ତୁଷାରପାତ କାଳ ସଙ୍କୁଚିତ କରି ଏବଂ କାଲୁଆ ଥଣ୍ଡାକୁ ଆହୁରି ଉତ୍ତରାଞ୍ଚଳ ଆଡ଼କୁ ଠେଲି ସମ୍ପ୍ରତି ଶୀତ ଋତୁରେ ଉତ୍ତାପ ପ୍ରଖର ବେଗରେ ବୃଦ୍ଧି ପାଉଥିବା କଥା ବୈଜ୍ଞାନିକମାନେ ଚେତାଇ ଦେଲେଣି। ସେମାନଙ୍କ କଥା ଯେ ସତ ତାହା ଇଟାଲୀୟ ନଗରୀ ମିଲାନ୍ ଓ କୋର୍ଟିନା ଡାମ୍ପେଜ୍ଜୋରେ ବାରିହୋଇ ପଡ଼ିଲାଣି।
ଏଥର ଶୀତକାଳୀନ ଅଲିମ୍ପିକ୍ ଖେଳ ଆୟୋଜନ କରୁଥିବା ଇଟାଲି ପାଇଁ ସବୁଠୁ ବଡ଼ ଅସୁବିଧା ହେଉଛି କ୍ରମଶଃ ବିଶ୍ବରୁ ଅପସରି ଯାଉଥିବା ଶୀତ ଋତୁ। ଜଳବାୟୁ ପରିବର୍ତ୍ତନଜନିତ ଏ ଅସୁବିଧା ଏବେ ଶୀତକାଳୀନ ଅଲିମ୍ପିକ୍ସ କେଉଁ ସ୍ଥାନରେ ଆୟୋଜନ କରାଯାଇ ପାରିବ, କେମିତି ଆୟୋଜନ କରାଯାଇପାରିବ ଏବଂ ଏ ବିଶ୍ବ କ୍ରୀଡ଼ା ନିମନ୍ତେ ଆବଶ୍ୟକ ପ୍ରାକୃତିକ ତୁଷାର ଯଥେଷ୍ଟ କି ନାହିଁ ତା’ର ରୂପରେଖ ପୁନଃନିର୍ଦ୍ଧାରଣ କରୁଛି।

