ଖେଳ

Ball Tampering: ୮ ବର୍ଷ ପରେ କୁହୁଳୁଛି ‘ସ୍ୟାଣ୍ଡପେପର ଗେଟ୍’ ବିବାଦ, ଖୱାଜା-ବାନକ୍ରାପ୍ଟଙ୍କ ଦାବିରେ କ’ଣ କହିଲେ କମିନ୍ସ ?

ନୂଆଦିଲ୍ଲୀ,୨୦/୧୧; ୨୦୧୮ ମସିହା ଦକ୍ଷିଣ ଆଫ୍ରିକା ଗସ୍ତରେ ଅଷ୍ଟ୍ରେଲିଆ ଖେଳାଳିଙ୍କ ବଲ୍ ଟାମ୍ପରିଂ ବା ‘ସ୍ୟାଣ୍ଡପେପର ଗେଟ୍’ ବିବାଦ ଦୀର୍ଘ ୮ ବର୍ଷ ପରେ ପୁଣି କୁହୁଳିବାରେ ଲାଗିଛି । ଆରୋପ ଓ ପ୍ରତ୍ୟାରୋପ ମଧ୍ୟରେ ଏହା ପୁଣି ଥରେ ଚର୍ଚ୍ଚାକୁ ଆସିଛି । ଉସମାନ ଖୱାଜା ନିଜ ଆତ୍ମଜୀବନୀ ପୁସ୍ତକରେ ଏବଂ କାମେରନ ବାନକ୍ରଫ୍ଟ ୪୦୦୦ ଶବ୍ଦ ସମ୍ବଳିତ ନିଜର ଲେଖାରେ ଏହା ସ୍ୱୀକାର କରିଛନ୍ତି ଯେ, ‘ବଲ ଟାମ୍ପରିଂ’ ଯୋଜନା ସଂପର୍କରେ ଦଳର ସମସ୍ତ ଖେଳାଳି ଏବଂ ଷ୍ଟାଫ୍ମାନେ ଜାଣିଥିଲେ । କିନ୍ତୁ ଏହାକୁ ସଂପୂର୍ଣ୍ଣ ଅସ୍ୱୀକାର କରିଛନ୍ତି ବର୍ତ୍ତମାନର ଅଧିନାୟକ ପାଟ୍ କମିନ୍ସ ।

୨୦୧୮ ମାର୍ଚ୍ଚ ୨୪ ତାରିଖରେ କ୍ୟାପଟାଉନରେ ତୃତୀୟ ଟେଷ୍ଟ ଚାଲିଥିବାବେଳେ ଟିଭି ପରଦାରେ ବଲର ଗୋଟିଏ ପାଶ୍ୱର୍କୁ ବାଲି କାଗଜରେ ଘସୁ ଥିବାର ବାନକ୍ରଫ୍ଟ ଧରା ପଡ଼ିଥିଲେ । ଏହି ଘଟଣାରେ ସିରିଜରେ ଦଳର ନେତୃତ୍ୱ ନେଉଥିବା ଷ୍ଟିଭେନ ସ୍ମିଥ୍ ୧୨ ମାସ, ଉପ ଅଧିନାୟକ ଷ୍ଟିଭେନ ସ୍ମିଥ୍ ୧୨ ମାସ ଓ ବାନକ୍ରଫ୍ଟ ୯ ମାସ ବାସନ୍ଦ ହୋଇଥିଲେ । ମୁଖ୍ୟ କୋଚ ଡାରେନ ଲେହମାନଙ୍କୁ ପଦ ହରାଇବାକୁ ପଡ଼ିଥିଲା । ଚଳିତ ମାସରେ ଖୱାଜା ଆତ୍ମଜୀବନୀ ପୁସ୍ତକ ‘ସବର: ଫାଇଣ୍ଡିଂ ମାଇଁ ୱେ ଇନ୍ କ୍ରିକେଟ୍ ଏଣ୍ଡ ଲାଇଫ୍’ରେ ଲେଖିଛନ୍ତି ଯେ, ‘କେବଳ ତୃତୀୟ ଟେଷ୍ଟରେ ନୁହେଁ, ପୂର୍ବ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ବଲ ଟାମ୍ପରିଂ ହୋଇଥିଲା । ବଲରେ ବାଲି କାଗଜ ବ୍ୟବହାର କରାଯାଇଥିଲା । ଏ ବିଷୟରେ ଦଳର ସମସ୍ତ ଖେଳାଳି, କୋଚ ଏବଂ ସପୋର୍ଟ ଷ୍ଟାଫ୍ମାନେ ଜାଣିଥିଲେ ।’ ବାନକ୍ରଫ୍ଟ ମଧ୍ୟ ଏ କଥା ସ୍ୱୀକାର କରିଛନ୍ତି ।

