ତେଲ୍ ଅଭିଭ୍: ଇରାନ ବିରୋଧରେ ଇସ୍ରାଏଲ ଚଳାଇଥିବା ‘ଅପରେସନ୍ ରୋରିଂ ଲାୟନ୍’କୁ ଦୀର୍ଘଦିନ ପର୍ଯ୍ୟନ୍ତ ଜାରି ରଖିବାପାଇଁ ଏବେ ଜୋରଦାର ପ୍ରସ୍ତୁତି ଚଳାଇଛି। ଯୁଦ୍ଧ ଦ୍ବିତୀୟ ସପ୍ତାହରେ ପ୍ରବେଶ କରିଥିବାବେଳେ ଇରାନ ଓ ଲେବାନନ ବିରୋଧରେ ଲମ୍ବା ଯୁଦ୍ଧ ପାଇଁ ଇସ୍ରାଏଲ ଏବେ ଅସ୍ତ୍ର ଠୁଳ କରୁଛି। ସୋମବାର ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ, ଗତ ୧୦ ଦିନ ମଧ୍ୟରେ ୫୦ଟି କାର୍ଗୋ ବିମାନରେ ୧ ହଜାରରୁ ଅଧିକ ଟନ୍ର ଅସ୍ତ୍ରଶସ୍ତ୍ର, ସାମରିକ ଉପକରଣ ଓ ବିଭିନ୍ନ ପ୍ରକାର ଯୁଦ୍ଧ ସାମଗ୍ରୀ ଇସ୍ରାଏଲରେ ଆସି ପହଞ୍ଚିଛି ଏବଂ ଏହାକୁ ଆଇଡିଏଫ୍କୁ ପଠାଯାଇଛି। ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ, ଏହା ଏକ ବଡ଼ ଧରଣର ସିପିଂ ଅପରେସନ୍। ଗତ କିଛି ସପ୍ତାହ ମଧ୍ୟରେ ଇସ୍ରାଏଲକୁ ୯୦ଟି ବିମାନରେ ୬,୫୦୦ ଟନ୍ରୁ ଅଧିକ ଅସ୍ତ୍ରଶସ୍ତ୍ର ଆସିଲାଣି।

