ହାତୀ ଆକ୍ରମଣରେ ମାଆ ପୁଅ ମୃତ, ପ୍ରତିବାଦରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ

ଆଠଗଡ଼: ହାତୀ ଆକ୍ରମଣରେ ମାଆ ପୁଅ ମୃତ। ଘଟଣା ଘଟିଛି ନରସିଂହପୁର ବ୍ଲକ ଦେବଭୂଇଁ ନୂଆଗାଁ ଗ୍ରାମରେ। ଗାଁର ବଂଶୀଧର ନାଏକଙ୍କ ପତ୍ନୀ ସସ୍ମିତା ନାଏକ ପୁଅ ପ୍ରିୟାଂଶୁ ନାଏକ ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି।

ସୂଚନା ଅନୁସାରେ, ବୁଧବାର ଘର ପଛପଟକୁ ଶୌଚ ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣ ଶିକାର ହୋଇଥିଲେ। ସେପଟେ ଘଟଣାକୁ ନେଇ ସ୍ଥାନୀୟ ଲୋକମାନେ ଦେବଭୂଇଁ-ନରସିଂହପୁର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି।

ମଙ୍ଗଳବାର ବଡ଼ମ୍ବା ରେଞ୍ଜରେ ହୋଇଥିଲା ହାତୀ ମୃତ୍ୟୁ

ଏହା ପୂର୍ବରୁ ଆଠଗଡ଼ ବନଖଣ୍ଡ ବଡ଼ମ୍ବା ରେଞ୍ଜରେ ଏକ ହାତୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା।  ବିଦ୍ୟୁତ ଆଘାତରେ ହାତୀଟିର ମୃତ୍ୟୁ ହୋଇଥିବା ବନ ବିଭାଗର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ବଡ଼ମ୍ବା ରେଞ୍ଜ ଗୁଣ୍ଡଦ୍ୱାର ସଂରକ୍ଷିତ ଜଙ୍ଗଲର ଏକ ଫାର୍ମ ହାଉସ ନିକଟରେ ଏକ ମାଈ ହାତୀର ମୃତ୍ୟୁ ହୋଇଥିଲା। ହାତୀଟିର ବୟସ ୨୨ବର୍ଷ ହୋଇଥିବା ବେଳେ ନିଜ ଫର୍ମ ହାଉସକୁ ସୁରକ୍ଷା ଦେବା ଲାଗି ମାଲିକ ଜଣକ କିଛି ବିଦ୍ୟୁତ ଜିଆଇ ତାରବାଡ଼ ଘେରାଉ କରିଥିଲେ ଯାହା ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରୁ କିଛି ଜିଆଇ ତାର ଜବତ୍ କରିବା ସହିତ ସମ୍ପୁକ୍ତ ଫାର୍ମ ହାଉସ୍ ମାଲିକଙ୍କୁ ତଦନ୍ତ ପରିସରଭୁକ୍ତ କରିଛି ବନ ବିଭାଗ।

ସୌଜନ୍ୟ Prameya News7