Breaking News

‘ଅପରେସନ ଲୋଟସ୍‌’ ନେଇ ହାଇଡ୍ରାମା

ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ଆସନ୍ତାକାଲି (ଶନିବାର) ଘୋଷଣା ହେବାକୁ ଥିବାବେଳେ ଏହାର ଅବ୍ୟବହିତ ପୂର୍ବରୁ ଆଜି ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ‘ଅପରେସନ ଲୋଟସ୍‌’ ଅଭିଯୋଗ ଆଣି ହଇଚଇ ସୃଷ୍ଟି କରିଛନ୍ତି।

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ଆସନ୍ତାକାଲି (ଶନିବାର) ଘୋଷଣା ହେବାକୁ ଥିବାବେଳେ ଏହାର ଅବ୍ୟବହିତ ପୂର୍ବରୁ ଆଜି ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ‘ଅପରେସନ ଲୋଟସ୍‌’ ଅଭିଯୋଗ  ଆଣି ହଇଚଇ ସୃଷ୍ଟି କରିଛନ୍ତି। ଏହାକୁ ନେଇ ଆଜି ହାଇଡ୍ରାମା ଦେଖିବାକୁ ମିଳିଛି ଏବଂ ଏସିବି (ଦୁର୍ନୀତି ନିବାରଣ ବ୍ୟୁରୋ)  କେଜ୍ରିୱାଲଙ୍କୁ ନୋଟିସ୍‌ କରି  ବିଜେପି ବିରୋଧରେ ତାଙ୍କ ଦୁର୍ନୀତି ଅଭିଯୋଗ ସଂକ୍ରାନ୍ତ ପ୍ରମାଣ ମାଗିଛି। କେଜ୍ରିୱାଲ ଏବଂ ଅନ୍ୟ ଆପ୍‌ ନେତାମାନେ ବିଜେପି ବିରୋଧରେ  ‌ଯେଉଁ  ଅଭିଯୋଗ କରିଛନ୍ତି ସେଥିପାଇଁ ନୋଟିସ୍‌ ଜାରି ହୋଇଛି। ବିଜେପି ଆପ୍‌ ବିଧାୟକମାନଙ୍କୁ ଟଙ୍କା ଦେଇ କିଣିବା ପାଇଁ ଉଦ୍ୟମ କରୁଛି ବୋଲି କେଜ୍ରିୱାଲ ଏବଂ ଅନ୍ୟ ଆପ୍‌ ନେତାମାନେ ଦାବି କରିଛନ୍ତି। ତେବେ ଏସିବି ଏହାର ନୋଟିସରେ ଦର୍ଶାଇଛି ଯେ ବିଜେପି ଆପ୍‌ର ଯେଉଁ ୧୬ ବିଧାୟକଙ୍କୁ ୧୫‌ କୋଟି ଟଙ୍କା ଲାଞ୍ଚ ଦେଇ ଦଳ ବଦଳ କରିବାପାଇଁ ପ୍ରସ୍ତାବ ଦେଇଛି ବୋଲି ଆପ୍‌ ଅଭିଯୋଗ କରିଛି, ଆପ୍‌ ସୁପ୍ରିମୋ ସେହି ୧୬ ବିଧାୟକଙ୍କ ନାଁ ଦାଖଲ କରନ୍ତୁ।

