4-month MRNEGA: ୧୪ ମାସର ମନରେଗା ବିଲ୍ ବନାମ ୪ ଦିନର ଭିବି-ଜି ରାମ ଜି ବିଲ୍

ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନର ନାଟକୀୟ ସମାପ୍ତି ଭିତରେ ବିକଶିତ ଭାରତ ଗ୍ୟାରେଣ୍ଟି ଫର୍‌  ରୋଜଗାର ଆଣ୍ଡ ଆଜୀବିକା ମିସନ୍‌ (ଗ୍ରାମୀଣ) ବିଲ୍ ୨୦୨୫ (ଭିବି-ଜି ରାମ ଜି) ଉଭୟ ସଦନରେ ପାସ୍ ହେବା ସଂସଦୀୟ ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି। ଏହି ନୂଆ ବିଲ୍‌ ଦୁଇ ଦଶନ୍ଧି ପୁରୁଣା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଆଇନ (ଏମ୍‌ଜିଏନ୍ଆର୍‌ଇଜିଏ)ର ସ୍ଥାନ ନେଇଛି। ହଙ୍ଗାମା ମଧ୍ୟରେ ବାଚନିକ ଭୋଟରେ ପାସ୍ ହୋଇଥିବା ଏହି ବିଲ୍ ବିରୋଧୀ ଦଳମାନଙ୍କଠାରୁ ତୀବ୍ର ସମାଲୋଚନାର ସାମ୍ନା କରିଥିବା ବେଳେ ସେମାନେ  ଏହାକୁ ଗ୍ରାମୀଣ ଗରିବଙ୍କ ଉପରେ ଆକ୍ରମଣ ଏବଂ ଭାରତର ମୁଖ୍ୟ ରୋଜଗାର ଯୋଜନାରୁ ଗାନ୍ଧୀଙ୍କ ନାମ ଇଚ୍ଛାକୃତ ଭାବେ ହଟାଇବା ପଦକ୍ଷେପ ବୋଲି କହିଛନ୍ତି।

Chhattisgarh: ଛତିଶଗଡ଼ରେ ଅନ୍ତିମ ସଂସ୍କାରକୁ ନେଇ ବିବାଦ, ଚର୍ଚ୍ଚ ପୋଡ଼ିଦେଲେ

୨୦୦୫ରେ ଯେତେବେଳେ ୟୁପିଏ ସରକାର ଗ୍ରାମୀଣ ନିଯୁକ୍ତି ସମ୍ବନ୍ଧୀୟ ମନରେଗା ବିଲ୍ ଆଣିଥିଲେ, ସେତେବେଳେ ମନରେଗା ସଂପର୍କିତ ପ୍ରାବଧାନଗୁଡ଼ିକୁ ଚୂଡ଼ାନ୍ତ କରିବା ପାଇଁ ୧୪ ମାସ ଧରି ପରାମର୍ଶ ନିଆଯାଇଥିଲା ଏବଂ ଏହା ପରେ ସର୍ବସମ୍ମତିକ୍ରମେ ଏହି ବିଲ୍ ମଞ୍ଜୁର ହୋଇଥିଲା।  ତେବେ ବିଭିନ୍ନ କାରଣରୁ ଏହି ଯୋଜନା ତା’ର ଲକ୍ଷ୍ୟ ହାସଲରେ ସମର୍ଥ ହୋଇପାରିନଥିଲା। ବର୍ତ୍ତମାନ କେନ୍ଦ୍ର ସରକାର ଏହି ବିଲ୍‌ରେ  ପରିବର୍ତ୍ତନ କରି ମାତ୍ର ଚାରି ଦିନ ମଧ୍ୟରେ ଭିବି-ଜି ରାମ ଜି ବିଲ୍ ପାରିତ କରିବାକୁ ସମର୍ଥ ହୋଇଛନ୍ତି।

ଡିସେମ୍ବର ୧୬ରେ ଆଗତ  ଏହି ବିଲ୍ ଲୋକସଭାରେ ୧୪ ଘଣ୍ଟାର ସରଗରମ ବିତର୍କ ପରେ ଗୃହୀତ ହୋଇଥିବା ବେଳେ   ରାଜ୍ୟସଭାରେ ଗତରାତିରେ ପାରିତ ହୋଇଛି।    ବିରୋଧୀ ସାଂସଦମାନେ କକ୍ଷତ୍ୟାଗ କରିବା ସହ ବିଲ୍‌ର କପି ଚିରିଥିଲେ ଏବଂ ସଂସଦ ବାହାରେ ରାତିସାରା ଧାରଣା  ଦେଇଥିଲେ।  କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ସତର୍କ କରାଇଛନ୍ତି ଯେ ଜନତା ସରକାରଙ୍କ ଏଭଳି ପଦକ୍ଷେପ ବିରୋଧରେ  ରାସ୍ତାକୁ ଓହ୍ଲାଇବେ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଲ୍‌କୁ କଡ଼ା ସମାଲୋଚନା କରି ଏହା ଲୋକଙ୍କ ପ୍ରତି ଅନ୍ୟାୟ ବୋଲି ଦର୍ଶାଇଛନ୍ତି।  ଟିଏମ୍‌ସି ସାଂସଦ ସାଗରିକା ଘୋଷ ଏହାକୁ ‘ଗରିବ ବିରୋଧୀ, କୃଷକ ବିରୋଧୀ ଏବଂ ଗାନ୍ଧୀ ବିରୋଧୀ’ ବୋଲି  କହି ନିନ୍ଦା କରିଛନ୍ତି। ଡିଏମ୍‌କେ ନେତା ତିରୁଚି ଶିବା ଏଭଳି ବିଲ୍‌ ଦ୍ବାରା ସରକାର  ଜାତିର ପିତାଙ୍କୁ ଅପମାନ କରିଥିବା ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ବିଲ୍‌ର ମୁଖ୍ୟ ପ୍ରାବଧାନ ମଧ୍ୟରେ ବାର୍ଷିକ ନିଶ୍ଚିତ ରୋଜଗାରକୁ ୧୦୦ରୁ ୧୨୫ ଦିନକୁ ବଢ଼ାଇବା, ଜଳ ସୁରକ୍ଷା, ଗ୍ରାମୀଣ ଭିତ୍ତିଭୂମି, କର୍ମନିଯୁକ୍ତି ବୃଦ୍ଧି ଏବଂ ଜଳବାୟୁ ପ୍ରତିରୋଧ କ୍ଷମତା ପ୍ରକଳ୍ପଗୁଡ଼ିକ ଉପରେ କେନ୍ଦ୍ରିତ କରିବା ରହିଛି। ନୂଆ ବିଲ୍‌ରେ  ଆଧାର ଲିଙ୍କ୍‌ ଦେୟ ଓ ଡିଜିଟାଲ ମନିଟରିଂକୁ ବାଧ୍ୟତାମୂଳକ କରାଯାଇଛି। ଏହି ଯୋଜନାରେ ପୂର୍ବରୁ ଚାଲି ଆସୁଥିବା ଦୁର୍ନୀତିକୁ ମୂଳପୋଛ କରିବା ଲକ୍ଷ୍ୟ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଅନେକ ରାଜନୈତିକ ସମୀକ୍ଷକ  ଏହାକୁ ମୋଦୀଙ୍କ ‘ବିକଶିତ ଭାରତ ୨୦୪୭’ ଦୃଷ୍ଟିକୋଣର ଅଂଶ ବୋଲି ଦେଖୁଛନ୍ତି ।

 

ସୌଜନ୍ୟ ସମ୍ବାଦ