Rohit Sharma: ପତଳା ହେଉଛନ୍ତି ରୋହିତ ଶର୍ମା, ନିଜ ଫିଟ୍‌ନେସ୍‌ ଉପରେ ଦେଉଛନ୍ତି ବିଶେଷ ଧ୍ୟାନ

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ (ଟ୍ବେଣ୍ଟି-୨୦ ଓ ଟେଷ୍ଟ୍‌) ରୋହିତ ଶର୍ମା ତାଙ୍କ ଫିଟନେସ୍‌ ପାଇଁ ଅନେକ ଥର ସାମାଲୋଚିତ ହୁଅନ୍ତି। ତାଙ୍କ ଗୋଲ୍ ମଟୋଲ ଓ ସୁଢଳ ଶରୀର ପାଇଁ ଅନେକ କଟାକ୍ଷର ଶିକାର ହୁଅନ୍ତି। ଜଣେ ମହିଳା ନେତା ତ ତାଙ୍କ ଫିଟ୍‌ନେସ୍‌କୁ ତାଚ୍ଛଲ୍ୟ କରି ସାମାଜିକ ଗଣାମଧ୍ୟମରେ ଝଡ଼ ସୃଷ୍ଟି କରିଥିଲେ। ବିଗତ କିଛି ମାସ ହେବ କିନ୍ତୁ ରୋହିତ ତାଙ୍କ ଫିଟ୍‌ନେସ୍‌ ଉପରେ ବିଶେଷ ଧ୍ୟାନ ଦେଉଛନ୍ତି। ୨୦୨୭ ଦିନିକିଆ ବିଶ୍ବକପ୍‌ ଖେଳିବାର ସ୍ବପ୍ନକୁ ସାକାର କରିବା ଲାଗି ପୂରା ଦମ୍‌ରେ ଲାଗି ପଡ଼ିଛନ୍ତି। ଏହା ପୂର୍ବରୁ ଚଳିତବର୍ଷର ଆଇପିଏଲ୍‌ରେ ନିଜ ଯାଦୁ ଦେଖାଇବାକୁ ଜୋରଦାର ପ୍ରସ୍ତୁତି କରୁଛନ୍ତି। କାରଣ ଗତ ଋତୁସାରା ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ଇମ୍ପାକ୍ଟ ପ୍ଲେୟାର ଭାବେ ଖେଳାଇଥିଲା।

ଏବର୍ଷ କିନ୍ତୁ ରୋହିତ ଇମ୍ପାକ୍ଟ ପ୍ଲେୟାର ଭୂମିକାରୁ ବାହାରି ଅଲରାଉଣ୍ଡ୍‌ ପ୍ରଦର୍ଶନ ଦେବାକୁ ଲକ୍ଷ୍ୟ ରଖିଛନ୍ତି। ସେଥିଲାଗି ପ୍ରଥମେ ନିଜ ଓଜନକୁ ଆଉ କିଛି କିଲୋଗ୍ରାମ କମାଇବା ଅଭିଯାନରେ ଲାଗି ପଡ଼ିଛନ୍ତି। ୩୬ବର୍ଷୀୟ ରୋହିତ ସେଥିପାଇଁ ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ନିୟମିତ ଅଭ୍ୟାସ କରୁଛନ୍ତି। ବ୍ୟାୟାମ କରିବା ସହ ସନ୍ତୁଳିତ ଖାଦ୍ୟ ଖାଇ ପୂର୍ବର ପତଳା ଶରୀର ଫେରି ପାଇବାକୁ କଠିନ ପରିଶ୍ରମ କରୁଛନ୍ତି। ସୂଚନାଯୋଗ୍ୟ ଯେ ଆଇପିଏଲ୍‌ର ୨୦୨୫ ଋତୁରେ ରୋହିତ ୧୫ ମ୍ୟାଚ୍ ଖେଳି ୧୫୦ ଷ୍ଟ୍ରାଇକ୍‌ ରେଟ୍‌ରେ ୪୧୮ ରନ୍‌ କରିଥିଷେଲ। ସୂର୍ଯ୍ୟକୁମାର ଯାଦବଙ୍କ ପଛକୁ ମୁମ୍ବାଇର ଦ୍ବିତୀୟ ସର୍ବାଧିକ ରନ୍‌ ସଂଗ୍ରହକାରୀ ଥିଲେ। ଏଥର ସେ ୫୦୦ ରନ୍‌ର ମାଇଲ୍‌ଖୁଣ୍ଟ ଛୁଇଁବାକୁ ଆଶା ରଖିଛନ୍ତି।

ସୌଜନ୍ୟ ସମ୍ବାଦ