Trump’s Tariff Strike: ଟ୍ରମ୍ପଙ୍କ ଶୁଳ୍କ ପ୍ରହାର: ୟୁରୋପୀୟ ସଂଘର ଜୋର୍‌ଦାର ବିରୋଧ

ପ୍ୟାରିସ୍‌: ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ସର୍ବଶେଷ ଶୁଳ୍କ ଧମକକୁ ୟୁରୋପୀୟ ନେତାମାନେ ସମାଲୋଚନା କରିଛନ୍ତି। ସେମାନେ ଚେତାବନୀ ଦେଇଛନ୍ତି ଯେ ଗ୍ରିନ୍‌ଲାଣ୍ଡକୁ ନେଇ ବାଣିଜ୍ୟ ଜରିମାନା ଲାଗୁ କରିବା ଭୁଲ ଏବଂ ଟ୍ରାନ୍ସଆଟଲାଣ୍ଟିକ ସମ୍ପର୍କକୁ ଏହା କ୍ଷତି ପହଞ୍ଚାଇପାରେ। ଗ୍ରିନ୍‌ଲାଣ୍ଡର ସମର୍ଥକ ଡେନମାର୍କ, ନରୱେ, ସ୍ୱିଡେନ୍, ଫ୍ରାନ୍‌ସ, ଜର୍ମାନୀ, ବ୍ରିଟେନ, ନେଦରଲ୍ୟାଣ୍ଡ ଓ ଫିନ୍‌ଲ୍ୟାଣ୍ଡରୁ ଆମେରିକାରେ ପ୍ରବେଶ କରୁଥିବା ସମସ୍ତ ସାମଗ୍ରୀ ଉପରେ ୧୦% ଶୁଳ୍କ ଲାଗୁ କରିବାକୁ ଟ୍ରମ୍ପ ଶନିବାର ଘୋଷଣା କରିଛନ୍ତି। ଏହି ଧମକ ପରେ ୟୁରୋପର ନେତାମାନେ କହିଛନ୍ତି ଯେ ଗ୍ରିନ୍‌ଲାଣ୍ଡର ଭବିଷ୍ୟତକୁ ଅର୍ଥନୈତିକ ଚାପ ମାଧ୍ୟମରେ ନିୟନ୍ତ୍ରଣ କରାଯାଇପାରିବ ନାହିଁ ଏବଂ ଆର୍କଟିକ୍‌ରେ ସୁରକ୍ଷା ସହଯୋଗକୁ ବାଣିଜ୍ୟ ବିବାଦରେ ପରିଣତ କରାଯିବା ଉଚିତ ନୁହେଁ। ବ୍ରିଟିସ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ ‘ଏକ୍ସ’ରେ କହିଛନ୍ତି ଯେ ଗ୍ରିନ୍‌ଲାଣ୍ଡର ସ୍ଥିତି ବାହ୍ୟ ହସ୍ତକ୍ଷେପ ପାଇଁ ଖୋଲା ନାହିଁ ଏବଂ ନାଟୋ ସହଯୋଗୀଙ୍କ ବିରୋଧରେ ଶୁଳ୍କ ବ୍ୟବହାରକୁ ସେ ସମାଲୋଚନା କରିଛନ୍ତି।  ସେ କହିଛନ୍ତି,
ଗ୍ରିନ୍‌ଲାଣ୍ଡ ଉପରେ ଆମର ଆଭିମୁଖ୍ୟ ଅତ୍ୟନ୍ତ ସ୍ପଷ୍ଟ। ଏହା ଡେନମାର୍କର ଏକ ଅଂଶ। ସହଯୋଗୀମାନେ ଆର୍କଟିକ୍‌ର ବିଭିନ୍ନ ଭାଗରେ ରୁଷ୍‌ ବିପଦର ମୁକାବିଲା ପାଇଁ ମିଳିତ ଭାବରେ ଅଧିକ କାର୍ଯ୍ୟ କରିବା ଉଚିତ।

ଫ୍ରାନ୍‌ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍‌ କହିଛନ୍ତି ଯେ ଫ୍ରାନ୍‌ସର ବୈଦେଶିକ ନୀତି ସାର୍ବଭୌମତ୍ୱ ଓ ସ୍ୱାଧୀନତା ରକ୍ଷା ଉପରେ ଆଧାରିତ ଏବଂ ୟୁରୋପ ଧମକ ଆଗରେ ମୁଣ୍ଡ ନୁଆଁଇବ ନାହିଁ।  ସ୍ୱିଡେନର ପ୍ରଧାନମନ୍ତ୍ରୀ ଉଲ୍‌ଫ କ୍ରିଷ୍ଟରସନ୍ ମଧ୍ୟ ଶୁଳ୍କକୁ ସମାଲୋଚନା କରି କହିଛନ୍ତି, ଷ୍ଟକହୋମ୍ ‘ବ୍ଲାକ୍‌ମେଲ’ କୌଶଳକୁ ଗ୍ରହଣ କରିବ ନାହିଁ। ମିଳିତ ୟୁରୋପୀୟ ପ୍ରତିକ୍ରିୟା ପାଇଁ ସେ ଆହ୍ବାନ କରିଛନ୍ତି। ଗ୍ରିନ୍‌ଲାଣ୍ଡ ପ୍ରସଙ୍ଗରେ କେବଳ ଡେନମାର୍କ ଓ ଗ୍ରିନଲାଣ୍ଡ ନିଷ୍ପତ୍ତି ନେବା ଉଚିତ ବୋଲି ସେ କହିଛନ୍ତି।

ୟୁରୋପୀୟ ପରିଷଦର ସଭାପତି ଆଣ୍ଟୋନିଓ କୋଷ୍ଟା କହିଛନ୍ତି ଯେ ୟୁରୋପ ଏବଂ ବ୍ୟାପକ ଅନ୍ତର୍ଜାତୀୟ ସମ୍ପ୍ରଦାୟ ଆଞ୍ଚଳିକ ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ରକ୍ଷା କରିବା ଆବଶ୍ୟକ। ୟୁରୋପୀୟ ସଂଘ ଡେନମାର୍କ ଓ ଗ୍ରିନ୍‌ଲାଣ୍ଡର ଲୋକଙ୍କ ସହ ଛିଡ଼ା ହୋଇଛି ଏବଂ ଶୁଳ୍କ ଟ୍ରାନ୍ସଆଟଲାଣ୍ଟିକ୍ ସମ୍ପର୍କକୁ ଦୁର୍ବଳ କରିବ ବୋଲି ସେ କହିଛନ୍ତି। ଜର୍ମାନୀରେ ୟୁରୋପୀୟ ସଂସଦ ସଦସ୍ୟ ମାନଫ୍ରେଡ୍ ୱେବର ଚେତାବନୀ ଦେଇଛନ୍ତି ଯେ ଟ୍ରମ୍ପଙ୍କ ଆଭିମୁଖ୍ୟ ଗତବର୍ଷ ସହମତି ପ୍ରକାଶ ପାଇଥିବା ୟୁରୋପୀୟ ସଂଘ-ଆମେରିକା ବାଣିଜ୍ୟ ଚୁକ୍ତିର ଅଗ୍ରଗତିକୁ ବାଧା ଉପୁଜାଇପାରେ।

ସୌଜନ୍ୟ ସମ୍ବାଦ