Cricket: ବାତିଲ ହୋଇ ନପାରେ ଭାରତ-ପାକିସ୍ତାନ ମ୍ୟାଚ୍
ବାଂଲାଦେଶକୁ ହାତ ବାରିସି କରି ଭାରତକୁ ଏକଘରିକିଆ କରିବାକୁ ଯୋଜନା କରିଥିଲା ପାକିସ୍ତାନ। କୁଟନୈତିକ ମନାନ୍ତରକୁ କ୍ରିକେଟ୍ ପଡ଼ିଆ ଭିତରକୁ ପ୍ରବେଶ କରାଇ ଭାରତ ବିପକ୍ଷରେ ବିଶ୍ବକପ୍ ମ୍ୟାଚ୍ ଖେଳିବ ନାହିଁ ବୋଲି କହିଥିଲା।

ଲହୋର: ବାଂଲାଦେଶକୁ ହାତ ବାରିସି କରି ଭାରତକୁ ଏକଘରିକିଆ କରିବାକୁ ଯୋଜନା କରିଥିଲା ପାକିସ୍ତାନ। କୁଟନୈତିକ ମନାନ୍ତରକୁ କ୍ରିକେଟ୍ ପଡ଼ିଆ ଭିତରକୁ ପ୍ରବେଶ କରାଇ ଭାରତ ବିପକ୍ଷରେ ବିଶ୍ବକପ୍ ମ୍ୟାଚ୍ ଖେଳିବ ନାହିଁ ବୋଲି କହିଥିଲା। ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଯେଉଁ ଘୋଷଣା କରିବା କଥା ସେକଥା ପାକିସ୍ତାନ ସରକାର ଟ୍ବିଟ୍ ଜରିଆରେ ଘୋଷଣା କରିଥିଲେ। ଆଇସିସିି ଛାଟ ପରେ କିନ୍ତୁ ପିସିବି ପୂରା ସାବାଡ଼ ହୋଇଯାଇଛି।
ଭାରତ ବିପକ୍ଷ ମ୍ୟାଚ୍ ଖେଳିବାକୁ ବିଭିନ୍ନ ସର୍ତ୍ତ ରଖୁଥିବା ପିସିବି ମୁଖ୍ୟ ମୋହସିନ ନକଭୀ ଲାହୋରଠାରେ ବାଂଲାଦେଶ କ୍ରିକେଟ୍ ବୋର୍ଡ ମୁଖ୍ୟ ଅମିନୁଲ ଇସଲାମ, ଆଇସିସି ଉପାଧ୍ୟକ୍ଷ ତଥା ଏହି ମାମଲାର ମଧ୍ୟସ୍ତିି ଇମ୍ରାନ ଖୱାଜା, ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ସଂଯୋଗ ଗୁପ୍ତାଙ୍କ ସହ ଆଲୋଚନା କରିବା ପରେ ନିଜ ଅଭିମୁଖ୍ୟରେ ନରମ ଭାବ ପୋଷଣ କରିଛନ୍ତି। ଖୱାଜା ଓ ଇସ୍ଲାମଙ୍କ ଗସ୍ତ ପରେ ତାଙ୍କ ରାଗ ତରଳି ଯାଇଥିବା ଏକ ସାକ୍ଷାତ୍କାର ଅବସରରେ କହିଛନ୍ତି। ତା’ ସହିତ ବିଶ୍ବକପ୍ର ଭାରତ ବିପକ୍ଷ ମ୍ୟାଚ୍ ଖେଳିବା ଜିଦ୍ ଛାଡ଼ି ମାତ୍ର ଦୁଇ ଦିନ ଭିତରେ ଏହି ମାମଲାରେ ୟୁଟର୍ଣ୍ଣ ନେବାର ସଙ୍କେତ ଦେଇଛନ୍ତି। କହିଛନ୍ତି, ଯେତେବେଳେ ଜଣେ ଅତିଥି ଆସନ୍ତି, ସେତେବେଳେ ଅନେକ କିଛି ଭୁଲିବାକୁ ପଡ଼ିଥାଏ। ସେହିଭଳି ଖୁବ୍ଶୀଘ୍ର ପିସିବି ଏଥିନେଇ ଆନୁଷ୍ଠାନିକ ବୟାନ ଜାରି କରିବ ବୋଲି କହିଛନ୍ତି। ସେପଟେ କଲମ୍ବୋରେ ମ୍ୟାଚ୍ ଖେଳିବାକୁ ପ୍ରସ୍ତୁତ ହେଉଥିବା ପାକିସ୍ତାନ ଦଳର ସଲମାନ ମିର୍ଜା ମଧ୍ୟ ନିଜ ଦଳର ଇଚ୍ଛାକୁ ସର୍ବସମ୍ମୁଖରେ ପ୍ରକାଶ କରିଛନ୍ତି। ଆମେ ଭାରତ ସହ ସବୁ ଦଳ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ପ୍ରସ୍ତୁତ ଅଛୁ ବୋଲି ସେ କହିଛନ୍ତି। ପୂର୍ବରୁ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଏକ ପତ୍ର ଲେଖି ନିଜ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ପିସିବିକୁ ଅନୁରୋଧ କରିଥିଲା।
ସେହିଭଳି ସୋମବାର ଏହି ମାମଲାରେ ଏମିରେଟ୍ସ କ୍ରିକେଟ୍ ବୋର୍ଡ ମଧ୍ୟ ଝାସ ଦେଇଛି। ଅତୀତରେ କରିଥିବା ସାହାଯ୍ୟର ଦ୍ବାହି ଦେଇ ଭାରତ ବିପକ୍ଷ ମ୍ୟାଚ୍କୁ ବର୍ଜନ ନ କରିବାକୁ ନକ୍ଭୀଙ୍କୁ ଆହ୍ବାନ କରିଛି। ଇତିମଧ୍ୟରେ ପିସିବି ଓ ଆଇସିସି ପ୍ରତିନିଧି ଦଳ ଭିତରେ ହୋଇଥିବା ଗୁରୁତ୍ବପୂର୍ଣ୍ଣ ବୈଠକର କିଛି କଥା ବାହାରେ ପ୍ରଘଟ ହୋଇଛି। ଏହି ବୈଠକରେ ଭାରତ ବିପକ୍ଷରେ ଖେଳିବାକୁ ରଖିଥିବା ତିନିଟି ଯାକ ସର୍ତ୍ତକୁ ଆଇସିସି ଅଗ୍ରାହ୍ୟ କରି ଦେଇଥିବା ଜଣାପଡ଼ିଛି। ପିସିବି ରଖିଥିବା ସର୍ତ୍ତଗୁଡ଼ିକ ମଧ୍ୟରେ ଥିଲା, ପାକିସ୍ତାନ ସହ ଦ୍ବିପାକ୍ଷିକ ଶୃଙ୍ଖଳା ଖେଳିବାକୁ ଭାରତକୁ କହିବା, ଭାରତ-ପାକିସ୍ତାନ ଓ ବାଂଲାଦେଶକୁ ନେଇ ଏକ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା ଆୟୋଜନ କରିବା ଏବଂ ବର୍ଷ ଶେଷ ଆଡ଼କୁ ବାଂଲାଦେଶ ଗସ୍ତ କରିବାକୁ ଭାରତକୁ ରାଜି କରିବା ପ୍ରମୁଖ ଅର୍ନ୍ତଭୁକ୍ତ ଥିଲା।
ତେବେ ଦ୍ବିପାକ୍ଷିକ ଶୃଙ୍ଖଳା ଖେଳିବାକୁ କୌଣସି ଦେଶକୁ କହିପାରିବ ନାହିଁ ବୋଲି କହି ଆଇସିସି ଏସମସ୍ତ ସର୍ତ୍ତକୁ ଖାରଜ କରି ଦେଇଥିଲା। ତେବେ ବିଶ୍ବକପ୍ରୁ ଓହରି ଯାଇଥିବାରୁ ବାଂଲାଦେଶ ଉପରେ କୌଣସି ଜରିମାନା ଲାଗୁ କରିବ ନାହିଁ ବୋଲି ଏହି ଅବସରରେ ଆଇସିିିସି ପୁଣି ଥରେ ଦୋହରାଇଥିଲା। ତେବେ ସବୁକିଛି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ୍ଙ୍କ ନିଷ୍ପତ୍ତି ଉପରେ ନିର୍ଭର କରିବ ବୋଲି କହି ନକ୍ଭୀ ଆଉ ଏକ ପେଞ୍ଚ ପୂରାଇଛନ୍ତି। ବାଂଲାଦେଶକୁ ସମର୍ଥନ କରି ଭାରତ ବିପକ୍ଷରେ ପାକିସ୍ତାନ ଖେଳିବ ନାହିଁ ବୋଲି ଶରିଫ ଶନିବାର ଘୋଷଣା କରିଥିଲେ।
ସୌଜନ୍ୟ ସମ୍ବାଦ




