Aryan khan makes history: ଶାହରୁଖଙ୍କ ପରେ ଟାଇମ୍ କଭର୍ରେ ଆର୍ୟନ୍, ବିଶ୍ୱରେ ବଢ଼ିଲା ଜଲୱା!
ବାପା ବଲିଉଡ୍ର ବାଦଶାହ। ତାଙ୍କ ନାଁରେ ଦୁନିଆ ପାଗଳ। ଏବେ ସେହି ବାପାଙ୍କ ରାସ୍ତାରେ ନୁହେଁ, ବରଂ ନିଜ ଦମ୍ରେ ନିଜର ପରିଚୟ ତିଆରି କରୁଛନ୍ତି ପୁଅ। କଥା ହେଉଛି ଶାହରୁଖ ଖାନ୍ଙ୍କ ଲାଡ୍ଲା ଆର୍ୟନ୍ ଖାନ୍ଙ୍କ। ଅଭିନୟ ନୁହେଁ, ନିର୍ଦ୍ଦେଶନାରେ ନିଜର ଯାଦୁ ଦେଖାଇ ଏବେ ବିଶ୍ୱ ଦରବାରରେ ଚର୍ଚ୍ଚାକୁ ଆସିଛନ୍ତି ଆର୍ୟନ୍

ନୂଆଦିଲ୍ଲୀ: ବାପା ବଲିଉଡ୍ର ବାଦଶାହ। ତାଙ୍କ ନାଁରେ ଦୁନିଆ ପାଗଳ। ଏବେ ସେହି ବାପାଙ୍କ ରାସ୍ତାରେ ନୁହେଁ, ବରଂ ନିଜ ଦମ୍ରେ ନିଜର ପରିଚୟ ତିଆରି କରୁଛନ୍ତି ପୁଅ। କଥା ହେଉଛି ଶାହରୁଖ ଖାନ୍ଙ୍କ ଲାଡ୍ଲା ଆର୍ୟନ୍ ଖାନ୍ଙ୍କ। ଅଭିନୟ ନୁହେଁ, ନିର୍ଦ୍ଦେଶନାରେ ନିଜର ଯାଦୁ ଦେଖାଇ ଏବେ ବିଶ୍ୱ ଦରବାରରେ ଚର୍ଚ୍ଚାକୁ ଆସିଛନ୍ତି ଆର୍ୟନ୍। ଏମିତି ଏକ ବଡ଼ ସଫଳତା ହାସଲ କରିଛନ୍ତି, ଯାହାକୁ ନେଇ ଗର୍ବିତ ଶାହରୁଖଙ୍କ ପରିବାର ଓ ପ୍ରଶଂସକ। ପ୍ରସିଦ୍ଧ ଟାଇମ୍ ମ୍ୟାଗାଜିନ୍ର କଭର୍ ପେଜ୍ରେ ସ୍ଥାନ ପାଇଛନ୍ତି ଆର୍ୟନ୍ ଖାନ୍। ତାଙ୍କ ସହ ଭାରତୀୟ ଫିଲ୍ମ ନିର୍ମାତା ପାୟଲ କପାଡ଼ିଆ ଏବଂ ନାଗାଲାଣ୍ଡର ନିର୍ଦ୍ଦେଶକ ଥେଜା ରିଓଙ୍କୁ ମଧ୍ୟ ଏହି ବିଶେଷ ସ୍ଥାନ ମିଳିଛି। ଭାରତୀୟ ସିନେମାକୁ ନୂଆ ଦିଗ ଦେଉଥିବା ଏହି ତିନି ଜଣ ଫିଲ୍ମମେକର୍ଙ୍କ କାମକୁ ଟାଇମ୍ ମ୍ୟାଗାଜିନ୍ ନିଜର ସ୍ୱତନ୍ତ୍ର ତାଲିକାରେ ସ୍ଥାନ ଦେଇଛି।
