ଖେଳ

IND vs NZ 1st Test: ବୁମରା ମ୍ୟାଜିକ୍‌…ହେନରୀ-ଫିଲିପ୍ସ ଶତକ, ପ୍ରଥମ ଇନିଂସରେ ୩୬୮ ରନ୍‌ରେ ଅଲ୍ଆଉଟ୍ ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ,୨୦/୧୧; ଘରୋଇ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଆରମ୍ଭ ହୋଇଛି ପ୍ରଥମ ଟେଷ୍ଟ । ସବୁଜ ଘାସ ଗାଲିଚା ସଦୃଶ ପିଚ୍ରେ ଭାରତ ପ୍ରାରମ୍ଭରୁ ଘାତକ ବୋଲିଂ କରି ପ୍ରାରମ୍ଭିକ ବିପର୍ଯ୍ୟୟ ଘଟାଇଥିଲେ ହେଁ ନ୍ୟୁଜିଲାଣ୍ଡ ଲଢୁଆ ପ୍ରତ୍ୟାବର୍ତ୍ତନ କରିଛି । ନ୍ୟୁଜିଲାଣ୍ଡ ପ୍ରଥମ ଦିବସରେ ୫/୨୪୩ ରନ ସଂଗ୍ରହ କରିଥିଲା । ଷ୍ଟମ୍ପ ଅପସାରଣ ସୁଦ୍ଧା ବାମ ହାତି ବ୍ୟାଟର ହେନରୀ ନିକୋଲ୍ସ ୧୧୩ ଓ ଗ୍ଲେନ ଫିଲିପ୍ସ ୯୪ ରନ କରି ଅପରାଜିତ ରହିଥିଲେ । ଆଜି ପୁଣି ଦ୍ୱିତୀୟ ଦିବସରେ ଖେଳ ଆରମ୍ଭ ହୋଇଥିଲା । ନ୍ୟୁଜିଲାଣ୍ଡ ୩୬୮ ରନ୍ କରି ଅଲଆଉଟ୍ ହୋଇଛି । ବୁମରାଙ୍କ ଘାତକ ବୋଲିଂ ଦେଖିବାକୁ ମିଳିଛି । ସେ ୪ଟି ୱିକେଟ୍ ଅକ୍ତିଆର କରିଛନ୍ତି । ଡବଲ ସେଞ୍ଚୁରୀରୁ ବଞ୍ଚିତ ହୋଇଛନ୍ତି ହେନରୀ ନିକୋଲ୍ସ । ସେ ୧୭୫ ରନ୍‌ରେ ଇନିଂସ ଖେଳି ଅପରାଜିତ ରହିଛନ୍ତି । ସେହିପରି ଗ୍ଲେନ୍ ଫିଲିପ୍ସ ୧୧୮ ରନ୍‌ରେ ଇନିଂସ ଖେଳି ଆକାଶ ଦୀପଙ୍କଙ୍କ ଶିକାର ହୋଇଛନ୍ତି । ୭୦/୫ ରନ୍‌ରୁ ନ୍ୟୁଜିଲାଣ୍ଡ ୩୬୮ରେ ପହଞ୍ଚିଗଲା । ନିକୋଲ୍ସ ଏବଂ ଫିଲିପ୍ସଙ୍କ ଚମକରେ ନ୍ୟୁଜିଲାଣ୍ଡ ଏତିକି ସ୍କୋର କରିବାରେ ସଫଳ ହୋଇଛି ।

