ମାଲକାନଗିରି: ମାଲକାନଗିରିସ୍ଥିତ ତାରିଣୀ ମନ୍ଦିର ପଛପଟେ ଥିବା ପଥର ଖାଦାନରୁ ବେଆଇନ ମାଟି ଖଳୁଥିବା ସମୟରେ ପଥର ପଡ଼ି ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଶ୍ରମିକମାନେ ହେଲେ ଜୟପୁରିୟା ଗୁଡା ନିବାସୀ କୁଶ ଗାଦବା ଓ ମିଟୁ ମାଢି । ତେବେ କୁଶ ଗାଦବାଙ୍କ ମୃତ୍ୟୁ ଘଟଣା ସ୍ଥଳରେ ହୋଇଥିବା ବେଳେ ମିଟୁ ମାଢିଙ୍କ ମୃତ୍ୟୁ ଡାକ୍ତରଖାନାରେ ହୋଇଛି।
ଟ୍ରାକ୍ଟର ଡ୍ରାଇଭର ଓ ଶ୍ରମିକମାନେ ଚମ୍ପଟ ମାରିଥିଲେ
ଘଟଣା ପରେ ଟ୍ରାକ୍ଟର ଡ୍ରାଇଭର ସମେତ ଅନ୍ୟ ଶ୍ରମିକମାନେ ସେଠାରୁ ଚମ୍ପଟ ମାରିଥିଲେ। ଖବର ପାଇ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଁଚି ଉକ୍ତ ଶ୍ରମିକଙ୍କୁ ପଥର ମଧ୍ୟରୁ ଉଦ୍ଧାର କରିବା ସହ ଦୁର୍ଘଟଣା ବାବଦରେ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ। କୁସ ଗାଦବା ଶ୍ରମିକ ଶ୍ରେଣୀର ହୋଇଥିବା ବେଳେ ଛୋଟମୋଟ କାମ କରି ନିଜ ଗୁଜୁରାଣ ମେଣ୍ଟାଉ ଥିଲେ। ତାଙ୍କ ପରିବାରରେ ସ୍ତ୍ରୀ ସହ କୁନି ଝିଅ ଅଛି ।
ଏକମାତ୍ର ରୋଜଗାରିଆ କୁସ ଗାଦବାଙ୍କ ମୃତ୍ୟୁରେ ପରିବାର ଉପରେ କଳା ବାଦଲ ଛାଇ ଯାଇଛି । ମିଟୁ ମଧ୍ୟ ଶ୍ରମିକ ଶ୍ରେଣୀର ହୋଇଥିବା ବେଳେ ଗରିବ ଅଟନ୍ତି। ଦୁଇ ଗରିବ ପରିବାରକୁ ଆର୍ଥିକ ସାହାଯ୍ୟ ଦେବାକୁ ସ୍ଥାନୀୟ ବାସିନ୍ଦା ଓ ସମାଜସେବୀ ପ୍ରଶାସନ ନିକଟରେ ଦାବି କରିଛନ୍ତି ।
ସୌଜନ୍ୟ ସମ୍ବାଦ
