
ଲରେନ୍ସଭିଲ: ଆମେରିକାର ଜର୍ଜିଆର ଲରେନ୍ସଭିଲ୍ ସହରରେ ଏକ ପାରିବାରିକ ବିବାଦକୁ ନେଇ ଚାରି ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତକଙ୍କ ମଧ୍ୟରେ ଜଣେ ଭାରତୀୟ ନାଗରିକ ମଧ୍ୟ ଅଛନ୍ତି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଘଟଣା ସମୟରେ ତିନି ଜଣ ପିଲା ଘର ଭିତରେ ଥିଲେ। ପିଲାମାନେ ଏକ ଆଲମାରୀ ଭିତରେ ଲୁଚି ରହି ପୁଲିସକୁ ଖବର ଦେଇ ନିଜ ଜୀବନ ବଞ୍ଚାଇଥିଲେ।
ଦୁଃଖ ପ୍ରକାଶ କଲା ଭାରତୀୟ ଦୂତାବାସ
ଜର୍ଜିଆର ଆଟଲାଣ୍ଟାରେ ଥିବା ଭାରତୀୟ ଦୂତାବାସ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରି ସୋସିଆଲ ମିଡିଆ ଏକ୍ସରେ ଲେଖିଛି, “ପାରିବାରିକ ବିବାଦ ସହିତ ଜଡିତ ଏହି ଦୁଃଖଦ ଗୁଳିକାଣ୍ଡ ଘଟଣାରେ ଆମେ ଗଭୀର ଦୁଃଖିତ। ଏଥିରେ ଜଣେ ଭାରତୀୟ ନାଗରିକଙ୍କ ଜୀବନ ଯାଇଛି। ଅଭିଯୁକ୍ତ ଗୁଳିକାଣ୍ଡକାରୀଙ୍କୁ ଗିରଫ କରାଯାଇଛି। ପୀଡିତଙ୍କ ପରିବାରକୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯାଉଛି। ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଆଟଲାଣ୍ଟାର ବିଜୟ କୁମାର (୫୧) ଭାବରେ ଚିହ୍ନଟ କରାଯାଇଛି। ଗ୍ୱିନେଟ୍ କାଉଣ୍ଟି ପୂଲିସ ଅନୁଯାୟୀ ମୃତକମାନଙ୍କୁ ବିଜୟ କୁମାରଙ୍କ ପତ୍ନୀ ମିମୁ ଡୋଗରା (୪୩), ଗୌରବ କୁମାର (୩୩), ନିଧି ଚନ୍ଦର (୩୭) ଓ ହରିଶ ଚନ୍ଦର (୩୮) ଭାବେ ଚିହ୍ନଟ କରାଯାଇଛି।
ରିପୋର୍ଟରେ କୁହାଯାଇଛି, ସନ୍ଦିଗ୍ଧ ବ୍ୟକ୍ତିଙ୍କ ବିରୋଧରେ ଚାରି ଗୁରୁତର ଆକ୍ରମଣ, ଚାରି ହତ୍ୟା ଅଭିଯୋଗ ହୋଇଛି।ପୁଲିସ ଅଧିକାରୀ କହିଛନ୍ତି, ଗୁଳିକାଣ୍ଡ ସମୟରେ ତିନି ଜଣ ପିଲା ସେଠାରେ ଥିଲେ। ନିଜକୁ ବଞ୍ଚାଇବା ପାଇଁ ପିଲାମାନେ ଏକ ଆଲମାରୀ ଭିତରେ ଲୁଚି ରହିଥିଲେ। ପିଲାମାନଙ୍କ ମଧ୍ୟରୁ ଜଣେ ୯୧୧ କୁ କଲ୍ କରିବାରେ ସଫଳ ହୋଇଥିଲେ। ସୂଚନା ପାଇ ପୁଲିସ କିଛି ମିନିଟ୍ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚିଥିଲା। ପିଲାମାନେ ସୁରକ୍ଷିତ ଅଛନ୍ତି।
ସୌଜନ୍ୟ ସମ୍ବାଦ



