4 Friends Death accident ବିହାରର ମଧେପୁରାରେ ସଡ଼କ ଦୁର୍ଘଟଣା: ଚାଲିଗଲା ୪ ସାଙ୍ଗଙ୍କ ଜୀବନ

ପାଟନା: ବିହାରର ମଧେପୁରାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଶନିବାର ସକାଳେ ୪ ଜଣ ଲୋକଙ୍କର ମତ୍ୟୁ ହୋଇଛି। ଜାତୀୟ ରାଜପଥ -୧୦୬ରେ ଥିବା ପାୱାର ଗ୍ରୀଡ ନିକଟରେ ଦ୍ରୁତଗତିରେ ଆସୁଥିବା ଏକ ହାଇୱା ଟ୍ରକ୍‌ ଏକ କାର୍‌କୁ ଧକ୍କା ଦେଇଥିଲା। ଦୁର୍ଘଟଣାର ପ୍ରଭାବ ଏତେ ଭୟଙ୍କର ଥିଲା ଯେ କାର୍‌ଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗିରୁଜି ଯାଇଥିଲା ଏବଂ ସ୍ଥାନୀୟ ଲୋକ ଏବଂ ପୁଲିସ କାର୍‌ରେ ଫସି ରହିଥିବା ମୃତଦେହଗୁଡ଼ିକୁ ବାହାର କରିଥିଲେ।

ଚତୁର୍ଥ ମୃତକଙ୍କ ପରିଚୟ ମିଳିପାରିନି

ସୂଚନା ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। କିନ୍ତୁ ସେତେବେଳକୁ କାରରେ ଥିବା ସମସ୍ତ ଲୋକଙ୍କର ମୃତ୍ୟୁ ହୋଇସାରିଥିଲା ‌ବୋଲି ପୁଲିସ କହିଛି। ପୁଲିସ ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ କରିବା ପାଇଁ ଜିଲ୍ଲା ହସ୍ପିଟାଲକୁ ପଠାଇଛି। ମୃତକମାନେ ସୋନୁ କୁମାର (୩୫), ସାହିଲ କୁମାର ରାଜ୍‌ (୩୨), ସଜନ କୁମାର ଯାଦବ (୨୮) ବୋଲି ଜଣାପଡ଼ିଛି। ଚତୁର୍ଥ ମୃତକଙ୍କ ପରିଚୟ ମିଳିପାରିନି।

 

ଚାରିଜଣ ଯାକ ବନ୍ଧୁ ହୋଇଥିବାବେଳେ ମଧେପୁରା ସହରର ଏକ ନର୍ସିଂହୋମରୁ ଫେରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ। ସୋନୁ ଏକ ପୁତ୍ର ସନ୍ତାନର ବାପା ହୋଇଥିବା ଖୁସିରେ ଶୁକ୍ରବାର ୪ ଜଣ ବନ୍ଧୁ ନର୍ସିଂହୋମକୁ ବୁଲିବାକୁ ଯାଇଥିଲେ। ଶନିବାର ସେମାନେ ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଅନ୍ୟ ଜଣେ ପରିଚିତ ଲୋକଙ୍କୁ ଭେଟିବାକୁ ଯାଇଥିବାବେଳେ ଦୁର୍ଘଟଣାରେ ସେମାନଙ୍କର ମୃତ୍ୟୁ ହୋଇଥିଲା। ଷ୍ଟେସନ ହାଉସ୍‌ ଅଫିସର ବିମଳେନ୍ଦୁ କୁମାର କହିଛନ୍ତି, ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଆମ୍ବୁଲାନ୍ସକୁ ଘଟଣାସ୍ଥଳକୁ ଡକାଯାଇଥିଲା। କିନ୍ତୁ ସେ‌ତେବେଳକୁ ସମସ୍ତଙ୍କର ମୃତ୍ୟୁ ହୋଇସାରିଥିଲା। ଦୁର୍ଘଟଣା ଘଟାଇବା ପରେ ଟ୍ରକ୍‌ ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲା। ପୁଲିସ ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ ଖୋଜୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରାଯାଇଛି।

ସୌଜନ୍ୟ ସମ୍ବାଦ