ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କଙ୍କ ଜୀବନରେ ମଧ୍ୟ ଏମିତି ଏକ ସମୟ ଆସିଥିଲା, ଯେତେବେଳେ ତାଙ୍କ କମ୍ପାନୀ ‘ଟେସଲା’ (Tesla) ଦେବାଳିଆ ହେବା ପରିସ୍ଥିତିକୁ ଚାଲିଆସିଥିଲା। ଆଉ ଏତିକିବେଳେ ବିପଦ ସମୟର ପ୍ରକୃତ ବନ୍ଧୁ ଭାବରେ ତାଙ୍କୁ ସାହାଯ୍ୟର ହାତ ବଢ଼ାଇଥିଲେ ତାଙ୍କର ସବୁଠାରୁ ପ୍ରିୟ ବନ୍ଧୁ ଆଣ୍ଟୋନିଓ ଗ୍ରାସିଆସ୍ (Antonio Gracias)। ସେତେବେଳେ ସେ ମସ୍କଙ୍କୁ ୧ ମିଲିୟନ ଡଲାର (ପ୍ରାୟ ୮.୫ କୋଟିରୁ ଅଧିକ ଟଙ୍କା) ଋଣ ଆକାରରେ ଦେଇଥିଲେ। ଆଉ ଆଜି ସେହି ବନ୍ଧୁତା ଯୋଗୁ ଗ୍ରାସିଆସ୍ ବିଶ୍ୱର ଶୀର୍ଷ ଧନୀଙ୍କ ତାଲିକାରେ ସାମିଲ ହେବାକୁ ଯାଉଛନ୍ତି।
ରିପୋର୍ଟ ଅନୁସାରେ, ଏଲନ୍ ମସ୍କଙ୍କ ମହାକାଶ ଗବେଷଣା ସଂସ୍ଥା ‘ସ୍ପେସ୍ଏକ୍ସ’ (SpaceX) ର ଆଇପିଓ (IPO) ଆସିବାକୁ ଯାଉଛି। ଏହି ଆଇପିଓ ମାଧ୍ୟମରେ ଆଣ୍ଟୋନିଓ ଗ୍ରାସିଆସ୍ ପ୍ରାୟ ୧୪୦ ବିଲିୟନ ଡଲାର ପାଇବାକୁ ଯାଉଛନ୍ତି। ଗ୍ରାସିଆସଙ୍କ କମ୍ପାନୀ ‘ଭେଲୋର ଇକ୍ୱିଟି ପାର୍ଟନର୍ସ’ (Valor Equity Partners) ପାଖରେ ସ୍ପେସ୍ଏକ୍ସର ପ୍ରାୟ ୫୦୦ ମିଲିୟନରୁ ଅଧିକ କ୍ଲାସ-ଏ (Class A) ଶେୟାର ରହିଛି। ଯଦି ସ୍ପେସ୍ଏକ୍ସର ମୂଲ୍ୟାଙ୍କନ ୧.୭୫ ଟ୍ରିଲିୟନ ଡଲାର ଛୁଇଁବା ନେଇ ଅନୁମାନ କରାଯାଉଛି। ଆଉ ଶେୟାର ମାଧ୍ୟମରେ ଗ୍ରାସିଆସ୍ ବିଶ୍ୱର ୫୦ ଜଣ ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ସ୍ଥାନ ପାଇବେ।
କେମିତି ଆରମ୍ଭ ହୋଇଥିଲା ବନ୍ଧୁତା ?
ଚଳିତ ଶତାବ୍ଦୀର ଆରମ୍ଭରେ ସିଲିକନ ଭ୍ୟାଲିରେ ଆଣ୍ଟୋନିଓ ଗ୍ରାସିଆସ୍ ଏବଂ ଏଲନ୍ ମସ୍କଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ସେତେବେଳେ ଟେସଲା କମ୍ପାନୀ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲା। ଆଉ ଏହି ସମୟରେ ଗ୍ରାସିଆସ୍ ମସ୍କଙ୍କୁ ୧ ମିଲିୟନ ଡଲାର ଦେଇ କମ୍ପାନୀକୁ ବଞ୍ଚାଇବାରେ ସାହାଯ୍ୟ କରିଥିଲେ। ସେବେଠାରୁ ସେ ମସ୍କଙ୍କ ବିଭିନ୍ନ କମ୍ପାନୀ ଯେପରିକି ଟେସଲା, ସ୍ପେସ୍ଏକ୍ସ, ସୋଲାରସିଟି, ନ୍ୟୁରାଲିଙ୍କ ଏବଂ ‘ଦ ବୋରିଂ କମ୍ପାନୀ’ର ବୋର୍ଡ ସଦସ୍ୟ ଭାବେ କାର୍ଯ୍ୟ କରିଆସୁଛନ୍ତି।
ବଢ଼ିଲା ବିବାଦ
ଏହି ବ୍ୟବସାୟିକ ସଫଳତା ସହିତ ଏକ ନୂଆ ବିବାଦ ମଧ୍ୟ ସାମ୍ନାକୁ ଆସିଛି। ଗ୍ରାସିଆସଙ୍କ ଫର୍ମ ‘ଭେଲୋର’ ସ୍ପେସ୍ଏକ୍ସ ସହିତ ତିନୋଟି ଉପକରଣ ଲିଜ୍ (equipment lease) ଚୁକ୍ତି କରିଛି। ଯେଉଁଥିପାଇଁ ସ୍ପେସ୍ଏକ୍ସ ଆଗାମୀ ଦିନରେ ଭେଲୋର କମ୍ପାନୀକୁ ପ୍ରାୟ ୨୦ ବିଲିୟନ ଡଲାର ପୈଠ କରିବ। କର୍ପୋରେଟ୍ ଗଭର୍ଣ୍ଣାନ୍ସ ବିଶେଷଜ୍ଞମାନେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।
ସ୍ପେସ୍ଏକ୍ସର ଅଡିଟର ସଂସ୍ଥା PwC ଏହି ଚୁକ୍ତିକୁ ସାଧାରଣ ଲିଜ୍ ଭାବେ ଗ୍ରହଣ ନକରି ‘ଫେଲ୍ଡ ସେଲ୍ ଲିଜ୍ବ୍ୟାକ୍’ (failed sale leasebacks) ବୋଲି ଦର୍ଶାଇଛି। ଏଥିପାଇଁ ସ୍ପେସ୍ଏକ୍ସକୁ ୯ ବିଲିୟନ ଡଲାରର ଋଣ ନିଜ ଆକାଉଣ୍ଟରେ ଦେଖାଇବାକୁ ପଡ଼ିଛି, ଯାହାକି କମ୍ପାନୀର ନିଜସ୍ୱ ନିର୍ଦ୍ଦେଶକଙ୍କ ସଂସ୍ଥାକୁ ଦେବାକୁ ପଡ଼ିବ। ଏହାକୁ ନେଇ କିଛି ବିଶେଷଜ୍ଞ ଚିନ୍ତା ପ୍ରକଟ କରିଛନ୍ତି। ଏହା ସତ୍ତ୍ୱେ, ପ୍ରତିକୂଳ ସମୟରେ ମସ୍କଙ୍କ ଉପରେ ବିଶ୍ୱାସ ରଖିଥିବା ଆଣ୍ଟୋନିଓ ଗ୍ରାସିଆସ୍ ଏବେ ବିଶ୍ୱର ଅନ୍ୟତମ ଶୀର୍ଷ ବିଲିୟନେୟାର ହେବାକୁ ଯାଉଛନ୍ତି।
ସୌଜନ୍ୟ Prameya News7

