ଓଡିଶା

Chilika: ପୋତି ହୋଇଯାଉଛି ଚିଲିକା: ପ୍ରତି ବର୍ଷ ପଶୁଛି ୮ ଲକ୍ଷ ଟନ୍‌ର ପଟୁମାଟି

ଏସିଆର ବୃହତ୍ତମ ଲବଣାକ୍ତ ହ୍ରଦ ଚିଲିକା ପୋତି ହେଉଛି। ପ୍ରତିଦିନ ଏହା ମଧ୍ୟକୁ ପ୍ରବେଶ କରୁଥିବା ପଟୁ ମାଟି ଦ୍ବାରା ହ୍ରଦ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେଲାଣି। ମାଛ, ଚିଙ୍ଗୁଡ଼ି ଓ କଙ୍କଡ଼ା ଉତ୍ପାଦନ ମଧ୍ୟ ପ୍ରଭାବିତ ହେଉଛି।

ଭୁବନେଶ୍ବର: ଏସିଆର ବୃହତ୍ତମ ଲବଣାକ୍ତ ହ୍ରଦ ଚିଲିକା ପୋତି ହେଉଛି। ପ୍ରତିଦିନ ଏହା ମଧ୍ୟକୁ ପ୍ରବେଶ କରୁଥିବା ପଟୁ ମାଟି ଦ୍ବାରା ହ୍ରଦ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେଲାଣି। ମାଛ, ଚିଙ୍ଗୁଡ଼ି ଓ କଙ୍କଡ଼ା ଉତ୍ପାଦନ ମଧ୍ୟ ପ୍ରଭାବିତ ହେଉଛି। ଚିଲିକା ମୁହାଣ ଓ ଏହାର ପାର୍ଶ୍ବବର୍ତ୍ତୀ ଗାଁଗୁଡ଼ିକ ପ୍ରତି ବିପଦ ସୃଷ୍ଟି ହେଉଛି। ପ୍ରଶାସନ ପକ୍ଷରୁ ନିୟମିତ ବ୍ୟବଧାନରେ ପଙ୍କ ଉଦ୍ଧାର ଓ ଅନ୍ତନାଳୀ ଖୋଳା କାର୍ଯ୍ୟକ୍ରମ ଜାରି ରହିଥିଲେ ମଧ୍ୟ ସେତେଟା ସଫଳତା ମିଳିପାରି ନାହିଁ। ବରଂ ଚିଲିକାର ଆର୍ଦ୍ରଭୂମି ଆୟତନ ଧୀରେ ଧୀରେ ହ୍ରାସ ପାଇବା ସହ ଜୀବଜଗତର ଏହି ମୂଲ୍ୟବାନ ପ୍ରାକୃତିକ ସମ୍ପଦ ପ୍ରତି ବିପଦ ସୃଷ୍ଟି ହୋଇଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଚିଲିକା ପୋତି ହେଉଥିବା ସମ୍ପର୍କରେ ରାଜ୍ୟ ସରକାର ଅବଗତ ରହିଛନ୍ତି। ହ୍ରଦର ଗଭୀରତା ସର୍ବନିମ୍ନ ୦.୩୮ ମିଟରରୁ ସର୍ବାଧିକ ୬.୨୦ ମିଟର ରହିଛି। ପ୍ରତିବର୍ଷ ହ୍ରଦ ଗର୍ଭକୁ ଏହାର ନଦୀ, ଉପନଦୀ ଓ ନାଳ ଦ୍ବାରା ପ୍ରାୟ ୮ ଲକ୍ଷ ଟନ୍‌ର ପଟୁମାଟି ପ୍ରବେଶ କରି କିଛି ମାତ୍ରାରେ ପୋତି ଦେଉଛି। ଏଥିସହ ଜଳବାୟୁ ପରିବର୍ତ୍ତନ, ଅଦିନିଆ ବର୍ଷା ଓ ପ୍ରାକୃତିକ ବିପର୍ଯ୍ୟୟ ପ୍ରଭାବ ଦ୍ବାରା ପଟୁମାଟି ଚିଲିକା ଗର୍ଭକୁ ପ୍ରବେଶ କରୁଛି। ତେଣୁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ପ୍ରତି ମାସରେ ୩୩ଟି ନିରୀକ୍ଷଣ କେନ୍ଦ୍ର ମାଧ୍ୟମରେ ୧୭ଟି ମାପକକୁ ନେଇ ଚିଲିକାରେ ଥିବା ଜଳର ମାନ ପରୀକ୍ଷଣ କରୁଥିବା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ ବିଧାନସଭାରେ ଏକ ଲିଖିତ ଉତ୍ତରରେ କହିଥିଲେ।

