ବୁଢ଼ା ବୟସରେ ପ୍ରେମ, ପରେ ପ୍ରେମିକଙ୍କୁ ହତ୍ୟା କରି ଜାଳିଦେଲେ ୭୦ ବର୍ଷୀୟା! DNA ଟେଷ୍ଟ ଖୋଲିଲା ରହସ୍ୟ
ମୁମ୍ବାଇ,୨୨।୯: ମହାରାଷ୍ଟ୍ରର ସୋଲାପୁର ଜିଲାପଣ୍ଢରପୁରରୁ ଏକ ଚାଞ୍ଚଲ୍ୟକର ହତ୍ୟା ଘଟଣା ସାମ୍ନାକୁ ଆସିଛି। ୭୦ ବର୍ଷ ବୟସରେ ପ୍ରେମ ସମ୍ପର୍କକୁ ନେଇ ନିଜ ପ୍ରେମିକଙ୍କୁ ହତ୍ୟା କରିବା ଏବଂ ପରିଚୟ ଲୁଚାଇବା ପାଇଁ ଶବ ଜାଳିଦେବା ଅଭିଯୋଗରେ ଜଣେ ବୃଦ୍ଧାଙ୍କୁ ପୋଲିସ ଗିରଫ କରିଛି। ଡିଏନଏ ପରୀକ୍ଷା ମାଧ୍ୟମରେ ମୃତକଙ୍କ ପରିଚୟ ପ୍ରାୟ ଦେଢ଼ ମାସ ପରେ ନିଶ୍ଚିତ ହୋଇଥିବା ଜଣାପଡ଼ିଛି।
ପୋଲିସ ଅନୁସାରେ, ପଣ୍ଢରପୁରର ୭୦ ବର୍ଷୀୟ ଅମ୍ବାଦାସ ଖାଣ୍ଡେକର ଏବଂ ମଙ୍ଗଳ ହୋନମାଣେଙ୍କ ମଧ୍ୟରେ ଗତ କିଛି ବର୍ଷ ଧରି ପ୍ରେମ ସମ୍ପର୍କ ଥିବା ଅଭିଯୋଗ ରହିଛି। ଜୁଲାଇ ୨୭ ତାରିଖରେ କୌଣସି ଏକ କଥାକୁ ନେଇ ଉଭୟଙ୍କ ମଧ୍ୟରେ ତୀବ୍ର ବଚ୍ସା ହୋଇଥିଲା। ଏହାପରେ ମଙ୍ଗଳ ଅମ୍ବାଦାସଙ୍କୁ ହତ୍ୟା କରିଥିବା ପୋଲିସ ଅଭିଯୋଗ କରିଛି।
ହତ୍ୟା ପରେ ପରିଚୟ ଲୁଚାଇବା ଏବଂ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଅମ୍ବାଦାସଙ୍କ ଶବକୁ ଏକ ନିଛାଟିଆ ସ୍ଥାନକୁ ନେଇ ଜାଳି ଦିଆଯାଇଥିବା ପୋଲିସ କହିଛି।
ଅଗଷ୍ଟ ୨ ତାରିଖରେ ଗାଁର କିଛି ଚାଷୀ କ୍ଷେତ ନିକଟରେ ଏକ ଅର୍ଦ୍ଧଦଗ୍ଧ ଅଜଣା ଶବ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ସୂଚନା ପାଇ ପୋଲିସ ଏବଂ ଫରେନସିକ ଟିମ ଘଟଣାସ୍ଥଳରେ ପହଞ୍ଚି ନମୁନା ଓ ପ୍ରମାଣ ସଂଗ୍ରହ କରିଥିଲେ।
ଶବଟି ଅତ୍ୟଧିକ ଜଳିଯାଇଥିବାରୁ ତୁରନ୍ତ ମୃତକଙ୍କ ପରିଚୟ ଜଣାପଡ଼ିନଥିଲା। ମୃତକଙ୍କ ପରିଚୟ ନିଶ୍ଚିତ କରିବାକୁ ପୋଲିସ ଅମ୍ବାଦାସଙ୍କ ଦୁଇ ଝିଅଙ୍କ ନମୁନା ସଂଗ୍ରହ କରି ଡିଏନଏ ପ୍ରୋଫାଇଲିଂ ପାଇଁ ପଠାଇଥିଲା। ପ୍ରାୟ ଦେଢ଼ ମାସ ପରେ ଆସିଥିବା ଡିଏନଏ ରିପୋର୍ଟରେ ମ୍ୟାଚ ମିଳିଥିଲା। ଏହାପରେ ଅର୍ଦ୍ଧଦଗ୍ଧ ଶବଟି ଅମ୍ବାଦାସଙ୍କର ବୋଲି ଅଧିକାରିକ ଭାବେ ସ୍ପଷ୍ଟ ହୋଇଥିଲା।
ମୃତକଙ୍କ ପରିଚୟ ନିଶ୍ଚିତ ହେବା ପରେ ସୋଲାପୁର ପୋଲିସ ମଙ୍ଗଳ ହୋନମାଣେଙ୍କୁ ହେପାଜତକୁ ନେଇ ପଚରାଉଚରା କରିଥିଲା। ପୋଲିସ ଦାବି ଅନୁସାରେ, ପଚରାଉଚରା ସମୟରେ ସେ ହତ୍ୟା ଅଭିଯୋଗ ସ୍ବୀକାର କରିଛନ୍ତି।
ତେବେ ଉଭୟଙ୍କ ମଧ୍ୟରେ କେଉଁ କାରଣରୁ ବିବାଦ ଏତେ ଗୁରୁତର ହୋଇ ହତ୍ୟାକାଣ୍ଡର ରୂପ ନେଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଘଟଣାର ପ୍ରକୃତ କାରଣ ଜାଣିବା ସହ ମାମଲାର ଅନ୍ୟାନ୍ୟ ଦିଗ ନେଇ ପୁଲିସ ତଦନ୍ତ ଜାରି ରଖିଛି।
ସୌଜନ୍ୟ ଧରିତ୍ରୀ




