Editorial

Editorial: ନିରବତାରେ ଉତ୍ତର

ଆମେରିକା ହେଉ କି ବାଂଲାଦେଶ ବା ନେପାଳ; ବୈଦେଶିକ ବ୍ୟାପାର ସଂଦର୍ଭରେ ପ୍ରଧାନମନ୍ତ୍ରୀ ପ୍ରାୟତଃ ନିରବତା ଅବଲମ୍ବନ କରିଥାଆନ୍ତି। ପ୍ରତିବାଦମାନ ଆନୁଷ୍ଠାନିକ ଭାବେ ବିଦେଶ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ହୋଇଥାଏ।

ଆମେରିକା ହେଉ କି ବାଂଲାଦେଶ ବା ନେପାଳ; ବୈଦେଶିକ ବ୍ୟାପାର ସଂଦର୍ଭରେ ପ୍ରଧାନମନ୍ତ୍ରୀ ପ୍ରାୟତଃ ନିରବତା ଅବଲମ୍ବନ କରିଥାଆନ୍ତି। ପ୍ରତିବାଦମାନ ଆନୁଷ୍ଠାନିକ ଭାବେ ବିଦେଶ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ହୋଇଥାଏ। ଏହାର ପଛରେ ହୁଏତ ଥାଇପାରେ ଏକ ପରିପକ୍ବ ବିଚାର! ଅହେତୁକ ବାଚନିକ ଆକ୍ରମଣର ଉତ୍ତର ଦାମ୍ଭିକ ନିରବତା ହେବାରେ କ୍ଷତି ନ ଥାଏ, କାରଣ ତହିଁରେ ନିହିତ ଥାଏ ଦୂରଦୃଷ୍ଟି। ଜାତିର ଜନକ ମହାତ୍ମା ଗାନ୍ଧୀ କହି ନ ଥିଲେ କି ଚକ୍ଷୁ ବଦଳରେ ଚକ୍ଷୁ, ସାରା ପୃଥିବୀକୁ ଦୃଷ୍ଟିହୀନ କରି ପକାଇବ?

ଦୁଇ ଦିନ ତଳେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରଂପଙ୍କ ଏକ ମନ୍ତବ୍ୟ ଆମ ଦେଶରେ ସ୍ବାଭାବିକ ଭାବେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ପ୍ରକାଶ ଥାଉ କି ଆମେରିକାର ସାଂସଦମାନଙ୍କ ଏକ ସମାବେଶରେ ଟ୍ରଂପ କହିଥିଲେ ଯେ ତାଙ୍କ ସହିତ ସାକ୍ଷାତର ସମ୍ମତି ଭିକ୍ଷା କରି ବ୍ୟାକୁଳ ଭାରତୀୟ ପ୍ରଧାନମନ୍ତ୍ରୀ କୁଆଡ଼େ ଅନୁନୟ କରିଥିଲେ: ‘ପ୍ଲିଜ, ମେ ଆଇ ସି ୟୁ ସାର୍‌?’, ଅର୍ଥାତ୍‌ ‘ସାର୍‌, ମୁଁ ଆପଣଙ୍କୁ ଭେଟି ପାରିବି କି?’ ଏହି ଦୃଶ୍ୟ ବହନକାରୀ ଏକ ଭାଇରାଲ ଭିଡିଓରୁ ଜଣାପଡ଼ିଛି ଯେ ଟ୍ରଂପଙ୍କ କଥାରେ ଏକ ଛିଗୁଲାଇବାପଣ ମଧ୍ୟ ରହିଛି। କୂଟନୀତିରେ ଯଥାର୍ଥ ଭାଷାର ବ୍ୟବହାର ଏବଂ ସୌଜନ୍ୟ ପ୍ରଦର୍ଶନ ସର୍ବଦା ଓ ସର୍ବାଧିକ ଗୁରୁତ୍ବ ବହନ କରିଥାଏ, ଅଥଚ ଟ୍ରଂପଙ୍କ ଦ୍ବାରା ଏହି ସର୍ବ ସ୍ବୀକୃତ ଧାରା ଓ ଶୃଙ୍ଖଳାକୁ ବାରମ୍ବାର ପଦାନତ କରାଯାଉଛି, ଯାହା ବିଶେଷ ଉଦ୍‌ବେଗର କାରଣ। ତେବେ, ଭାରତ ବା ଭାରତର ପ୍ରଧାନମନ୍ତ୍ରୀଙ୍କ ସଂପର୍କରେ ତାଙ୍କ ଅରୁଚିକର ମନ୍ତବ୍ୟ ବା ପରିହାସ ପରିପ୍ରେକ୍ଷୀରେ ଯାହା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି, ତାହା ହେଉଛି ଏ ନେଇ ପ୍ରଧାନମନ୍ତ୍ରୀ ଓ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଅବଲମ୍ବନ କରାଯାଇଥିବା ଘନ ନିରବତା। ଅସଂଖ୍ୟ ଭାରତୀୟ ଏହି କାରଣରୁ ମୁହ୍ୟମାନ, ଯାହାକୁ ସେମାନେ ଭୟର ନିଦର୍ଶନ ବୋଲି ମଧ୍ୟ ଅଭିହିତ କରୁଛନ୍ତି। ତେବେ, ଏଭଳି ସ୍ଥିତିରେ ପ୍ରତିକ୍ରିୟା ବା ପ୍ରତ୍ୟୁତ୍ତର କିଭଳି ହେବା ଉଚିତ, ତାହା ମଧ୍ୟ ଏକ ପରିପକ୍ବ ବିଚାର ଆବଶ୍ୟକ କରିଥାଏ, ଯେଉଁ ସଂପର୍କରେ ଏକ କ୍ଷୁଦ୍ର ଆଲୋଚନାର ଅବକାଶ ରହିଛି।
ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରେ ମାସିଡୋନିଆର ଦିଗ୍‌ବିଜୟୀ ବୀର ଆଲେକଜାଣ୍ଡରଙ୍କ ଦ୍ବାରା ପରାହତ ଓ ବନ୍ଦୀ ତତ୍କାଳୀନ ଭାରତୀୟ ଭୂଖଣ୍ଡର ଜନୈକ ରାଜା ପୁରୁଙ୍କୁ ଯେତେବେଳେ ଆଲେକଜାଣ୍ଡର ପ୍ରଶ୍ନ କରିଥିଲେ ଯେ ସେ କିଭଳି ବ୍ୟବହାର ଆଶା କରନ୍ତି, ଅବିଚଳିତ ପୁରୁଙ୍କ ଉତ୍ତର ଥିଲ‌ା, ‘ରାଜୋଚିତ ବ୍ୟବହାର’, ଅର୍ଥାତ୍‌ ଜଣେ ରାଜା ପ୍ରତି ଅନ୍ୟ ଜଣେ ରାଜାଙ୍କ ଠାରୁ ଆଶା କରାଯାଉଥିବା ଭଳି ବ୍ୟବହାର। କହିବା ବାହୁଲ୍ୟ, ସେହି ପ୍ରାଚୀନ କାଳରେ, ଯେତେବେଳେ ଯୁଦ୍ଧ ବିଗ୍ରହ, ସନ୍ଧି, ବଶମ୍ବଦତା, ଆନ୍ତଃ ସାମ୍ରାଜ୍ୟ ସଂପର୍କ ଇତ୍ୟାଦିକୁ ନେଇ ଆଚରଣ ବିଧିର ନିର୍ମାଣ କରାଯାଉଥିବ, ସେତିକି ବେଳେ ପୁରୁଙ୍କ ଏଭଳି ଉତ୍ତର ଖୁବ୍‌ ସମ୍ଭବ ଏକ ମାର୍ଗଦର୍ଶିକାରେ ପରିଣତ ହୋଇଥିବ; କାରଣ ଚାଣକ୍ୟଙ୍କ ଅର୍ଥଶାସ୍ତ୍ର ଠାରୁ ନେଇ ଏବର ଆନ୍ତର୍ଜାତିକ ବ୍ୟାପାର ସମ୍ବନ୍ଧିତ ‘କୋଡ ଅଫ କଣ୍ଡକ୍‌ଟ’ ପର୍ଯ୍ୟନ୍ତ ସବୁଠି କୂଟନୀତି (ଡିପ୍ଲୋମାସି) କ୍ଷେତ୍ରରେ ଏହି ନୀତି ପ୍ରଚଳିତ ହୋଇ ଚାଲିଛି। ଅବଶ୍ୟ, ଏହା ଏକ ଭିନ୍ନ କଥା ଯେ ବ୍ୟବହାରରେ ସଂଭ୍ରମତାର ମାତ୍ରାଧିକ୍ୟ କେତେକ ସ୍ଥଳରେ ଛଳନା ଓ ପରିହାସ ଭଳି ମଧ୍ୟ ବୋଧ ହୋଇଛି, ଯେମିତି ଘଟୁଥିଲା ବ୍ରିଟିସ ରାଜ କାଳରେ; ବ୍ରିଟିସ ଅଧିକାରୀମାନେ କ୍ଷୁଦ୍ର କରଦ ରାଜାମାନଙ୍କୁ ମଧ୍ୟ ‘ହିଜ ମାଜେଷ୍ଟି କିଙ୍ଗ୍‌’ ବୋଲି ସଂବୋଧନ କରୁଥିଲେ ଏବଂ ଅନ୍ତିମ ମୋଗଲ ସମ୍ରାଟ, ଦୁର୍ବଳ ଓ ବୃଦ୍ଧ ବାହାଦୂର ଶାହ ଜାଫରଙ୍କୁ କାରାଗାରକୁ ନିକ୍ଷେପ କରୁଥିବା ବେଳେ ମଧ୍ୟ ସେହି ସମ୍ମାନାସ୍ପଦ ସଂବୋଧନ ତାଙ୍କ ବକ୍ଷ ବିଦୀର୍ଣ୍ଣ କରିଥିଲା। ତେବେ, ସେ ଯାହା ହେଉ, ଧନୀ ଓ ଦରିଦ୍ର ନିର୍ବିଶେଷରେ ଯେ କୌଣସି ରାଷ୍ଟ୍ର ମୁଖ୍ୟଙ୍କୁ ତାଙ୍କ ସମାସ୍କନ୍ଧଙ୍କ ଦ୍ବାରା ‘ହିଜ୍‌ ଏକ୍‌ସେଲେନ୍‌ସି’ ବୋଲି ଔପଚାରିକ ସଂବୋଧନ କରାଯିବା ସହିତ ଯଥାର୍ଥ ସମ୍ମାନ ପ୍ରଦର୍ଶନ କରାଯିବା ହେଉଛି ଏକ ପ୍ରଚଳିତ ବିଧି। ତେଣୁ, ଗୋଟିଏ ଦୃଷ୍ଟିରୁ ‘ସାର୍‌’ ବୋଲି ସଂବୋଧନରେ ସମସ୍ୟା ନ ଥାଏ। ବାକି ରହିଲା ତାଙ୍କ ମନ୍ତବ୍ୟରେ ଉପହାସର କଥା; ଡୋନାଲ୍‌ଡ ଟ୍ରଂପ, ତାଙ୍କ ଦ୍ବିତୀୟ ପାଳିର ରାଷ୍ଟ୍ରପତିତ୍ବ କାଳରେ, କୂଟନୈତିକ ପରଂପରାକୁ ଆଦୌ ଭ୍ରୂକ୍ଷେପ ନ କରି ରାଷ୍ଟ୍ରମୁଖ୍ୟମାନଙ୍କୁ ଯେମିତି ସର୍ବ ସମକ୍ଷରେ ଅପମାନିତ କରି ଚାଲିଛନ୍ତି; ସେଥିରେ ଏଭଳି ପରିହାସକୁ ନେଇ ବିବ୍ରତ ହେବାର କାରଣ ନ ଥାଏ। ୟୁକ୍ରେନର ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କ ଠାରୁ ନେଇ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମପୋସା, ଏପରିକି ବନ୍ଦୁଭାବାପନ୍ନ ରାଷ୍ଟ୍ର ଫ୍ରାନ୍‌ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ବା ଇଂଲାଣ୍ଡର କିଅର ଷ୍ଟାର୍ମରଙ୍କ ପର୍ଯ୍ୟନ୍ତ କେହି ହେଲେ ଟ୍ରଂପୀୟ ବିଦ୍ରୂପରୁ ବାଦ ପଡ଼ି ନାହାନ୍ତି। ସେହି ଦୃଷ୍ଟିରୁ ଅନେକ ବିଜ୍ଞ ପର୍ଯ୍ୟବେକ୍ଷକ କହିଥାନ୍ତି ଯେ ଭାରତ ଏହା ଦ୍ବାରା ବିଶେଷ କ୍ଷୁଣ୍ଣ ହେବା ଉଚିତ ନୁହେଁ ଏବଂ ଏଭଳି ସ୍ଥିତିରେ ନିରବତା ହିଁ ପ୍ରକୃତ ଉତ୍ତର, ଯାହା ଟ୍ରଂପଙ୍କୁ ପ୍ରଥମେ ଅଧୈର୍ଯ୍ୟ, କିନ୍ତୁ ପରିଶେଷରେ ନିରୁତ୍ସାହିତ କରି ପକାଇବ।

 

ତେବେ, ଯାହା ଅସ୍ବସ୍ତିର ବିଷୟ ହୋଇଛି, ତାହା ହେଲା ଅପ୍ରାସଙ୍ଗିକ ଭାବେ ଟ୍ରଂପଙ୍କ ଦ୍ବାରା ଭାରତ ବାରମ୍ବାର ଲାଂଛିତ, ଉପହସିତ ଓ ଭର୍ତ୍ସିତ ହେବା, ଯେଉଁ କ୍ରମରେ ସେ ଭାରତକୁ ଏକ ମୃତ ଅର୍ଥନୀତି ବୋଲି ମଧ୍ୟ କହି ସାରିଛନ୍ତି। ଏହାର କାରଣ ହେଲା ‘ଅପରେସନ ସିନ୍ଦୂର’କାଳୀନ ଭାରତ-ପାକିସ୍ତାନ ଯୁଦ୍ଧକୁ ସେ ହିଁ ବନ୍ଦ କରିଛନ୍ତି ବୋଲି ଦାବି ହେଉ କି ରୁଷିଆ ଠାରୁ ‌େତୖଳ ଖର୍ଦ୍ଦି ନ କରିବାକୁ ବାରଣ ହେଉ; ଭାରତ ସେ ସବୁକୁ ସ୍ବୀକାର କରୁ ନ ଥିବାରୁ ତାଙ୍କ ସ୍ଫୀତ ଅହମିକା ଆହତ ହୋଇଛି। ଏଥି ଲାଗି ଦଣ୍ଡ ସ୍ବରୂପ ସେ ଭାରତ ଉପରେ ସର୍ବାଧିକ ‘ଟାରିଫ’ କଷିଛନ୍ତି ଏବଂ ସୁଯୋଗ ପାଇଲା ମାତ୍ରକେ ଭାରତକୁ ଅପମାନିତ କରିବାରେ ବ୍ୟାପୃତ। ପ୍ରଶ୍ନ ଉଠିଥାଏ ଯେ ଏଭଳି ସ୍ଥଳେ ଭାରତ କିଭଳି ପ୍ରତିକ୍ରିୟା ପ୍ରଦର୍ଶନ କରିବ? ପ୍ରକାଶ ଥାଉ କି ମାକ୍ରନ ବା ରାମପୋସା ବା ଷ୍ଟାର୍ମର ଅପମାନିତ ହେଉଥିବା ବେଳେ ମୁଖ୍ୟତଃ ସଂଯମଶୀଳ ନିରବତା ପ୍ରଦର୍ଶନ କରିଛନ୍ତି; କେବଳ ଯାହା ଜେଲେନ୍‌ସ୍କି ଟ୍ରଂପଙ୍କ ସହିତ ଯୁକ୍ତି