ମୁମ୍ବାଇ: ଭାରତୀୟ ଟଙ୍କା ବୁଧବାର ଆମେରିକୀୟ ଡଲାର ତୁଳନାରେ ୧୨ ପଇସା ବୃଦ୍ଧି ସହିତ ୯୫.୫୮ ସ୍ତରରେ ବନ୍ଦ ହୋଇଛି। ନିବେଶକ ଏବେ ସତର୍କତା ଅବଲମ୍ବନ କରୁଥିବାରୁ ଟଙ୍କାକୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ତେବେ ବୈଦେଶିକ ମୁଦ୍ରା ବ୍ୟବସାୟୀ କହିଛନ୍ତି ଯେ ଏବେ ସମସ୍ତଙ୍କ ଧ୍ୟାନ ୩ରୁ ୫ ଜୁନ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଭାରତୀୟ ରିଜର୍ଭବ୍ୟାଙ୍କ (ଆରବିଆଇ)ଙ୍କ ମୁଦ୍ରାନୀତି ସମୀକ୍ଷା ଉପରେ ରହିଛି। ବୁଧବାର କାରବାର ଆରମ୍ଭରେ ଇଣ୍ଟରବ୍ୟାଙ୍କ ବିଦେଶୀ ମୁଦ୍ରା ବିନିମୟ ବଜାରରେ ଟଙ୍କା ଆମେରିକା ମୁଦ୍ରା ତୁଳନାରେ ୯୫.୬୦ ପଇସାରେ ଖୋଲିଥିଲା। କାରବାର କାଳରେ ଟଙ୍କା ଡଲାର ତୁଳନାରେ ୯୫.୭୯ର ସର୍ବ କାଳୀନ ନିମନ୍ନ ସ୍ତରକୁ ମଧ୍ୟ ପହଞ୍ଚିଥିଲା।
ତେବେ ଶେଷରେ ଟଙ୍କା ୯୫.୫୮ ସ୍ତରରେ ବନ୍ଦ ହୋଇଛି, ଯାହା ପିଛିଲା କ୍ଲୋଜିଂ ପ୍ରାଇସ ଠାରୁ ୧୨ ପଇସା ଅଧିକ। ତେବେ ଏହା ପୂର୍ବରୁ ଟଙ୍କା ମଙ୍ଗଳ ବାର ୪୪ ପଇସା ଦୁର୍ବଳ ହୋଇ ଅମେରିକା ଡଲାର ତୁଳନାରେ ୯୫.୭୦ରେ ବନ୍ଦ ହୋଇଥିଲା। ମିରାଏ ଆସେଟ ସେୟାରଖାନର ବିଶ୍ଲେଷକ ଅନୁଜ ଚୌଧୁରୀ କହିଛନ୍ତି ଯେ ଆମ ଅନୁମାନ ଅନୁସାରେ ଆମେରିକା ଓ ଇରାନ ମଧ୍ୟରେ ପୁଣି ବଢିଥିବା ଉତ୍ତେଜନା ଓ ପଶ୍ଚିମ ଏସିୟାରେ ସାମରିକ କାର୍ଯ୍ୟାନୁଷ୍ଠାନ ଚିନ୍ତା କାରଣରୁ ଟଙ୍କା ନକରାତ୍ମକ ଆଭିମୁଖ୍ୟରେ କାରବାର କରିବ। ସେ କହିଛନ୍ତି ଯେ ଯଦିଓ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ସର୍ବ ନିମ୍ନ ସ୍ତରରେ ଟଙ୍କାକୁ ସାହାରା ଦେଉଛି ତଥାପି ଡଲାର-ଟଙ୍କାର ହାଜିର ଦର ୯୫.୫୦କୁ ୯୬.୧୦ ପଇସା ମଧ୍ୟରେ କାରବାର କରିବାର ଅନୁମାନ କରାଯାଉଛି।
ବିଶ୍ୱର ୬ ପ୍ରମୁଖ ପ୍ରତିଯୋଗୀ ମୁଦ୍ରା ତୁଳନାର ଡଲାରର ମଜଭୁତି ମୂଲ୍ୟାୟନ କରୁଥିବା ଡଲାର ଇଣ୍ଡେକ୍ସ ୦୧.୧୦% ହ୍ରାସ ସହିତ ୯୯.୦୭କୁ ଖସି ଆସିଛି। ଏଥିରେ ବୈଶ୍ୱିକ ଅଶୋଧିତ ତୈଳ ମାନକ ବ୍ରେଣ୍ଟ କ୍ରୁଡ ମୂଲ୍ୟ ୩.୦୨% ହ୍ରାସ ସହିତ ପ୍ରତି ବ୍ୟାରଲ ୯୬.୫୭ଡଲାରରେ କାରବାର କରୁଛି। ସେପଟେ ଘରୋଇ ସେୟାର ବଜାରରେ ସେନସେକ୍ସ ୧୪୧.୯୦ ପଏଣ୍ଟ ହ୍ରାସ ହୋଇ ୭୫,୮୬୭.୮୦ରେ ବନ୍ଦ ହୋଇଛି। ସେହିପରି ନିଫ୍ଟି ୬.୫୫ ପଏଣ୍ଟର ମାମୁଲି ହ୍ରାସ ସହ ୨୩,୯୦୭.୧୫ ସ୍ତରରେ ରହିଛି। ସେୟାର ବଜାର ତଥ୍ୟଅନୁସାରେ ବିଦେଶୀ ସଂସ୍ଥାଗତ ନିବେଶକ (ଏଫଆଇଆଇ) ବଜାରରେ ଏବେ ବିକ୍ରି ଆରମ୍ଭ କରିଛନ୍ତି । ଏଥିରେ ସେମାନେ ବୁଧବାର ବଜାରରୁ ୧,୦୪୨.୭୦ କୋଟି ଟଙ୍କା କାଢି ନେଇଛନ୍ତି।
ସୌଜନ୍ୟ Prameya News7

