ଓଡ଼ିଶା କାମରେ ଲାଗିପାରୁନି ବଂଶଧାରା ପାଣି: ଆନ୍ଧ୍ରପ୍ରଦେଶ ପାଣି ନେଉଛି, ବାଲି ଲୁଟୁଛି
ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ଜୀବନରେଖା ବଂଶଧାରା ନଦୀ। କିନ୍ତୁ ନଦୀର ସୁରକ୍ଷା ସହ ଜଳ ପରିଚାଳନାରେ ଓଡ଼ିଶା ବିଫଳ। ଅନ୍ୟପଟେ ବୋହି ଯାଉଥିବା ପାଣିକୁ ଉଚିତ ବିନିଯୋଗ କରୁଛି ଆନ୍ଧ୍ର। କେବଳ ପାଣି ବ୍ୟବହାର କରୁନି ଓଡ଼ିଶାରୁ ବାଲି ମଧ୍ୟ ଲୁଟିବାରେ ଲାଗିଛି। କିଛି ଦିନ ତଳେ ଖଣି, ଇସ୍ପାତ୍ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ରାୟଗଡ଼ା ଗସ୍ତରେ ଆସି ବଂଶଧାରା ନଦୀର ଅବସ୍ଥା ଦେଖି ଉଦ୍ବେଗ ପ୍ରକାଶ କରିଥିଲେ। ଏହାପରେ କୌଣସି ପଦକ୍ଷେପ ନେଇନାହାନ୍ତି। ସେହିପରି ଜିଲ୍ଲାର ନିର୍ବାଚିତ ଜନପ୍ରତିନିଧି ବିଧାନସଭାରେ ପ୍ରଶ୍ନ ପଚାରି ନିଜ ଦାୟିତ୍ବ ସାରି ଦେଉଛନ୍ତି। ସରକାର ବଂଶଧାରା ଜଳ ବ୍ୟବହାର ପାଇଁ ବାରମ୍ବାର ଯୋଜନା ପ୍ରସ୍ତୁତ କରିଥିଲେ ସୁଦ୍ଧା ତାହା ପ୍ରସ୍ତାବରେ ଅଟକି ଯାଉଛି।
ତତ୍କାଳୀନ କେନ୍ଦ୍ର ଜଳସେଚନ ଯନ୍ତ୍ରୀ କେ.ଏଲ୍. ରାଓଙ୍କ ମଧ୍ୟସ୍ଥତାରେ ୧୯୬୧ରେ ତତ୍କାଳୀନ ଓଡ଼ିଶା ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ନୀଲମ ସଂଜୀବ ରେଡ୍ଡି ବୈଠକ କରିଥିଲେ। ବଂଶଧାରା ପାଣିକୁ ୫୦-୫୦ ପ୍ରତିଶତ ବ୍ୟବହାର କରିବାକୁ ଚୁକ୍ତି ହୋଇଥିଲା। ଏହାପରେ ଆନ୍ଧ୍ର ସରକାର ହୀରମଣ୍ଡଳମ ଠାରେ ଗୋଟା ବ୍ୟାରେଜ୍ ନିର୍ମାଣ ଆରମ୍ଭ କରି ୧୯୭୨ ମସିହାରେ ସଂପୂର୍ଣ୍ଣ କରିଥିଲେ। ଏହି ପ୍ରକଳ୍ପ ଯୋଗୁଁ ଲକ୍ଷାଧିକ ଏକର ଚାଷ ଜମି ବର୍ତ୍ତମାନ ଜଳସେଚିତ ହେଉଛି। ଅପରପକ୍ଷରେ ଓଡ଼ିଶା ସରକାର ଗୁଡ଼ାରୀ ବ୍ଲକର ଉପରମୁଣ୍ଡରେ ପାଣିଡଙ୍ଗର ବ୍ୟାରେଜ୍ ନିର୍ମାଣ କରିବାକୁ ସ୍ଥିର କରି ଏଯାଏଁ ଚୁପ୍ ରହିଛନ୍ତି। ସେହିପରି ୨୦୦୬ ମସିହାରେ ବଂଶଧାରା ନଦୀ ସହ ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ନଦୀ ସଂଯୋଗୀକରଣ ଯୋଜନା ମଧ୍ୟ ଭିତ୍ତିପ୍ରସ୍ତରରେ ସୀମିତ। କେବଳ ଗୋଟା ବ୍ୟାରେଜ୍ ନୁହଁ, ଗୁଣପୁର ଠାରୁ ମାତ୍ର ୧୦କିମି ଦୂର ନେରେଡ଼ି ଠାରେ ଦ୍ବିତୀୟ ବ୍ୟାରେଜ୍ ନିର୍ମାଣ କରିବାକୁ ଆନ୍ଧ୍ର ଆଗଭର ହୋଇଥିଲେ। ୧୯୮୦ ମସିହାରେ ତତ୍କାଳୀନ କେନ୍ଦ୍ର ସରକାରଙ୍କ ଉପରେ ଏହି ପ୍ରକଳ୍ପ ନିମନ୍ତେ ଆନ୍ଧ୍ର ଚାପ ପକାଇଥିଲା। ତେବେ ଏହି ପ୍ରକଳ୍ପ ଯୋଗୁ ଗୁଣପୁର ଏବଂ କାଶୀନଗର ଅଞ୍ଚଳ ବୁଡ଼ିଯିବାର ସମ୍ଭାବନା ରହିଥିବାରୁ ଓଡ଼ିଶାରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଶେଷରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପ୍ରୟାସ ଯୋଗୁ ଆନ୍ଧ୍ରର ପ୍ରକଳ୍ପ ଆଗେଇ ପାରିନଥିଲା।
