ଓଡିଶା

Mafia is active: ମାଫିଆ ସକ୍ରିୟ, ଖଣି ବିଭାଗ ନିଷ୍କ୍ରିୟ: ବାଗୁଡ଼ିରୁ ମାସିକ ୬ କୋଟିର ପଥର ଲୁଟ୍‌, ପୁଲିସ କ୍ୟାମ୍ପ ପ୍ରହସନ

ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ ଥିବା ବାଗୁଡ଼ି ପାହାଡ଼ରୁ ଖୁଲମ୍‌ଖୁଲା ପଥର ଲୁଟ୍‌ ଚାଲିଛି। ପଥର ମାଫିଆ ଏଠାରେ ବେଶ୍‌ ସକ୍ରିୟ ଥିବାବେଳେ ଖଣି ବିଭାଗ ନିଷ୍କ୍ରିୟ। ଏହି ପାହାଡ଼କୁ ଯାଇଥିବା ରାସ୍ତାରେ ପୁଲିସ କ୍ୟାମ୍ପ ମଧ୍ୟ ପ୍ରହସନରେ ପରିଣତ ହୋଇଛି।

ସୋର: ବାଲେଶ୍ବରଜିଲ୍ଲା ସୋର ଅଞ୍ଚଳରେ ଥିବା ବାଗୁଡ଼ି ପାହାଡ଼ରୁ ଖୁଲମ୍‌ଖୁଲା ପଥର ଲୁଟ୍‌ ଚାଲିଛି। ପଥର ମାଫିଆ ଏଠାରେ ବେଶ୍‌ ସକ୍ରିୟ ଥିବାବେଳେ ଖଣି ବିଭାଗ ନିଷ୍କ୍ରିୟ। ଏହି ପାହାଡ଼କୁ ଯାଇଥିବା ରାସ୍ତାରେ ପୁଲିସ କ୍ୟାମ୍ପ ମଧ୍ୟ ପ୍ରହସନରେ ପରିଣତ ହୋଇଛି। ଫଳରେ ଏଠାରୁ ମାସିକ ପ୍ରାୟ ୬ କୋଟି ଟଙ୍କାର ପଥର ଲୁଟ୍‌ ହେଉଛି। ସୂଚନା ଅନୁସାରେ; ବାଗୁଡ଼ି ପାହାଡ଼ରେ ୬୨ଟି ପଥର ଖାଦାନ ରହିଛି। ପରିବେଶ ସୁରକ୍ଷା ଓ ଅନ୍ୟ ବୈଧାନିକ କାରଣ ପାଇଁ ଖାଦାନଗୁଡ଼ିକୁ ନିଲାମ ଦିଆଯାଇ ନାହିଁ। ଏହାର ସୁଯୋଗ ନେଇ ପଥର ମାଫିଆ ଏଠାରୁ ପ୍ରତିଦିନ ପ୍ରାୟ ୬ ଶହରୁ ଅଧିକ ଟ୍ରିପ୍‌ ପଥର ଚୋରା ଚାଲାଣ କରୁଛନ୍ତି। ଯାହାର ମୂଲ୍ୟ ପାଖାପାଖି ୨୦ ଲକ୍ଷ ଟଙ୍କା ହେବ। ଏହି ହିସାବକୁ ନେଲେ ମାସକୁ ପ୍ରାୟ ୬ କୋଟି ଟଙ୍କାର ପଥର ଲୁଟ୍‌ କରାଯାଉଛି। ମାଫିଆ ମାଲାମାଲ୍‌ ହେଉଥିବା ବେଳେ ସରକାର ବିପୁଳ ରାଜସ୍ବ ହରାଉଛନ୍ତି।

ତେବେ ଖଣି ବିଭାଗର ଖାମଖିଆଲ ନୀତି ପାଇଁ ବାଗୁଡ଼ି ପାହାଡ଼ରେ ଏପରି ଚୋରା କାରବାର ଚାଲିଥିବା ଅଭିଯୋଗ ହେଉଛି। ଖଣି ବିଭାଗର କିଛି କର୍ମଚାରୀଙ୍କୁ ମାଫିଆମାନେ ହାତ କରି ଲୁଟ୍‌ରେ ମାତିଛନ୍ତି। ପଥର ଚୋରା ଚାଲାଣ ହେଉଥିବା ନେଇ ବିଭାଗୀୟ ଅଧିକାରୀମାନେ ଜାଣିଲେ ବି ଚଢ଼ଉ କରୁ ନାହାନ୍ତି। ପଚାରିଲେ କର୍ମଚାରୀ ଅଭାବ ଅଛନ୍ତି ବୋଲି ସଫେଇ ଦିଆଯାଉଛି। ଗତ ଡିସେମ୍ବର ୨ ତାରିଖ ଦିନ ବାଲେଶ୍ୱର ଜିଲ୍ଲାପାଳ ବାଗୁଡ଼ି ପାହାଡ଼ ପରିଦର୍ଶନ କରିବା ସହ ସଂପୃକ୍ତ ଅଞ୍ଚଳରେ ୧୬୩ ଧାରା ଜାରି କରିଥିଲେ। ପାହାଡ଼କୁ ଯାଇଥିବା ମୁଖ୍ୟରାସ୍ତାରେ ଏକ ପୁଲିସ କ୍ୟାମ୍ପ କରିଥିଲେ। ହେଲେ ଏସବୁର କିଛି ପ୍ରଭାବ ପଡ଼ିନି। କ୍ୟାମ୍ପ ରାସ୍ତାକୁ ଛାଡ଼ି ଅନ୍ୟ ରାସ୍ତା ଦେଇ ଟ୍ରକ୍‌ ଓ ଡମ୍ପର୍‌ ଦ୍ବାରା ଅହରହ ପଥର ଲୁଟ୍‌ ଚାଲିଛି। ଏନେଇ ବାଲେଶ୍ୱର ଖଣି ଅଧିକାରୀ ସନ୍ତୋଷୀପ୍ରଭା ସେଠୀଙ୍କୁ  ତାଙ୍କ ମୋବାଇଲ୍‌ ଫୋନ୍‌ରେ ଯୋଗାଯୋଗ ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳି ପାରିନି। ସୋର ଥାନାଧିକାରୀ ମୁକୁନ୍ଦ ମୁରାରୀ ପାତ୍ର କହିଛନ୍ତି, ବାଗୁଡ଼ି ପାହାଡ଼କୁ ଅନେକ ରାସ୍ତା ରହିଛି। ପୁଲିସ ପଥର ଚାଲାଣ ଉପରେ ନଜର ରଖୁଛି।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button