ଯେଉଁମାନେ ଏହି ଆପ୍‌ ବିଧାୟକମାନଙ୍କୁ ଯୋଗାଯୋଗ କରିଛନ୍ତି ସେମାନଙ୍କ କଣ୍ଟାକ୍ଟ ନମ୍ବର ଏବଂ ଅନ୍ୟାନ୍ୟ ବିସ୍ତୃତ ତଥ୍ୟ ଦୁର୍ନୀତି ନିବାରଣ ବ୍ୟୁରୋ ମାଗିଛି।  ସେହିପରି ଫୋନ୍‌ କଲ୍‌ ପାଇଥିବା ୧୬ ଆପ୍‌ ବିଧାୟକଙ୍କ ସଂକ୍ରାନ୍ତ‌ରେ ମଧ୍ୟ ତଥ୍ୟ ଦେବାପାଇଁ ନୋଟିସ୍‌ରେ କୁହାଯାଇଛି।   କେଜ୍ରିୱାଲଙ୍କୁ  କୁହାଯାଇଛି ଯେ ଆପଣ ଏବଂ ଆପଣଙ୍କ ଦଳର ସଦସ୍ୟମାନେ ବିଭିନ୍ନ ସୋସିଆଲ ମିଡିଆ ମଞ୍ଚରେ କରିଥିବା ଦୁର୍ନୀତି ଅଭିଯୋଗ ନେଇ  ପ୍ରମାଣ ଦାଖଲ କରନ୍ତୁ। ଉଲ୍ଳେଖଯୋଗ୍ୟ,ବିଜେପି ବିରୋଧରେ ଆସିଥିବା ଆପ୍‌ର ‘ଅପରେସନ୍‌ ଲୋଟସ୍‌’ ଅଭିଯୋଗର ତଦନ୍ତ କରିବାପାଇଁ ଦିଲ୍ଲୀ ଉପରାଜ୍ୟପାଳ ଭି ‌କେ ସାକ୍ସେନା ନିର୍ଦ୍ଦେଶ ଦେବାପରେ ଏବିସି ଏହି ମାମଲାରେ ତଦନ୍ତ ଆରମ୍ଭ କରିଛି।  ଅନ୍ୟପକ୍ଷରେ କେଜ୍ରିୱାଲଙ୍କ ଏଭଳି ଅଭିଯୋଗକୁ ବରିଷ୍ଠ କଂଗ୍ରେସ ନେତା ସନ୍ଦିପ ଦୀକ୍ଷିତ ହାସ୍ୟାସ୍ପଦ ବୋଲି କହିବା ସହ  ଏଭଳି ବିଭ୍ରାନ୍ତି ହିଁ କେଜ୍ରିୱାଲଙ୍କ ରାଜନୀତିର ଅଂଶ ବୋଲି କହିଛନ୍ତି।

ଆଜି  କେଜ୍ରିୱାଲଙ୍କ ବାସଭବନ ବାହା‌ରେ ହାଇଡ୍ରାମା ଦେଖିବାକୁ ମିଳିଥିଲା। ବିଜେପି ବିରୋଧରେ କେଜ୍ରିୱାଲ ଆଣିଥିବା ଦୁର୍ନୀତି ଅଭିଯୋଗନେଇ  ତାଙ୍କୁ ଜେରା କରିବାପାଇଁ ଏବିସି ଟିମ୍‌ ପହଞ୍ଚିଥିବା ବେଳେ ସେମାନଙ୍କୁ ବାସଭବନକୁ ପ୍ରବେଶ ଅନୁମତି ମିଳିଲାନି।    କେଜ୍ରିୱାଲଙ୍କୁ ପ୍ରତିନିଧିତ୍ବ କରୁଥିବା ଜଣେ ଆଇନଜୀବୀ କହିଛନ୍ତି,  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଏସିବି ପାଖରେ କୌଣସି କ୍ଷମତା ନାହିଁ। ସେମାନଙ୍କ ପାଖରେ କୌଣସି କାଗଜପତ୍ର ନାହିଁ। ଏସବୁ କେବଳ ରାଜନୈତିକ ଡ୍ରାମା ସୃଷ୍ଟି କରିବାପାଇଁ ବିଜେପିର ଏକ ଷଡ୍‌ଯନ୍ତ୍ର। ଅନ୍ୟପକ୍ଷରେ ଏଭଳି ଅଭିଯୋଗର ଯାଞ୍ଚ ପାଇଁ ପ୍ରଶ୍ନ କରାଯିବା ନିମନ୍ତେ କୌଣସି ଅନୁମୋଦନ ଆବଶ୍ୟକ ନାହିଁ ବୋଲି ଏସିବି କହିଛି। ଉଲ୍ଲେଖଯୋଗ୍ୟ,   ଆପ୍‌ ସୁପ୍ରିମୋ  କେଜ୍ରିୱାଲ ତାଙ୍କ ଦଳର ୧୬ ଜଣ ବିଧାୟକଙ୍କୁ ୧୫ କୋଟି  ଏବଂ ମନ୍ତ୍ରୀପଦ ଅଫର୍‌ ଦିଆଯାଇଥିବା ଅଭିଯୋଗ କରିଥିଲେ।  ତେବେ ଏନେଇ ଦିଲ୍ଲୀ ବିଜେପି ସମ୍ପାଦକ ବିଷ୍ଣୁ ମିତ୍ତଲ ଆପ୍‌ ବିରୋଧରେ ଅଭିଯୋଗ କରିବା ପରେ ଉପରାଜ୍ୟପାଳ ଉକ୍ତ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଇତିମଧ୍ୟରେ ଜାଣିବାକୁ ମିଳିଛି ଯେ ଏସିବି ଏହି ମାମଲାର ତଦନ୍ତ ପାଇଁ ଏକ ୩ ଜଣିଆ ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଛି।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.