ଓଡ଼ିଶା ପ୍ରକଳ୍ପ ନିର୍ମାଣରେ ପଛରେ ପଡ଼ିଥିବାରୁ ୨୦୦୩ ମସିହାରେ ତତ୍କାଳୀନ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ରାଜଶେଖର ରେଡ୍ଡି ୯୫୦କୋଟି ଟଙ୍କା ବ୍ୟୟରେ ନେରେଡ଼ି ନିକଟସ୍ଥ କାଟ୍ରାଗାଡ଼ାରେ ନୂଆ ପ୍ରକଳ୍ପ ନିର୍ମାଣ ଆରମ୍ଭ କରି ୩ବର୍ଷରେ ୬୦ପ୍ରତିଶତ କାମ ସାରିଦେଲେ। ୨୦୦୬ ମସିହା ଫେବ୍ରୁଆରି ମାସରେ ଓଡ଼ିଶା ସରକାର ଏହି ପ୍ରକଳ୍ପକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କାଟ୍ରାଗାଡ଼ା ପ୍ରକଳ୍ପକୁ ବିଫଳ କରିବାକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଂଶଧାରା-ଋଷିକୂଲ୍ୟା ନଦୀ ସଂଯୋଗୀକରଣ ପ୍ରକଳ୍ପ ପାଇଁ ଯୋଜନା କରିଥିଲେ। ରାୟଗଡ଼ା ଓ ଗଞ୍ଜାମ ଜିଲ୍ଲାର ହଜାର ହଜାର ଚାଷ ଜମିକୁ ଜଳସେଚନ, ବନ୍ୟା ନିୟନ୍ତ୍ରଣ ସହ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ନିମନ୍ତେ ଏହି ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା। ଏଥିପାଇଁ ୨୦୦୬ରେ ଗୁଡ଼ାରୀ ଠାରେ ବଂଶଧାରା-ଋଷିକୁଲ୍ୟା ନାଁରେ ଏକ ସର୍ଭେ ଅଫିସକୁ ତତ୍କାଳୀନ ଜଳସେଚନ ରାଷ୍ଟ୍ର ମନ୍ତ୍ରୀ ରବିନାରାୟଣ ନନ୍ଦ ଉଦ୍ଘାଟନ କରିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ପ୍ରକଳ୍ପ ବାସ୍ତବ ରୂପ ନେଇପାରିନି। ଏହାରି ମଧ୍ୟରେ କେନ୍ଦ୍ରୀୟ ଟ୍ରିବ୍ୟୁନାଲ ଆନ୍ଧ୍ର ସରକାରଙ୍କୁ ଓଡ଼ିଶାର ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କରି କାଟ୍ରାଗାଡ଼ା ପ୍ରକଳ୍ପ ସଂପୂର୍ଣ୍ଣ କରିବାକୁ ୨୦୨୧ ମସିହାରେ ଅନୁମତି ଦେଇଛନ୍ତି। ସୂଚନାଯୋଗ୍ୟ ଯେ ବଂଶଧାରା ନଦୀର କ୍ୟାଚ୍ମେଣ୍ଟ ଏରିଆ ୧୦ହଜାର ୮୩୦ ବର୍ଗକିମି ହୋଇଥିବା ବେଳେ ଓଡ଼ିଶାରେ ୮୦୧୫ ବର୍ଗକିମି ଏବଂ ଆନ୍ଧ୍ରପ୍ରଦେଶରେ ୨୮୧୫ ବର୍ଗକିମି ରହିଛି। ବଂଶଧାରା ଓଡ଼ିଶାରୁ ଉତ୍ପତ୍ତି ହୋଇଥିଲେ ମଧ୍ୟ ଆନ୍ଧ୍ର ଭରପୂର ଫାଇଦା ପାଉଛି। ଓଡ଼ିଶା ସରକାର କେବେ ଚେତିବେ ଦେଖିବାକୁ ବାକି ରହିଲା।
ସୌଜନ୍ୟ-ସମ୍ୱାଦ
Comments are closed.