ଜିଲ୍ଲା

୩ ମାସ ପୂର୍ବରୁ ଜିଲା ପ୍ରଶାସନର ପ୍ରସ୍ତୁତି ; ନଭେମ୍ବର ୨୪ ରୁ ବାଲିଯାତ୍ରା

କଟକ : ଚଳିତବର୍ଷ ଐତିହାସିକ ବାଲିଯାତ୍ରା ନଭେମ୍ବର ୨୪ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଉଭୟ ଉପର ଓ ତଳ ପଡ଼ିଆରେ ବିଶ୍ବର ଏହି ସର୍ବବୃହତ ମୁକ୍ତାକାଶ ବାଣିଜ୍ୟ ମେଳାର ଆୟୋଜନ କରାଯିବ। ରାଜ୍ୟ ତଥା ବିଭିନ୍ନ ଦେଶର କଳାକାର ସାମିଲ ହେବା ସହ ବ୍ୟବସାୟୀମାନେ ଆସିବେ। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି। କେଉଁ ପଡ଼ିଆରେ କଣ ବ୍ୟବସ୍ଥା କରାଯିବ, ସେଥିନେଇ ଏକ ସ୍ବତନ୍ତ୍ର କମିଟି ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ପ୍ରସ୍ତୁତ କରିବେ। ଏହି ରିପୋର୍ଟ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ତେବେ ଚଳିତଥର ପାର୍କିଂ ସ୍ଥଳଗୁଡ଼ିକ ଅଧିକ କରିବାକୁ ଜିଲା ପ୍ରଶାସନ ଯୋଜନା କରିଛି। ଲୋକଙ୍କ ସୁରକ୍ଷା ଓ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ପରିଚାଳନା ନିମନ୍ତେ ଏକ ସ୍ବତନ୍ତ୍ର ବିପର୍ଯ୍ୟୟ ପରିଚାଳନା କମିଟି ଗଠନ ହେବ। ଦୋଳିଗୁଡ଼ିକ ମଧ୍ୟରେ କେତେ ଦୂରତା ରହିବ ଏବଂ କେତେ ବର୍ଷ ପୁରୁଣା ଦୋଳି ଲଗାଯାଇପାରିବ; ସେଥିପାଇଁ ଦୋଳି ବ୍ୟବସାୟୀ ସଂଘ ସହ ଆଲୋଚନା ହୋଇଛି। ଦୋଳି ବ୍ୟବସାୟୀ ସୁରକ୍ଷା ପ୍ରମାଣପତ୍ର ଦେଖାଇବା
ବାଧ୍ୟତାମୂଳକ କରାଯାଇଛି। କଟକ ଇନ କଟକକୁ କେଉଁ ଥିମ୍‌ ଅନୁଯାୟୀ ସାଜସଜ୍ଜା କରାଯିବ, ତାହା ଲୋକଙ୍କ ମତ ଅନୁଯାୟୀ ସ୍ଥିର ହେବ। ବାଲିଯାତ୍ରା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମହାନଦୀରେ ଜଳକ୍ରୀଡ଼ା ଆୟୋଜନ କରାଯିବ ବୋଲି ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ସୂଚନା ଦେଇଛନ୍ତି। ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ବୁଧବାର ବାଲିଯାତ୍ରା ପ୍ରସ୍ତୁତି ବୈଠକରେ ଜିଲାପାଳ ଶ୍ରୀ ସିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ବିଭାଗ ମଧ୍ୟରେ କିଭଳି ସମନ୍ବୟ ରକ୍ଷା କରାଯାଇ କାମ ହେବ ତାହା ଆଲୋଚନା ହୋଇଥିଲା। ଆଇନ ଶୃଙ୍ଖଳା, ଗମନାଗମନ, ଯାତାୟାତ, ଗାଡ଼ି ରହଣି ସ୍ଥଳ, ସ୍ବଚ୍ଛତା, ବିଦ୍ୟୁତ୍‌ ଯୋଗାଣ, ପଡ଼ିଆ ସମତୁଲ କରିବା, ଖାଦ୍ୟ ସୁରକ୍ଷା, ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଓ ଅସ୍ଥାୟୀ ଶୌଚାଳୟ ନିର୍ମାଣ, ବିଶେଷକରି ଅଧିକ ସଂଖ୍ୟକ ସିସି କ୍ୟାମେରା ସ୍ଥାପନ ଉପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଯାନବାହନ ଓ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଯାତାୟାତ ମାର୍ଗ ସୂଚୀ ପ୍ରସ୍ତୁତ କରାଯିବ। ପରିବେଶ ସୁରକ୍ଷାକୁ ଗୁରୁତ୍ବ ଦେଇ ବାଲିଯାତ୍ରା ପରିସରରେ ପ୍ଲାଷ୍ଟିକ ଓ ଫୋମ୍‌ ନିର୍ମିତ ଖାଦ୍ୟ ପାତ୍ର ଓ ବ୍ୟାଗ୍‌ ବ୍ୟବହାର ନିଷିଦ୍ଧ କରାଯିବ। ଏହା ପରିବର୍ତ୍ତେ ଖାଦ୍ୟ ପରିଶିବା ପାଇଁ ବ୍ୟବସାୟୀମାନେ ଶାଳପତ୍ରର ବ୍ୟବହାର ଏବଂ ଅନ୍ୟାନ୍ୟ ସାମଗ୍ରୀ ନିମନ୍ତେ କପଡ଼ା ବ୍ୟାଗ୍‌ ବ୍ୟବହାର କରାଯିବାକୁ ସ୍ଥିର ହୋଇଛି। କଳାକାରଙ୍କ ଲୋକପ୍ରିୟତା ଦୃଷ୍ଟିରୁ ସମାନ୍ତରାଳ ଭାବେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। ବାଲିଯାତ୍ରା ଆହୁରି ରଙ୍ଗୀନ କରିବା ପାଇଁ ବିଭିନ୍ନ ପ୍ରତିଯୋଗିତାର ମଧ୍ୟ ଆୟୋଜନ ହେବ। ବେଆଇନ ପାର୍କିଂ ଏଡ଼ାଇବା ପାଇଁ ବ୍ୟବସ୍ଥା ଓ ପାର୍କିଂ ସ୍ଥାନରୁ ଯାତ୍ରୀଙ୍କ ସୁଗମ ପରିଚାଳନା ଉପରେ ଗୁରୁତ୍ବ ଦିଆଯାଇଥିଲା। ଏହି ପ୍ରସ୍ତୁତି ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲା ପରିଷଦ ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ନାୟକ, ଅତିରିକ୍ତ ଜିଲାପାଳ ଡ. ଦିବ୍ୟଲୋଚନ ମହାନ୍ତ, ଅତିରିକ୍ତ ଜିଲାପାଳ କମଳଜିତ ଦାସ, ଅତିରିକ୍ତ ଜିଲାପାଳ ଡ. ଈପ୍‌ସିତା ପ୍ରିୟଦର୍ଶିନୀ ମିଶ୍ର, ଆଠଗଡ଼ ଉପଜିଲାପାଳ ପ୍ରହ୍ଲାଦ ନାରାୟଣ ଶର୍ମା ଓ ବାଙ୍କୀ ଉପଜିଲାପାଳ ମନସ୍ବିନୀ ଦାସଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
ନଭେମ୍ବର ୨୪ ରୁ…

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button