ପ୍ରତି ବର୍ଷ ପଶୁଛି ୮ ଲକ୍ଷ ଟନ୍‌ର ପଟୁମାଟି
୫ ବର୍ଷରେ ୩.୨୬ ଲକ୍ଷ କ୍ୟୁବିକ୍‌ ମିଟର ଖନନ
ଡିପିଆର୍‌ ପ୍ରସ୍ତୁତ କରିବ ଆଇଆଇଟି ମାଡ୍ରାସ

୧୯୪୫ ମସିହାରେ ଚିଲିକାର ଆର୍ଦ୍ରଭୂମିର ଆୟତନ ୨୯୪୬ ବର୍ଗ କିଲୋମିଟର ଥିଲା। ଏବେ ତାହା ୧୧୬୫ କିମିରେ ସୀମିତ ରହିଥିବା କୁହାଯାଉଥିଲେ ମଧ୍ୟ ବାସ୍ତବରେ ଆହୁରି କମ୍‌ ବୋଲି ଜଣାପଡ଼ିଛି। ଚିଲିକାର ଜୈବ ବିବିଧତା ଓ ଆର୍ଦ୍ରଭୂମିର ଗୁରୁତ୍ବକୁ ଉପଲବ୍ଧି କରି ୧୯୮୧ ମସିହାରେ ଚିଲିକାକୁ ‘ରାମସାର୍‌’ ସ୍ଥଳୀ ଘୋଷଣା କରାଯିବା ପରେ ସିଡିଏ କର୍ତ୍ତୃପକ୍ଷ ଏହାର ଚତୁଃପାର୍ଶ୍ବରେ ବୃକ୍ଷରୋପଣ ଏବଂ ଆର୍ଦ୍ରଭୂମିର ସଂରକ୍ଷଣ ଦିଗରେ ପଦକ୍ଷେପ ନେଇଥିଲେ। ହେଲେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଚିଲିକାର ଆୟତନ ଧୀରେ ଧୀରେ କମିବା ସହ ବିଭିନ୍ନ ପ୍ରଜାତିର ପ୍ରାଣୀ ବିଲୁପ୍ତ ହେବାକୁ ବସିଲେଣି। ସିଡିଏ ଦ୍ବାରା ବିଭିନ୍ନ ଆର୍ଥିକ ବର୍ଷରେ ପଙ୍କ ଉଦ୍ଧାର ଓ ଅନ୍ତନାଳୀ ଖୋଳା କାର୍ଯ୍ୟକ୍ରମ ହେଉଛି। କେବଳ ସେତିକି ନୁହେଁ, ଅନ୍ତନାଳୀର ପୁନରୁଦ୍ଧାର ମଧ୍ୟ ହେଉଛି। ଚିଲିକାର ସୁରକ୍ଷା ଓ ଏହାର ପରିସଂସ୍ଥାର ପୁନରୁଦ୍ଧାର କରିବାକୁ ସିଡିଏ କର୍ତ୍ତୃପକ୍ଷଙ୍କ ଅନୁରୋଧକ୍ରମେ ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ମାଡ୍ରାସର ବୈଷୟିକ ପରାମର୍ଶକ୍ରମେ ଦୀର୍ଘମିଆଦି କାର୍ଯ୍ୟକ୍ରମ ଖସଡ଼ା (ଡିପିଆର୍‌) ପ୍ରସ୍ତୁତ ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଡିପିଆର୍‌ ପ୍ରସ୍ତୁତ ପରେ ଚିଲିକାର ପୁନରୁଦ୍ଧାରକୁ ବ୍ୟାପକ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ କହିଛନ୍ତି।

ସୌଜନ୍ୟ ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button