଚନା ସଂଗ୍ରହ କରୁଛନ୍ତି। ତେଣୁ ଆମେରିକା ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନରୁ ଦୂରେଇ ରହିବାକୁ ଚାହୁଁଛି। ସେପଟେ ହୁତି ବିଦ୍ରୋହୀ ସେତିକିରେ ଅଟକି ଯାଇନାହାନ୍ତି। ୟେମେନର ଧୁବାବ ସହରରେ ପହଞ୍ଚି ଯାଇଛନ୍ତି।

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button