Supreme Court: ବୁଲାକୁକୁର ମାମଲା: କଠୋର ହେଲେ ସର୍ବୋଚ୍ଚ ଅଦାଲତ, ପ୍ରତ୍ୟେକ କାମୁଡ଼ା, ମୃତ୍ୟୁେର ରାଜ୍ୟ ଗଣିବ ମୋଟା ଅଙ୍କ
ସୁପ୍ରିମ୍କୋର୍ଟ ଆଜି ବୁଲାକୁକୁର ମାମଲାର ଶୁଣାଣି କରିବା ସମୟରେ ରାଜ୍ୟମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ବୁଲାକୁକୁର ଶିଶୁ ଓ ବୟସ୍କଙ୍କୁ କାମୁଡ଼ିବା ଫଳରେ ଅନେକ କ୍ଷେତ୍ରରେ ମୃତ୍ୟୁ ଏବଂ ଗୁରୁତର ଆହତ ହେବା ଭଳି ସମସ୍ୟା ଗମ୍ଭୀର ସ୍ଥିତି ସୃଷ୍ଟି କରୁଛି।

ନୂଆଦିଲ୍ଲୀ: ସୁପ୍ରିମ୍କୋର୍ଟ ଆଜି ବୁଲାକୁକୁର ମାମଲାର ଶୁଣାଣି କରିବା ସମୟରେ ରାଜ୍ୟମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ବୁଲାକୁକୁର ଶିଶୁ ଓ ବୟସ୍କଙ୍କୁ କାମୁଡ଼ିବା ଫଳରେ ଅନେକ କ୍ଷେତ୍ରରେ ମୃତ୍ୟୁ ଏବଂ ଗୁରୁତର ଆହତ ହେବା ଭଳି ସମସ୍ୟା ଗମ୍ଭୀର ସ୍ଥିତି ସୃଷ୍ଟି କରୁଛି। ଏହି ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟ କହିଛନ୍ତି, ପ୍ରତିଟି ବୁଲାକୁକୁର କାମୁଡ଼ା ପାଇଁ ଶିଶୁ ଓ ବୟସ୍କଙ୍କ ମୃତ୍ୟୁ ଘଟିଲେ ସରକାରଙ୍କୁ ଦାୟୀ କରାଯିବ। ପ୍ରତ୍ୟେକ ବୁଲାକୁକୁର କାମୁଡ଼ା ଓ ମୃତ୍ୟୁ ପାଇଁ ରାଜ୍ୟମାନଙ୍କୁ ମୋଟା ଅଙ୍କର କ୍ଷତିପୂରଣ ଦେବାକୁ ପଡ଼ିବ। ଏଥି ସହ ବୁଲାକୁକୁରଙ୍କୁ ଖାଇବାକୁ ଦେଉଥିବା ବ୍ୟକ୍ତି ଓ ସଂଗଠନ ଉପରେ ମଧ୍ୟ କୋର୍ଟ ବର୍ଷିଛନ୍ତି। କୋର୍ଟ କହିଛନ୍ତି, ବୁଲା କୁକୁରଙ୍କୁ ନିଜ ଘରକୁ ନେଇ ଖାଇବାକୁ ଦିଅ, ଅନ୍ୟମାନଙ୍କ ଜୀବନ ପ୍ରତି ବିପଦର କାରଣ ହୁଅନାହିଁ।
ଉଲ୍ଲେଖଯୋଗ୍ୟ, ବୁଲାକୁକୁର ଆକ୍ରମଣ ସହ ଜଡ଼ିତ ଏକ ମାମଲାର ଶୁଣାଣି ବେଳେ ସୁପ୍ରିମ୍କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। ରାସ୍ତାରେ ବୁଲାକୁକୁର କାମୁଡ଼ାରେ ଶିଶୁ ଓ ବୃଦ୍ଧଙ୍କ ମୃତ୍ୟୁ ହେଲେ କିମ୍ବା ସେମାନେ ଆହତ ହେଲେ କାହାକୁ ଦାୟୀ କରାଯିବା ଉଚିତ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଜଣେ ନଅ ବର୍ଷର ଶିଶୁର ମୃତ୍ୟୁ ବିଷୟରେ ଉଲ୍ଲେଖ କରି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି ଯେ, ଯେତେବେଳେ କୁକୁରପ୍ରେମୀ ସଂଗଠନ ଦ୍ୱାରା ଖାଇବାକୁ ଦିଆଯାଉଥିବା ବୁଲାକୁକୁର କାମୁଡ଼ାରେ ନଅବର୍ଷର ଶିଶୁର ମୃତ୍ୟୁ ହୁଏ ସେତେବେଳେ କାହାକୁ ଦାୟୀ କରାଯିବ? ଏ ପରିସ୍ଥିତିରେ କୋର୍ଟ ଆଖି ବନ୍ଦ କରିବା ଓ ଘଟଣା ଘଟିବାକୁ ଦେବା ଉଚିତ କି ? କୋର୍ଟ କହିଛନ୍ତି ଯେ, ଭାବନା କେବଳ କୁକୁରମାନଙ୍କ ପାଇଁ ଥିବା ପରି ମନେ ହେଉଛି, ମଣିଷ ପାଇଁ ନୁହେଁ। ମଣିଷ ଉପରେ ଆକ୍ରମଣ ସହ ଜଡ଼ିତ ଘଟଣାଗୁଡ଼ିକ ପ୍ରାୟତଃ ସମାନ ତତ୍ପରତା ସୃଷ୍ଟି କରିବାରେ ବିଫଳ ହେଉଛି। ଖଣ୍ଡପୀଠ ସୂଚାଇ ଦେଇଛନ୍ତି ଯେ, ଉତ୍ତରଦାୟିତ୍ୱ ପାଇଁ ଏକ କଠୋର ଢାଞ୍ଚା ସ୍ଥିର କରିବାକୁ ବିଚାର କରାଯାଉଛି। କୁକୁର କାମୁଡ଼ାରେ ମୃତ ଓ ଆହତ ମାମଲା ପାଇଁ ରାଜ୍ୟ ସରକାରମାନଙ୍କୁ ମୋଟା ଅଙ୍କର କ୍ଷତିପୂରଣ ଦେବାକୁ ପଡ଼ିବ।
‘ସେମାନଙ୍କୁ ଘରେ ଖାଇବାକୁ ଦିଅନ୍ତୁ’
ଖଣ୍ଡପୀଠ ଆହୁରି କହିଛନ୍ତି ଯେ, ଯଦି ଲୋକମାନେ କୁକୁରମାନଙ୍କୁ ଖାଇବାକୁ ଦେବାକୁ କିମ୍ବା ଯତ୍ନ ନେବାକୁ ଚାହାନ୍ତି, ତେବେ ସେମାନେ ନିଜ ଘରେ ବା ନିଜ ପରିସରରେ ଏହା କରିବା ଉଚିତ। ସେମାନଙ୍କୁ କାହିଁକି ବୁଲିବାକୁ ଓ ଉପଦ୍ରବ ସୃଷ୍ଟି କରିବାକୁ ଦିଆଯିବ? ପଶୁ କଲ୍ୟାଣ ଉପରେ ବିତର୍କରେ ଜନସାଧାରଣଙ୍କ ସୁରକ୍ଷାକୁ ଏଡ଼ାଇ ଦିଆଯାଇପାରିବ ନାହିଁ ବୋଲି କୋର୍ଟ ପୂର୍ବରୁ କହିଥିଲେ, ଏଥର ତା’ର ପୁନରାବୃତ୍ତି କରିଛନ୍ତି। ଜଷ୍ଟିସ୍ ବିକ୍ରମ ନାଥ, ଜଷ୍ଟିସ୍ ସନ୍ଦୀପ ମେହଟା ଓ ଜଷ୍ଟିସ୍ ଏନ୍ ଭି ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ବୁଲାକୁକୁର ମାମଲାର ଶୁଣାଣି କରୁଥିଲେ। ଜାନୁଆରି ୨୦ ତାରିଖରେ କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାଲିକାଭୁକ୍ତ କରିଛନ୍ତି।
ସୌଜନ୍ୟ ସମ୍ବାଦ




