Gold Price Crash ସୁନା ୧,୧୦୦ ଓ ରୁପା ୩,୩୦୦ ଶସ୍ତା

ନୂଆଦିଲ୍ଲୀ: ବୈଶ୍ୱିକ ବଜାରରେ ମାନ୍ଦାବସ୍ଥା ଯୋଗୁ ବୁଧବାର ଭାରତୀୟ ସ୍ୱର୍ଣ୍ଣାଳଙ୍କାର ବଜାରରେ ସୁନା ଓ ରୁପା ମୂଲ୍ୟରେ ଭାରି ହ୍ରାସ ଦେଖା ଦେଇଛି। ଦିଲ୍ଲୀ ସ୍ୱର୍ଣ୍ଣାଳଙ୍କାର ବଜାରରେ ସୁନା ଦର ୧,୧୦୦ ଟଙ୍କା ହ୍ରାସ ହୋଇ ପ୍ରତି ୧୦ ଗ୍ରାମ ୧ଲକ୍ଷ ୬୧ ହଜାର ସ୍ତରକୁ ଆସି ଯାଇଛି। ବଜାର ବିଶେଷଜ୍ଞଙ୍କ ଅନୁସାରେ ଆମେରିକା ଓ ଇରାନ ମଧ୍ୟରେ ବଢୁଥିବା ଉତ୍ତେଜନା ଓ ସୁରକ୍ଷିତ ନିବେଶ ଭାବେ ଡଲାର ମଜଭୁତ ହେବା ନିବେଶକ ସୁନାରୁ ଦୂରେଇ ଯାଇଛନ୍ତି। ଏଣୁ ମହଙ୍ଗା ଧାତୁ ମୂଲ୍ୟ ଉପରେ ଏବେ ଚାପ ସୃଷ୍ଟି ହୋଇଛି।

ସୁନା ଓ ରୁପାର ନୂଆ ଦର
ଆଇବିଜେ ଅନୁସାରେ ବୁଧବାର ବଜାରରେ ୯୯.୯% ଶୁଦ୍ଧତାର ୨୪ କ୍ୟାରେଟ ସୁନା ମୂଲ୍ୟରେ ୧,୧୦୦ ଟଙ୍କାର ହ୍ରାସ ସହ ପ୍ରତି ୧୦ ଗ୍ରାମ ୧,୬୧,୩୦୦ ଟଙ୍କାରେ ବନ୍ଦ ହୋଇଛି। ଏହା ପୂର୍ବ ବ୍ୟବସାୟୀକ ଅଧିବେଶନରେ ଏହି ଦର ୧,୬୨,୪୦୦ ଟଙ୍କା ଥିଲା। କେବଳ ସୁନା ନୁହେଁ ଆଜି ରୂପାର ଚମକ୍ ମଧ୍ୟ ବଜାରରେ ଫିକା ପଡିଛି। ରୂପା ମୂଲ୍ୟରେ ୩,୩୦୦ ଟଙ୍କାର ହ୍ରାସ ସହ ପ୍ରତି କେଜି ଦର ୨,୬୯,୭୦୦ ଟଙ୍କାକୁ ଖସିଛି। ତେବେ ଏହା ପୂର୍ବରୁ ମଙ୍ଗଳବାର ରୂପା କେଜି ପିଛା ଦର ୨,୭୩,୦୦୦ ଟଙ୍କା ଥିଲା।

ଏମସିଏକ୍ସରେ ଭୀଷଣ ଦର ହ୍ରାସ
ମଲ୍ଟି କମଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ସୁନା ଦର ୧.୪୫%ରୁ ଅଧିକ ହ୍ରାସ ହୋଇଛି। ଏଣୁ ୨,୨୮୩ ଟଙ୍କା ହ୍ରାସ ସହିତ ପ୍ରତି ୧୦ ଗ୍ରାମ ୧,୫୫,୩୩୩ ଟଙ୍କାରେ କାରବାର କରିଛି। ଏହି ସମୟରେ ସୁନାର ଉଚ୍ଚତମ ସ୍ତର ୧,୫୭,୮୯୮ ଟଙ୍କା ଥିବା ବେଳେ ଲୋ ଲେବୁଲ ୧,୫୪, ୯୫୩ ଟଙ୍କା ପ୍ରତି ୧୦ ଗ୍ରାମ କାରବାର ହୋଇଛି। ସେହିପରି ଏମସିଏକ୍ସ ରେ ସାରା ଦିନରେ ରୁପା ଦରରେ ୭,୩୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ଦେଖାଯାଇଛି। ଖବର ଲେଖାଯିବା ବେଳକୁ ରୁପା କେଜି ପିଛା ୧.୯୩% ହ୍ରାସ ସହ ୨,୬୫,୪୦୩ରେ କାରବାର କରିଛି।

ବୈଶ୍ୱିକ ମାର୍କେଟର ପରିସ୍ଥିତି
ଅନ୍ତର୍ଜାତୀୟ ବଜାରରେ ବୁଧବାର ସୁନା ଓ ରୁପା ବିକ୍ରି ଦେଖା ଯାଇଛି। ବୈଶ୍ୱିକ ବଜାରରେ ହାଜିର ସୁନା ଦର ୧.୦୩% ହ୍ରାସ ହୋଇ ଆଉନ୍ସ ପିଛା ୪,୪୬୧.୦୨ ଡଲାରରେ କାରବାର ହୋଇଛି। ସେହିପରି ରୁପା ୩% ହ୍ରାସ ସହ ଆଉନ୍ସ ପିଛା ୭୪.୯୬ ଡଲାରରେ କାରବାର ହୋଇଛି।

 

 

 

ସୌଜନ୍ୟ Prameya News7