୨୦୨୫ରେ ନେଟଫ୍ଲିକ୍ସରେ ରିଲିଜ୍ ହୋଇଥିବା ୱେବ୍ ସିରିଜ୍ ‘ଦ ବ୍ୟାଡ୍ସ ଅଫ୍ ବଲିଉଡ୍’ ଜରିଆରେ ନିର୍ଦ୍ଦେଶନା ଦୁନିଆରେ ପାଦ ଥାପିଥିଲେ ଆର୍ୟନ୍। ବଲିଉଡ୍ର ଚାକଚକ୍ୟ ପଛର କାହାଣୀ, ଫିଲ୍ମ ଇଣ୍ଡଷ୍ଟ୍ରିର ରାଜନୀତି ଓ ଷ୍ଟାର୍ଙ୍କ ଜୀବନକୁ ବ୍ୟଙ୍ଗାତ୍ମକ ଢଙ୍ଗରେ ଦେଖାଇଥିଲେ ସେ। ଏହି ସିରିଜ୍କୁ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳିବା ସହ ପୁରସ୍କାର ମଞ୍ଚରେ ମଧ୍ୟ ଚର୍ଚ୍ଚା ମିଳିଥିଲା। ଟାଇମ୍ ମ୍ୟାଗାଜିନ୍କୁ ଦେଇଥିବା ସାକ୍ଷାତକାରରେ ବାପା ଶାହରୁଖଙ୍କ ସହ ତୁଳନାକୁ ନେଇ ମଧ୍ୟ ମୁହଁ ଖୋଲିଛନ୍ତି ଆର୍ୟନ୍। ଶାହରୁଖଙ୍କ ସହ ତାଙ୍କର ତୁଳନା ହେବା ତାଙ୍କ ପାଇଁ କୌଣସି ଅସୁବିଧା ନୁହେଁ, ବରଂ ଏହାକୁ ସେ ପ୍ରଶଂସା ଭାବେ ଗ୍ରହଣ କରନ୍ତି ବୋଲି କହିଛନ୍ତି। ତାଙ୍କ ବାପା ହେଉଛନ୍ତି ନମ୍ବର ୱାନ୍। ଏପରିକି ଶାହରୁଖଙ୍କୁ ଜଣେ ‘ବିଷ୍ଟ’ ବୋଲି କହିଛନ୍ତି ଆର୍ୟନ୍। ଏବେ ସେ ‘ଦ ବ୍ୟାଡ୍ସ ଅଫ୍ ବଲିଉଡ୍’ର ଦ୍ୱିତୀୟ ସିଜିନ୍ ସହ ଅନ୍ୟ ଏକ ପ୍ରୋଜେକ୍ଟରେ କାମ କରୁଛନ୍ତି।
ସେପଟେ ପାୟଲ କପାଡ଼ିଆଙ୍କ ଫିଲ୍ମ ‘ଅଲ୍ ୱି ଇମାଜିନ୍ ଆଜ୍ ଲାଇଟ୍’ ୨୦୨୪ରେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଗ୍ରାଁ ପ୍ରି ପୁରସ୍କାର ଜିତିଥିଲା। ଅନ୍ୟପଟେ ଥେଜା ରିଓଙ୍କ ପ୍ରଥମ ଫିଲ୍ମ ‘ଅଙ୍ଗ୍’ ନାଗାଲାଣ୍ଡର କୋନ୍ୟାକ୍ ସମ୍ପ୍ରଦାୟର ଜୀବନ ଓ ସଂସ୍କୃତିକୁ ଦର୍ଶାଇଛି। ତେବେ ଏହି ସଫଳତା ସହ ଆର୍ୟନ୍ ପ୍ରମାଣ କରିଛନ୍ତି ଯେ, ତାଙ୍କ ପରିଚୟ କେବଳ ଶାହରୁଖ ଖାନ୍ଙ୍କ ପୁଅ ଭାବେ ସୀମିତ ନୁହେଁ। ନିଜ କାମ ଓ ପ୍ରତିଭା ବଳରେ ସେ ଗଢ଼ୁଛନ୍ତି ନିଜର ସ୍ୱତନ୍ତ୍ର ପରିଚୟ।
ସୌଜନ୍ୟ ସମ୍ବାଦ