କରିବାକୁ ଆଗଭର ହୋଇଥିଲେ। କୂଟନୀତିଜ୍ଞମାନଙ୍କ ମତରେ ଭାରତ ବା ଫ୍ରାନ୍‌ସ ଅଥବା ଦକ୍ଷିଣ ଆଫ୍ରିକା କିମ୍ବା ଇଂଲାଣ୍ଡ; ସଭିଏଁ ହୃଦୟଙ୍ଗମ କରନ୍ତି ଯେ ଜଣେ ବ୍ୟକ୍ତି ଭାବେ ଟ୍ରଂପଙ୍କ ପ୍ରାଦୁର୍ଭାବ, ତାଙ୍କ କାର୍ଯ୍ୟ କାଳର ଅନ୍ତ ଘଟିବା ଯାଏ ବଳବତ୍ତର ରହିପାରେ, ଅର୍ଥାତ୍‌ ଆଉ ମାତ୍ର ତିନି ବର୍ଷ! କିନ୍ତୁ ଏକ ରାଷ୍ଟ୍ର ଭାବେ ଆମେରିକା ସହିତ ଗଢ଼ା ଯାଇଥିବା ବହୁ ପାକ୍ଷିକ ସଂପର୍କ ପଛରେ ବିନିଯୁକ୍ତ ହୋଇଥିବା ଶ୍ରମ ଓ ସମୟକୁ ଭାବପ୍ରବଣ ପ୍ରତିକ୍ରିୟା ଦ୍ବାରା ଆଘାତ ପହଞ୍ଚାଇବା ଆଦୌ ପରିପକ୍ବତାର ପରିଚାୟକ ହେବ ନାହିଁ। ସେମାନଙ୍କ ମତରେ ଯୁଦ୍ଧ ବିଧ୍ବସ୍ତ ୟୁକ୍ରେନ ନିକଟରେ ହରାଇବା ଲାଗି ଆଉ ବିଶେଷ କିଛି ଅବଶେଷ ନ ଥିବାରୁ ଜେଲେନ୍‌ସ୍କି ଏଭଳି ସାହସ ଦେଖାଇ ପାରିଲେ। ଦ୍ବିତୀୟରେ ଆମେରିକାରେ ପ୍ରବାସୀ ଭାରତୀୟଙ୍କ ସଂଖ୍ୟା ସର୍ବାଧିକ, ଯେଉଁମାନଙ୍କ ବୃହତ୍ତର ସ୍ବାର୍ଥ ସକାଶେ ଟ୍ରଂପଙ୍କ ଅହମିକାକୁ ଅଧିକ ଆଘାତ ପହଞ୍ଚାଇବା ମଧ୍ୟ ବିପଜ୍ଜନକ ହୋଇପାରେ।
ମନସ୍ତତ୍ତ୍ବବିତ୍‌ମାନେ କହିଥାଆନ୍ତି ଯେ ଟ୍ରଂପଙ୍କ ଆଚରଣ ସେହି ବଳୁଆ ଅଥଚ ଆତ୍ମପ୍ରତ୍ୟୟଶୂନ୍ୟ ଓ ହୀନମନା କିଶୋର ଭଳି ହୋଇଥାଏ, ଯିଏ କଥା କଥାକେ ବଳ ପ୍ରଦର୍ଶନ କରି ନିଜର ମହତ୍ତ୍ବ ପ୍ରତିପାଦନ କରିବାକୁ ଚାହିଁଥାଏ ଏବଂ ଦୁର୍ବଳମାନଙ୍କୁ ବିଶେଷ ଶରବ୍ୟ କରିଥାଏ। ଟ୍ରଂପଙ୍କ ଠାରେ ମଧ୍ୟ ସେହି ଭାବ ପରିଦୃଷ୍ଟ। ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ହୁଅନ୍ତୁ ବା ଭାରତ; ଅନେକ ଦୃଷ୍ଟିରୁ ଆମେରିକା ଉପରେ ଅତ୍ୟନ୍ତ ନିର୍ଭରଶୀଳ, ଯାହା ହେଉଛି ଦୁର୍ବଳତା। ଚୀନ କିନ୍ତୁ ଏହି ଦୁର୍ବଳତାରୁ ଊର୍ଦ୍ଧ୍ବକୁ ଉଠି ସାରିଛି, ଯେଉଁ କାରଣରୁ ଗଲା ଅକ୍‌ଟୋବର ମାସରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହିତ ସାକ୍ଷାତ କାଳରେ ଟ୍ରଂପଙ୍କ ବ୍ୟାକୁଳତା ସ୍ପଷ୍ଟ ବାରି ହୋଇ ପଡ଼ିଥିଲା। ତେଣୁ କୁହାଯାଇପାରେ ଯେ ଏକ ତଡ଼ିତ୍‌ ପ୍ରତିକ୍ରିୟା ପ୍ରଦର୍ଶନ ପରିବର୍ତ୍ତେ ଯାହା ଭାରତ ସକାଶେ ଅଧିକ ବାଂଛନୀୟ, ତାହା ହେଲା ନିଜକୁ ସଂପୂର୍ଣ୍ଣ ଆତ୍ମ ନିର୍ଭରଶୀଳ କରି ଗଢ଼ିବା ସହିତ ଅନ୍ୟ ଦେଶଗୁଡ଼ିକର ନିର୍ଭରତାର ପାତ୍ର ହେବା ଦିଗରେ ସଘନ ପ୍ରଚେଷ୍ଟା।

ଆମେରିକା ହେଉ କି ବାଂଲାଦେଶ ବା ନେପାଳ; ବୈଦେଶିକ ବ୍ୟାପାର ସଂଦର୍ଭରେ ପ୍ରଧାନମନ୍ତ୍ରୀ ପ୍ରାୟତଃ ନିରବତା ଅବଲମ୍ବନ କରିଥାଆନ୍ତି। ପ୍ରତିବାଦମାନ ଆନୁଷ୍ଠାନିକ ଭାବେ ବିଦେଶ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ହୋଇଥାଏ। ଏହାର ପଛରେ ହୁଏତ ଥାଇପାରେ ଏକ ପରିପକ୍ବ ବିଚାର! ଅହେତୁକ ବାଚନିକ ଆକ୍ରମଣର ଉତ୍ତର ଦାମ୍ଭିକ ନିରବତା ହେବାରେ କ୍ଷତି ନ ଥାଏ, କାରଣ ତହିଁରେ ନିହିତ ଥାଏ ଦୂରଦୃଷ୍ଟି। ଜାତିର ଜନକ ମହାତ୍ମା ଗାନ୍ଧୀ କହି ନ ଥିଲେ କି ଚକ୍ଷୁ ବଦଳରେ ଚକ୍ଷୁ, ସାରା ପୃଥିବୀକୁ ଦୃଷ୍ଟିହୀନ କରି ପକାଇବ? ପ୍ରତିଶୋଧ ବା ପ୍ରତ୍ୟୁତ୍ତର ବା ପ୍ରତିକ୍ରିୟାର ଉଚ୍ଚାଟରେ ବିଶେଷ ପ୍ରଜ୍ଞା ନ ଥାଏ, ବରଂ ଦିଶିପାରେ ନିର୍ବୋଧତା। ଅନ୍ୟ ଜଣେ ଭାରତୀୟ ଯୁଗ ପ୍ରବର୍ତ୍ତକ ଗୌତମ ବୁଦ୍ଧଙ୍କୁ ଏ ସଂଦର୍ଭରେ ପଚରା ଗଲେ ହୁଏତ ସେ କହନ୍ତେ ଯେ ଏହା ସଂସ୍କାରର ବିଷୟ; ଜଣକ ନିକଟରେ ଯେଉଁ ସଂସ୍କାର ବିଦ୍ୟମାନ; ସେ କେବଳ ତହିଁରୁ ହିଁ ଅନ୍ୟମାନଙ୍କୁ ଦେଇ ପାରିବେ; ତେଣୁ ଟ୍ରଂପଙ୍କ ଦ୍ବାରା ବ୍ୟଥିତ ହେବାର କାରଣ ନାହିଁ। ଏବଂ ସା‌ନ୍ତ୍ବନାର କଥା ହେଲା, ଉଭୟ ଗାନ୍ଧୀ ଓ ବୁଦ୍ଧ ଅନ୍ତତଃ ଭୟାଳୁ ନ ଥିଲେ!

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button