ଗୁରୁବାର ସକାଳୁ ଟସ ଜିତି ଭାରତ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ଏକାଦଶରେ ମହମ୍ମଦ ସିରାଜ ଓ ରବିନ୍ଦ୍ର ଜାଡ଼େଜାଙ୍କୁ ସ୍ଥାନ ନ ମିଳିବା କ୍ରିକେଟ୍ ପ୍ରେମୀଙ୍କୁ ଚକିତ କରିଥିଲା । ସିରାଜଙ୍କ ସ୍ଥାନରେ ଖେଳୁଥିବା ଅଂଶୁଲ କାମ୍ବୋଜ ନୂଆ ବଲ୍ରେ ପ୍ରଭାବିତ କରିଥିଲେ ହେଁ ପୁରୁଣା ବଲ୍ରେ ଲୟ ହରାଇ ବସିଥିଲେ । ଫିଲ୍ଡିଂରେ ମଧ୍ୟ ଦୁର୍ବଳତା ଦେଖିବାକୁ ମିଳିଥିଲା । ଭାରତ ଏକାଧିକ କ୍ୟାଚ ହାତଛଡ଼ା କରିଥିଲା । ପ୍ରଥମ ଓଭର ବୋଲିଂ କରିବାକୁ ଆସି ଯଶପ୍ରୀତ ବୁମରା ତୃତୀୟ ବଲ୍ରେ ଟମ ଲାଥମ(୦)ଙ୍କୁ କ୍ଲିନ ବୋଲ୍ଡ କରିଥିଲେ । ଅନ୍ୟ ଓପନର ଡେଭନ କନୱେ(୪)ଙ୍କୁ ପାଭିଲିୟନ ପଠାଇଥିଲେ କାମ୍ବୋଜ । ପ୍ରଥମ ୱିକେଟ୍ର ପତନ ପରେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ନିକୋଲ୍ସ ସତର୍କତାର ସହ ଭାରତୀୟ ବୋଲରଙ୍କୁ ସାମ୍ନା କରି ୱିକେଟ୍ ବଞ୍ଚାଇଥିଲେ । ଅନ୍ୟ ପଟରେ ରଚିନ ରବିନ୍ଦ୍ର ମଧ୍ୟ ସଂଘର୍ଷ ଜାରି ରଖିଥିଲେ । ଦଳୀୟ ସ୍କୋର ୫୧ରେ ପହଞ୍ଚିଥିଲା ।

୨୦ତମ ଓଭର ବୋଲିଂ କରି ଯୋଡ଼ି ଭାଙ୍ଗିଥିଲେ ଆକାଶ ଦୀପ । ରବିନ୍ଦ୍ର ୧୫ ରନ କରି ଆଉଟ୍ ହୋଇଥିଲେ । ପରେ ପରେ ବୁମରା ଆଉ ୨ଟି ୱିକେଟ୍ ନେଇଥିଲେ । ଡାରିଲ ମିଚେଲ ୧ ଓ ଟମ ବ୍ଲଣ୍ଡେଲ ୫ ରନ କରି ପାଭିଲିୟନ ଫେରିଥିଲେ । ୭୦ ରନ୍ରେ ୫ଟି ୱିକେଟ୍ର ପତନ ପରେ ନ୍ୟୁଜିଲାଣ୍ଡ ସହଳ ଅଲ ଆଉଟ୍ ହେବାର ସମ୍ଭାବନା ଦେଖା ଦେଇଥିଲା । ହେଲେ ଫଳାଫଳ ଥିଲା ସମ୍ପୂର୍ଣ୍ଣ ଭିନ୍ନ । ନିକୋଲ୍ସ ଓ ଫିଲିପ୍ସ ସବୁ ଆକଳନକୁ ଭୁଲ ପ୍ରମାଣିତ କରିଥିଲେ । ଉଭୟ ସାହସର ସହ ଭାରତୀୟ ବୋଲିଂ ବାହିନୀକୁ ସାମ୍ନା କରିଥିଲେ । ଭାରତୀୟ ବୋଲରମାନେ ଏହି ଯୋଡ଼ି ଭାଙ୍ଗିବା ପାଇଁ ସବୁ ଶକ୍ତି ଲଗାଇ ଦେଇଥିଲେ । ହେଲେ କିଛି ଫଳ ମିଳି ନଥିଲା ।

 

 

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button