ଖେଳ

Asian Para Games: ଏସୀୟ ପାରା କ୍ରୀଡ଼ାର ପଦକ ପୂର୍ବାନୁମାନକୁ ନେଇ ବିବାଦ: ପୂର୍ବତନ ମୁଖ୍ୟ ପ୍ରଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ପ୍ରମୋଦ

ଏସୀୟ ପାରା କ୍ରୀଡ଼ାର ପୁରୁଷ ବ୍ୟାଡମିଣ୍ଟନ୍‌ ଫାଇନାଲ୍‌ ପୂର୍ବରୁ ଭାରତର ପଦକ ସଂଖ୍ୟା ନେଇ ସର୍ବସାଧାରଣରେ ପୂର୍ବାନୁମାନ କରିବାକୁ ନେଇ ବିବାଦ ଦେଖାଦେଇଛି। ଏହି ଘଟଣାରେ ଭାରତୀୟ ଦଳର ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ....

ନୂଆଦିଲ୍ଲୀ: ଏସୀୟ ପାରା କ୍ରୀଡ଼ାର ପୁରୁଷ ବ୍ୟାଡମିଣ୍ଟନ୍‌ ଫାଇନାଲ୍‌ ପୂର୍ବରୁ ଭାରତର ପଦକ ସଂଖ୍ୟା ନେଇ ସର୍ବସାଧାରଣରେ ପୂର୍ବାନୁମାନ କରିବାକୁ ନେଇ ବିବାଦ ଦେଖାଦେଇଛି। ଏହି ଘଟଣାରେ ଭାରତୀୟ ଦଳର ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ଗୌରବ ଖାନ୍ନାଙ୍କ ବିରୋଧରେ ତଦନ୍ତ ସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଟୋକିଓ ପାରାଲିମ୍ପିକ୍ସ ବିଜେତା ପ୍ରମୋଦ ଭଗତ। ଖାନ୍ନା ଫାଇନାଲ୍‌ର ଦିନକ ପୂର୍ବରୁ ସାମାଜିକ ଗଣମାଧ୍ୟମରେ ଭାରତୀୟ ପାରା ବ୍ୟାଡମିଣ୍ଟନ୍‌ ଦଳ ୧୬ଟି ପଦକ ଜିତିବ ବୋଲି ଆକଳନ କରିଥିଲେ। ଏଥିରେ ୨ଟି ସ୍ୱର୍ଣ୍ଣ, ୬ଟି ରୌପ୍ୟ ଓ ୮ଟି କାଂସ୍ୟ ପଦକ ରହିଥିଲା। ଶେଷରେ ଭାରତ ମୋଟ ୧୬ଟି ପଦକ ଜିତିଥିଲେ ମଧ୍ୟ ୩ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଓ ୮ଟି କାଂସ୍ୟ ପଦକ ହାସଲ କରିଥିଲା। ବିବାଦ ପରେ ଖାନ୍ନା ନିଜ ପୋଷ୍ଟକୁ ହଟାଇ ଦେଇଥିଲେ।

ନିଜ ଅଭିଯୋଗ ଫର୍ଦ୍ଦରେ ପ୍ରମୋଦ କହିଛନ୍ତି, ଏକ ବଡ଼ ଅନ୍ତର୍ଜାତୀୟ ପ୍ରତିଯୋଗିତା ଶେଷ ହେବା ପୂର୍ବରୁ ଖେଳାଳିଙ୍କ ପ୍ରଦର୍ଶନ ଓ ପଦକ ସଂଖ୍ୟା ନେଇ ଏଭଳି ସାର୍ବଜନୀନ ମନ୍ତବ୍ୟ ଦେବା ଅଣପେସାଦାର ଓ ଅନୈତିକ ଆଭିମୁଖ୍ୟକୁ ଦର୍ଶାଉଛି। ଏହା ଖେଳାଳିଙ୍କ ଉପରେ ଅଯଥା ମାନସିକ ଚାପ ସୃଷ୍ଟି କରିବା ସହ ସେମାନଙ୍କ ପ୍ରଦର୍ଶନ ସମ୍ପର୍କରେ ଜନମତକୁ ପ୍ରଭାବିତ କରିପାରେ। ସୂଚନାଯୋଗ୍ୟ ଯେ ପୁରୁଷ ଏକକ ଏସ୍‌ଏଲ୍‌-୩ ଫାଇନାଲ୍‌ରେ ପ୍ରମୋଦ ରୌପ୍ୟ ପଦକ ଜିତିବେ ବୋଲି ଖାନ୍ନା ପୂର୍ବାନୁମାନ କରିଥିଲେ। ଶେଷରେ ପ୍ରମୋଦ ଭାରତୀୟ ଖେଳାଳି ନୀତେଶ କୁମାରଙ୍କଠାରୁ ହାରି ରୌପ୍ୟ ପଦକ ପାଇଥିଲେ। ତେବେ ପ୍ରମୋଦଙ୍କ ମତରେ, ପ୍ରତ୍ୟେକ ମ୍ୟାଚ୍‌ ଅଲଗା ଏବଂ ଶେଷ ପଏଣ୍ଟ ଖେଳାଯିବା ପର୍ଯ୍ୟନ୍ତ ଫଳାଫଳ ନିଶ୍ଚିତ ନୁହେଁ। ଏହି ଘଟଣାକୁ ନେଇ ଖେଳାଳିମାନେ କ୍ରୀଡ଼ା ମନ୍ତ୍ରଣାଳୟ, ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଏବଂ ଭାରତୀୟ ବ୍ୟାଡମିଣ୍ଟନ୍‌ ସଂଘ (ବିଏଆଇ) ନିକଟରେ ଅଭିଯୋଗ କରିଛନ୍ତି। ଏହାର ଆନୁଷ୍ଠାନିକ ତଦନ୍ତ ସହ ଉପଯୁକ୍ତ ଶୃଙ୍ଖଳାଗତ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି। ଭାରତୀୟ ପାରା ବ୍ୟାଡମିଣ୍ଟନ୍‌ ଅଧ୍ୟକ୍ଷ କେ. ପ୍ରଭାକର ରାଓ ମଧ୍ୟ ଏହି ପୋଷ୍ଟକୁ ସମାଲୋଚନା କରିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button