ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ଓଡ଼ିଶା ଗ୍ଲୋବାଲ୍ କାପାବିଲିଟି ସେଣ୍ଟର (ଜିସିସି) ନୀତି ୨୦୨୫ ମଞ୍ଜୁର ହୋଇଛି। ନିକଟରେ ଘୋଷଣା ହୋଇଥିବା ଓଡ଼ିଶା ଆଇଟି ନୀତି ୨୦୨୫ର ଏକ ଟପ୍-ଅପ୍ ଭାବେ ଏହା କାର୍ଯ୍ୟ କରିବ। ବିକଶିତ ଓଡ଼ିଶା ୨୦୩୬ ଓ ୨୦୪୭କୁ ଦୃଷ୍ଟିରେ ରଖି ଏହାର ରୂପରେଖ ପ୍ରସ୍ତୁତ କରାଯାଇଛି। ଏହି ନୀତିରେ ୧୦୦୦ କୋଟି ଟଙ୍କାର ନିବେଶ ଆକୃଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥି ସହିତ ଭୁବନେଶ୍ବର, କଟକ–ପୁରୀ-ପାରାଦୀପ, ବରଗଡ଼-ଝାରସୁଗୁଡ଼ା-ସମ୍ବଲପୁର ଅର୍ଥନୈତିକ ଅଞ୍ଚଳରେ ଅତିକମ୍ରେ ପାଞ୍ଚଟି ଜିସିସି ହବ୍ ସ୍ଥାପନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହା ଦ୍ବାରା ରାଜ୍ୟରେ ୫୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। କେବଳ ଭୁବନେଶ୍ବରରେ ସୀମିତ ନ ରହି ଏହି ବିକାଶ ପ୍ରକ୍ରିୟା ଯେଭଳି ରାଜ୍ୟର ପ୍ରତିଟି ପ୍ରାନ୍ତରେ ପହଞ୍ଚିପାରିବ, ସେଥିପ୍ରତି ନୂଆ ନୀତିରେ ଧ୍ୟାନ ଦିଆଯାଇଛି।
ଓଡ଼ିଶାକୁ ଜିସିସିର ଏକ ପସନ୍ଦର ସ୍ଥାନରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଆକର୍ଷଣୀୟ ପ୍ରୋତ୍ସାହନ ଦେବେ। ଜମି ଦର, ଲିଜ୍ ଭଡ଼ା, ମାନବ ସମ୍ବଳର ଦକ୍ଷତା ବିକାଶ, ବିଦ୍ୟୁତ୍ ଶୁଳ୍କ, ସୁଧ ରିହାତି, ମାର୍କେଟିଂ, ଏସ୍ଜିଏସ୍ଟି ଫେରସ୍ତ, ଗବେଷଣା ଓ ବିକାଶ ଏବଂ ପିଏଫ୍/ଇଏସ୍ଆଇ ଯୋଗଦାନ ଆଦିରେ ନିବେଶକମାନଙ୍କୁ ପ୍ରୋତ୍ସାହନ ଦେବା ଲାଗି ଆଇଟି ନୀତିରେ ବ୍ୟବସ୍ଥା ରହିଛି। ନୂଆ ଜିସିସି ନୀତିରେ ଏହି କ୍ଷେତ୍ରର ନିବେଶକମାନଙ୍କ ସ୍ବତନ୍ତ୍ର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରୋତ୍ସାହନ ପ୍ରସ୍ତୁତ କରାଯାଇଛି। ସେମାନଙ୍କୁ ପୁଞ୍ଜି ଓ ଭିତ୍ତିଭୂମି ସହାୟତା, ଘରୋଇ ଓ ଅନ୍ତର୍ଜାତୀୟ ସଂସ୍ଥାମାନଙ୍କୁ ସ୍ଥାନ ପରିବର୍ତ୍ତନ ସୁବିଧା, କୋ-ୱାର୍କିଂ ସ୍ଥାନର ଭଡ଼ାରେ ରିହାତି, ଇଣ୍ଟର୍ନସିପ୍ ଓ ନିଯୁକ୍ତି ସହାୟତା ଏବଂ ମେଗା ଜିସିସି ପାଇଁ ସ୍ବତନ୍ତ୍ର ପ୍ୟାକେଜ୍ ଭଳି ସୁବିଧା ପ୍ରଦାନ କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି। ଜିସିସି ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ଶିକ୍ଷା, ଶିଳ୍ପ ଓ ନୀତି କ୍ଷେତ୍ରର ବିଶେଷଜ୍ଞମାନଙ୍କୁ ନେଇ ଏକ ପଲିସି ଆଡ୍ଭୋକେସି ଆଣ୍ଡ୍ ଭିଜନ ଗ୍ରୁପ୍ (ପିଏଭିଜି) ଗଠନ କରାଯିବ। ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର (ଓକାକ୍) ଏହାର ନୋଡାଲ୍ ଏଜେନ୍ସି ଭାବେ କାର୍ଯ୍ୟ କରିବ।
ସୌଜନ୍ୟ – ସମ୍ବାଦ

