Waste of mineral funds: ବିକାଶ ଆଳରେ ଖଣିଜ ପାଣ୍ଠିର ଅପବ୍ୟୟ: ଖତ ଖାଉଛି ୧୧୩ କୋଟିର ବିଜ୍ଞାନ ଏକାଡେମି
ପୂର୍ବ ସରକାରଙ୍କ ସମୟରେ ଯାଜପୁର ଜିଲ୍ଲାରେ ଜିଲ୍ଲା ଖଣିଜ ନ୍ୟାସ ପାଣ୍ଠି ( ଡିଏମ୍ଏଫ)କୁ ମନଇଚ୍ଛା ଖର୍ଚ୍ଚ କରାଯାଇଛି। ଜିଲ୍ଲାରେ ଅନେକ ଅନ୍ଧାରୀ ପ୍ରକଳ୍ପ ଠିଆ ହୋଇଛି। ସେଥିରୁ ଅଧିକାଂଶ ପ୍ରକଳ୍ପର ଚିହ୍ନବର୍ଣ୍ଣ ନ ଥିବାବେଳେ ପ୍ରକଳ୍ପର ସ୍ଥିତି....

ଯାଜପୁର: ପୂର୍ବ ସରକାରଙ୍କ ସମୟରେ ଯାଜପୁର ଜିଲ୍ଲାରେ ଜିଲ୍ଲାଖଣିଜ ନ୍ୟାସ ପାଣ୍ଠି ( ଡିଏମ୍ଏଫ)କୁ ମନଇଚ୍ଛା ଖର୍ଚ୍ଚ କରାଯାଇଛି। ଜିଲ୍ଲାରେ ଅନେକ ଅନ୍ଧାରୀ ପ୍ରକଳ୍ପ ଠିଆ ହୋଇଛି। ସେଥିରୁ ଅଧିକାଂଶ ପ୍ରକଳ୍ପର ଚିହ୍ନବର୍ଣ୍ଣ ନ ଥିବାବେଳେ ପ୍ରକଳ୍ପର ସ୍ଥିତି ଓ ବ୍ୟୟବରାଦକୁ ନେଇ ମଧ୍ୟ ପ୍ରଶାସନ ପାଖରେ ସ୍ପଷ୍ଟ ଚିତ୍ର ନାହିଁ। ଯାଜପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଷଠିପୁରଛକ ନିକଟରେ ନିର୍ମିତ ବିଜ୍ଞାନ ଓ କାରିଗରୀ କେନ୍ଦ୍ର ଏହାର ଜ୍ବଳନ୍ତ ଦୃଷ୍ଟାନ୍ତ। ଡିଏମ୍ଏଫ ପାଣ୍ଠିରୁ ୧୧୩ କୋଟି ୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଏହି ପ୍ରକଳ୍ପ ବର୍ତ୍ତମାନ ଖତ ଖାଉଛି। ପ୍ରକଳ୍ପରେ ବିଦେଶୀ କାରିଗରଙ୍କ ଦ୍ବାରା ନିର୍ମିତ କଳାକୃତି ଓ ଉପକରଣ ସବୁ ନଷ୍ଟ ହେବାକୁ ବସିଲାଣି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ପ୍ରକଳ୍ପ ସଂପର୍କରେ ସରକାରଙ୍କ ପାଖରେ ନିର୍ଦ୍ଦିଷ୍ଟ ସୂଚନା ବା ତଥ୍ୟ ନାହିଁ। ବିଧାନସଭାରେ କୋରେଇ ବିଧାୟକ ଆକାଶ ଦାସନାୟକ ପ୍ରକଳ୍ପକୁ ନେଇ କରିଥିବା ପ୍ରଶ୍ନର ଏକ ବିଚିତ୍ର ଉତ୍ତର ସାମନାକୁ ଆସିଛି। ଯେଉଁଥିରେ ବିଭାଗୀୟ ମନ୍ତ୍ରୀ ଏଭଳି କିଛି ପ୍ରକଳ୍ପକୁ ନେଇ କୌଣସି ପ୍ରସ୍ତାବ ନ ଥିବା କହିଛନ୍ତି।
କିଛିମାସ ପୂର୍ବରୁ ଏହି ପ୍ରକଳ୍ପ ପ୍ରସଙ୍ଗରେ କୋରେଇ ବିଧାୟକ ପଚାରିଥିବା ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଷଠିପୁରଠାରେ ଏହି ପ୍ରକଳ୍ପ ନିମନ୍ତେ କୌଣସି ପ୍ରସ୍ତାବ ନଥିବା କହିଥିଲେ। ବିଭାଗର ଅଜାଣତରେ ଏତେ ବଡ଼ ପ୍ରକଳ୍ପ କେମିତି ନିର୍ମାଣ ହେଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଧାୟକ ଶ୍ରୀ ଦାସନାୟକଙ୍କ କହିବା ମୁତାବକ ଏଥିରେ ବଡ଼ଧରଣର ଦୁର୍ନୀତି ହୋଇଛି। କୋରେଇ ନିର୍ବାଚନମଣ୍ଡଳୀ ପାଇଁ ଏହି ପ୍ରକଳ୍ପ ନିର୍ମାଣ କରାଯାଉଥିବା ଦର୍ଶାଇ ଯାଜପୁର ନିର୍ବାଚନମଣ୍ଡଳୀରେ ଏହାକୁ କରାଯାଇଛି। ଉଚ୍ଚସ୍ତରୀୟ ତଦନ୍ତ ହେଲେ ଦୁର୍ନୀତିର ଗୁମର ଫିଟିବ ବୋଲି ସେ କହିଛନ୍ତି। ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା (ସିଏମ୍ଏସ୍ଏ), ଜିଲ୍ଲା ଖଣିଜ ନ୍ୟାସ ପାଣ୍ଠି (ଡିଏମ୍ଏଫ), ଓଡ଼ିଶା ଖଣିଜ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଓମ୍ବାଡ୍ସି) ଆଦିରୁ ୬୫୬୬ କୋଟି ଟଙ୍କାର ଅନୁଦାନ ଆସିଥିଲା। ସେହିଭଳି ଖଣି ଓ ଶିଳ୍ପାନୁଷ୍ଠାନଗୁଡ଼ିକର ପାରିପାର୍ଶ୍ବିକ ବିକାଶ (ସିଏସ୍ଆର) ପାଣ୍ଠି ଏବଂ ପ୍ରାକୃତିକ ବିପର୍ଯ୍ୟୟ ଆଳରେ ସ୍ବତନ୍ତ୍ର ରିଲିଫ୍ କମିସନ(ଏସ୍ଆର୍ସି)ଙ୍କ ସହାୟତାରେ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପକୁ ସାମିଲ କରାଯାଇଥିଲା। ସେଥିରୁ ଅଧିକ ଅର୍ଥ ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଖର୍ଚ୍ଚ କରାଯାଇଛି। ଷଠିପୁରଠାରୁ ଯାଜପୁର ସହର ପର୍ଯ୍ୟନ୍ତ ବିପୁଳ ଅର୍ଥ ବ୍ୟୟରେ ଅନେକ ଅନ୍ଧାରୀ ପ୍ରକଳ୍ପ ନିର୍ମାଣ କରାଯାଇଛି।
ସୌଜନ୍ୟ ସମ୍ବାଦ




