ବର୍ତ୍ତମାନ ସେ ଓଡ଼ିଶା ‘କ୍ଲାଇମେଟ୍ ଆକ୍ସନ୍ ଟିମ୍’ର ନେତୃତ୍ୱ ନେଉଛନ୍ତି। ୟୁନିସେଫ୍, ୟୁଏନ୍ଇପି, ଡବ୍ଲୁଡବ୍ଲୁଏଫ୍, ସାତ୍ତ୍ୱିକ ସୋଲ୍ ଫାଉଣ୍ଡେସନ୍, ଏନ୍ୱାଇସିସି, ମେରି ଲାଇଫ୍, ଭାରତ ସରକାରଙ୍କ ଭଳି ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ଅନୁଷ୍ଠାନ ସହିତ ଉତ୍ସାହର ସହିତ କାର୍ଯ୍ୟ କରୁଛନ୍ତି। ବିଭିନ୍ନ ସାମାଜିକ ଓ ପରିବେଶଗତ ଅଭିଯାନରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ସମ୍ପ୍ରତି ସେ ଅନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘ (ଆୟୁସିଏନ୍) ଦ୍ୱାରା ଭାରତର ଜଣେ ଯୁବ ପରିବର୍ତ୍ତନକାରୀ ଭାବରେ ମନୋନୀତ ହୋଇଛନ୍ତି। ଏହାଛଡ଼ା ଆବୁଧାବିରେ ଅନୁଷ୍ଠିତ ଆୟୁସିଏନ୍ ବିଶ୍ୱ ସଂରକ୍ଷଣ କଂଗ୍ରେସ ୨୦୨୫ରେ ଭାରତର ଅଭିନବ ମଡେଲକୁ ପ୍ରତିନିଧିତ୍ୱ କରିଛନ୍ତି ଶିବାନୀ।
ଉଚ୍ଚ ଶିକ୍ଷା ଲାଭ ପରେ କୌଣସି ବଡ଼ କମ୍ପାନିରେ ଚାକିରି କରିବା ପରିବର୍ତ୍ତେ ପରିବେଶ ପାଇଁ କାର୍ଯ୍ୟ କରିବାକୁ ସ୍ଥିର କଲେ ଶିବାନୀ ପାଢ଼ୀ। ଗୋଟାଏ ପରେ ଗୋଟାଏ ପରିବେଶ ଉପଯୋଗୀ କାର୍ଯ୍ୟ କରି ସେ ପାଲଟିଛନ୍ତି ପ୍ରେରଣାର ଉତ୍ସ। ବ୍ରହ୍ମପୁରର ଏହି ଯୁବତୀ ଜଣକ ଏମ୍ସିଏ ପାଠ ପଢ଼ିବା ପରେ, ଅର୍ଜିତ ଶିକ୍ଷାକୁ ଜନକଲ୍ୟାଣ ଦିଗରେ ବିନିଯୋଗ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ୨୩ ବର୍ଷୀୟା ଶିବାନୀ ପ୍ରଥମେ ଜଳାଶୟକୁ ପ୍ଲାଷ୍ଟିକ୍ମୁକ୍ତ କରିବା ଓ ପରିବେଶ ପ୍ରଦୂଷଣକୁ ରୋକିବା ଉଦ୍ଦେଶ୍ୟରେ ନିଜର ସ୍ବେଚ୍ଛାସେବୀ ଯାତ୍ରା ଆରମ୍ଭ କରିଥିଲେ। ପରେ ଆଧୁନିକ ଶିକ୍ଷାର ଉପଯୋଗ କରି କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଓ ମେସିନ୍ ଲର୍ଣ୍ଣିଂ ବଳରେ ରୋବଟ୍ ସାହାଯ୍ୟରେ ବିଭିନ୍ନ ଜଳାଶୟରୁ ପ୍ରଦୂଷଣ ହ୍ରାସ କରିବା ଦିଗରେ କାର୍ଯ୍ୟ କରୁଛନ୍ତି।