ବର୍ତ୍ତମାନର ଅଧିନାୟକ କମିନ୍ସଙ୍କ ମ୍ୟାନେଜର ନିଲ ମ୍ୟାକ୍ସୱେଲ ଗଣମାଧ୍ୟମକୁ କହିଛନ୍ତି, ‘ବଲ ଟାମ୍ପରିଂ ବିଷୟରେ କମିନ୍ସ କିଛି ଜାଣି ନଥିଲେ । ୮ ବର୍ଷ ବିତି ଯାଇଛି, କିନ୍ତୁ ତାଙ୍କ ମତ ପରିବର୍ତ୍ତନ ହୋଇନି । ସେ ପୂର୍ବ ଭଳି ନିଜ ମତରେ ଦୃଢ଼ ରହିଛନ୍ତି । ବାନକ୍ରଫ୍ଟ ଓ ଖୱାଜା ଯାହା କହୁଛନ୍ତି, ସେଥିରେ ଆଦୌ ସତ୍ୟତା ନାହିଁ ।’ ବାନକ୍ରଫ୍ଟ ଲେଖିଛନ୍ତି, ‘ଦକ୍ଷିଣ ଆଫ୍ରିକାରେ ମୁଁ ବଲ୍ ଉପରେ ବାଲି କାଗଜ ବ୍ୟବହାର କରିଥିବା ବିଷୟରେ କେବଳ ଆମେ ୩ ଜଣ – ଷ୍ଟିଭ୍ ସ୍ମିଥ୍, ଡେଭିଡ୍ ୱାର୍ଣ୍ଣର ଏବଂ ମୁଁ – ଜାଣି ନଥିଲୁ, ବରଂ ସମ୍ପୂର୍ଣ୍ଣ ଦଳ ଏ ବିଷୟରେ ଜାଣିଥିଲା । କ୍ରିକେଟ୍ ଅଷ୍ଟ୍ରେଲିଆର ତଦନ୍ତ ସମୟରେ ଯେତେବେଳେ ମୋତେ ପଚରାଉଚରା କରାଗଲା, ସେତେବେଳେ ମୁଁ ସମ୍ପୂର୍ଣ୍ଣ ଓ ସତ୍ୟ ବିବରଣୀ ଦେଇ ନଥିଲି । ମୋତେ ପଚରାଗଲା ଯେ ମୁଁ ଏହି କାର୍ଯ୍ୟ କରିପାରିବି କି ନାହିଁ । ମୁଁ ଅସହଜ ଏବଂ ଆପତ୍ତିଜନକ ଅନୁଭବ କରୁଥିଲି । ମୁଁ ଜାଣିଥିଲି ଏହା ଭୁଲ । ମୁଁ ଜାଣିଥିଲି ଯେ ବାଲି କାଗଜ ବ୍ୟବହାର କରିବା କେବଳ କ୍ରିକେଟର ନିୟମର ଉଲ୍ଲଂଘନ ନଥିଲା ବରଂ ଏହା ଧୋକା ଥିଲା ।’

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button