
ଭୁବନେଶ୍ୱର ୦୬/୦୩: ସକାଳୁ ସକାଳୁ ବଡ଼ ଦୁର୍ଘଟଣା । ପିପିଲିରେ ଦୁର୍ଘଟଣା ନେଲା ୨ ଜୀବନ । ପିପିଲି ଦାଣ୍ଡମୁକୁନ୍ଦପୁର ନିକଟରେ ବାଇକକୁ ଧକ୍କା ଦେଲା ହାଇୱା । ଜାତୀୟ ରାଜପଥର ଚାଲିଗଲା ଦୁଇ ଜଣଙ୍କ ଜୀବନ । ଜଣେ ଗୁରୁତର ମେଡିକାଲରେ ଭର୍ତ୍ତି । ସେପଟେ ଓଲଟିଲା ପଥର ବୋଝେଇ ଟିପ୍ପର, ଚାଳକ ଗୁରୁତର । ନୀଳଗିରି ଥାନା ଅଧୀନ କେନ୍ଦୁଖୁଣ୍ଟା ଛକ ନିକଟରେ ଏଭଳି ଏକ ଦୁର୍ଘଟଣା ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ ଭୋର ପ୍ରାୟ ୪ ଟା ସମୟରେ ବେଆଇନ ଭାବରେ ପଥର ଚୋରା ଚାଲଣ କରୁଥିବା କାରଣରୁ ଗାଡିଟି ଦ୍ରୁତ ଗତିରେ ଯାଉଥିଲା । ଫଳରେ ଭାରସାମ୍ୟ ହରାଇ ଟିପ୍ପରଟି ରାସ୍ତା ପାର୍ଶ୍ବକୁ ଓଲଟି ପଡିଥିଲା । ଯେଉଁଥିରେ ଗାଡି ଚାଳକ ଜଣକ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନୀଳଗିରି ମେଡ଼ିକାଲକୁ ନେଇଛନ୍ତି ।
ସେହିଭଳି କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା ନିକଟରେ ଦୁର୍ଘଟଣା । ରାଜପଥ ଉପରେ ଛିଡା ହୋଇଥିବା ଟ୍ରକ ପଛରେ ଆଉ ଏକ ଟ୍ରକ ଧକ୍କା ଦେବା ଫଳରେ ପଛ ଗାଡିର ଡ୍ରାଇଭର ଗାଡି ଭିତରେ ଚାପି ହୋଇ ଗୁରୁତର ହୋଇଛନ୍ତି । ଗୁରୁତର ଡ୍ରାଇଭରକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି ।
ସୂଚନା ଥାଉକି, ବ୍ରେକ ଡାଉନ ଟ୍ରକ ରାଜପଥ ଉପରେ ଛିଡା ହୋଇ ରହିଥିଲେ ମଧ୍ୟ ଏନ ଏଚ ଆଇ କିମ୍ବା ସ୍ଥାନୀୟ ପୋଲିସ ପକ୍ଷରୁ ଗାଡିକୁ ରାସ୍ତା ଉପରୁ ହଟାଇବାକୁ କୌଣସି ପଦକ୍ଷେପ ନିଆ ଯାଇ ନଥିବାରୁ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି।ଢେଙ୍କାନାଳ ହାତିବାରି ଗ୍ରାମରେ ଦୁର୍ଘଟଣା ଘଟିଛି । ଟ୍ରାକ୍ଟରକୁ ଧକ୍କାଦେଇ ଘର ଉପରେ ମାଡ଼ିଗଲା ଟ୍ରଲର । ଘରେ ଶୋଇଥିବା ବେଳେ ଜଣେ ମୃତ ଓ ଟ୍ରଲର ଡ୍ରାଇଭର ହେଲ୍ପର ଗୁରୁତର ।
ଭୋର ପ୍ରାୟ ୪ଟା ସମୟରେ ଜୋରନ୍ଦା ଫାଣ୍ଡି ଅଂଚଳର ଏହି ହାତିବାରି ଗ୍ରାମରେ ଘଟିଛି ଏହି ଦୁର୍ଘଟଣା । ଏକ ଆଜବେଷ୍ଟସ ବୋଝେଇ ଟ୍ରଲର ଏକ ଟ୍ରାକ୍ଟରକୁ ଧକ୍କାଦେଇ ରାସ୍ତା ପାର୍ଶ୍ଵ ଏକ ଘର ଉପରେ ମାଡି ଯାଇଛି। ଫଳରେ ଘରେ ଶୋଇଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ଉକ୍ତ ହାତିବାରି ଗ୍ରାମର ଅସ୍ଥିର ତରାଇ ବୋଲି ଜଣାପଡିଛି ।
ଏହି ଦୁର୍ଘଟଣା ରେ ଅସ୍ଥିର ଙ୍କ ଘର ଭାଙ୍ଗି ରୁଜି ଚୁରମାର ହୋଇଯାଇଛି। ଏପଟେ ଦୁର୍ଘଟଣା ଘଟିଥିବା ଟ୍ରଲରର ଡ୍ରାଇଭର ଓ ହେଲ୍ପରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଶ୍ରୀରାମ ଚନ୍ଦ୍ରପୁର ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି । ଟ୍ରଲର ଟି ମନ୍ଦାର ଆଡୁ କରମୂଳ ଆଡ଼କୁ ଯାଉଥିବା ବେଳେ ଦ୍ରୁତ ବେଗ ଯୋଗୁଁ ଭାରସାମ୍ୟ ହରାଇ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।
ସୌଜନ୍ୟ Prameya News7




