ବାଣିଜ୍ୟ

ମଧ୍ୟପ୍ରାଚ୍ୟରେ ତୁମୁଳ ଲଢ଼େଇ: ହର୍ମୁଜ୍‌ ପ୍ରଣାଳୀରେ ୩ ଜାହାଜ ଉପରେ ଆକ୍ରମଣ

ମଧ୍ୟପ୍ରାଚ୍ୟରେ ଭୟଙ୍କର ଲଢ଼େଇ ଜାରି ରହିଥିବାବେଳେ ଦିନକୁ ଦିନକୁ ସ୍ଥିତି ଜଟିଳ ହେବାରେ ଲାଗିଛି। ଯୁଦ୍ଧର ଦ୍ବାଦଶ ଦିନରେ ରଣନୀତିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ହର୍ମୁଜ୍ ପ୍ରଣାଳୀରେ ଆଜି ୩ଟି ଜାହାଜ ଉପରେ ଆକ୍ରମଣ ହୋଇଛି।

ତେହେରାନ/ତେଲ୍‌ଅଭିଭ: ମଧ୍ୟପ୍ରାଚ୍ୟରେ ଭୟଙ୍କର ଲଢ଼େଇ ଜାରି ରହିଥିବାବେଳେ ଦିନକୁ ଦିନକୁ ସ୍ଥିତି ଜଟିଳ ହେବାରେ ଲାଗିଛି। ଯୁଦ୍ଧର ଦ୍ବାଦଶ ଦିନରେ ରଣନୀତିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ହର୍ମୁଜ୍ ପ୍ରଣାଳୀରେ ଆଜି ୩ଟି ଜାହାଜ ଉପରେ ଆକ୍ରମଣ ହୋଇଛି। ଏଥି ମଧ୍ୟରୁ ଭାରତ ଆସୁଥିବା ଏକ ଥାଇ ପଣ୍ୟବାହୀ ଜାହାଜ ଉପରେ ଆକ୍ରମଣ ହେବାରୁ ସେଥିରେ ନିଆଁ ଲାଗିଯାଇଛି। ଜାହାଜରୁ ୨୦ ଜଣ କ୍ରୁ ସଦସ୍ୟଙ୍କୁ ଓମାନ ନୌସେନା ଉଦ୍ଧାର କରିଥିବାବେଳେ ଆଉ ୩ ଜଣ କ୍ରୁ ସଦସ୍ୟ ନିଖୋଜ ଅଛନ୍ତି। ତେଣେ ହର୍ମୁଜ୍ ପରେ ସୁଏଜ୍ କେନାଲ ଅବରୋଧ ସାଙ୍ଗକୁ ଲୋହିତ ସାଗରରେ ଆକ୍ରମଣ କରିବାକୁ ଇରାନ ହୁତି ଆତଙ୍କବାଦୀମାନଙ୍କୁ ନିର୍ଦ୍ଦେଶ ଦେଇଛି। ଯୁଦ୍ଧ ପାଇଁ ତୈଳ ଦର ବ୍ୟାରେଲ୍‌ ପିଛା ୨୦୦ ଡଲାରରେ ପହଞ୍ଚିବ ବୋଲି ଇରାନ ସାରା ବିଶ୍ବକୁ ଚେତାବନୀ ଦେଇଛି।

ହର୍ମୁଜ୍‌ ପ୍ରଣାଳୀରେ ୩ ଜାହାଜ ଉପରେ ଆକ୍ରମଣ
ସୁଏଜ୍ କେନାଲ୍‌ ଉପରେ ଇରାନର ଆଖି
ଇସ୍ରାଏଲର ଗୁଇନ୍ଦା ସଂସ୍ଥା, ନୌସେନା ଘାଟିକୁ ଟାର୍ଗେଟ୍‌
ତୈଳଦର ୨୦୦ ଡଲାର ଟପିବା ନେଇ ଇରାନର ଚେତାବନୀ

ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏଯାବତ୍ ମଧ୍ୟପ୍ରାଚ୍ୟ‌ରେ ମୋଟ ୧୩ଟି ଜାହାଜ ଉପରେ ଆକ୍ରମଣ ହେଲାଣି। ଅନ୍ୟପକ୍ଷେ ଆମେରିକା କହିଛି, ହର୍ମୁଜ୍ ପ୍ରଣାଳୀରେ ଇରାନ ବିସ୍ଫୋରକ ମାଇନ୍‌ ବିଛାଇବା ପାଇଁ ବ୍ୟବହାର କରିଥିବା ୧୬ ଯୁଦ୍ଧ ଜାହାଜକୁ ଧ୍ବଂସ କରିଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ ଯଦି ଇରାନ ହର୍ମୁଜ୍ ପ୍ରଣାଳୀରେ ବିସ୍ଫୋରକ ବିଛାଏ ତେବେ ଅତି ସାଂଘାତିକ ପରିଣାମ ଭୋଗିବ। ଇତିମଧ୍ୟରେ ଇରାନ ସେନା କହିଛି ଯେ ଆମେରିକା, ଇସ୍ରାଏଲ ଓ ଏହାର ସହଯୋଗୀଙ୍କ ସହ ଜଡ଼ିତ ଯେକୌଣସି ଜାହାଜକୁ ଏହା ହର୍ମୁଜ୍ ପ୍ରଣାଳୀରେ ଟାର୍ଗେଟ୍‌ କରିବ।
ଇରାନ ବୁଧବାର କହିଛି, ଆମେରିକା ଓ ଇସ୍ରାଏଲ ବି‌ରୋଧରେ ଆକ୍ରମଣକୁ ଆହୁରି ତୀବ୍ର କରାଯିବ। ଇରାନ ଆଜି ଇସ୍ରାଏଲର ଅନେକ ସାମରିକ ଗୁଇନ୍ଦା ସଂସ୍ଥା ଓ ନୌସେନା ଘାଟିକୁ ଟାର୍ଗେଟ୍‌ କରି ଆକ୍ରମଣ ଆରମ୍ଭ କରିଛି। ଉତ୍ତର ବନ୍ଦର ସହର ହାଇଫାରେ ଏକ ନୌସେନା କେନ୍ଦ୍ର ଓ ଇସ୍ରାଏଲୀ ରାଡାର ସିଷ୍ଟମ୍‌କୁ ଇରାନ ଟାର୍ଗେଟ୍‌ କରିଥିବା ଦାବି କରିଛି।

Sensex
Sensex Photograph: (google)

ଆଇଆର୍‌ଜିସି (ଇସଲାମିକ୍ ରିପବ୍ଲିକ୍ ଗାର୍ଡ କର୍ପସ) ଦାବି କରିଛି ଯେ ଏହା କୁଏତ, ବାହାରିନରେ ଆମେରିକା ଘାଟିଗୁଡ଼ିକୁ ଟାର୍ଗେଟ୍‌ କରିଛି। ଆମେରିକା ଓ ଇସ୍ରାଏଲ ସାମୁଦ୍ରିକ ଆମ୍ବୁଲାନ୍ସକୁ ଟାର୍ଗେଟ୍‌ କରି ଆକ୍ରମଣ କରୁଛନ୍ତି ବୋଲି ଇରାନ କହିଛି। ଅନ୍ୟପକ୍ଷେ ଇସ୍ରାଏଲ ପୂର୍ବ ଓ ପଶ୍ଚିମ ତେ‌ହେରାନରେ ସଦ୍ୟ ବିମାନ ଆକ୍ରମଣ କରି ବୋମାବର୍ଷା କରୁଛି। ଯୁଦ୍ଧ ସଙ୍କଟ ଜାରି ରହିଥିବାବେଳେ ରୁଷ୍ ଏକ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଉଦ୍ୟମ ଚଳାଇଛି। ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗତକାଲି ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନଙ୍କ ସହ କଥା ହୋଇଥିଲେ। ପୁଟିନ ଆଜି ୟୁଏଇ ରାଷ୍ଟ୍ରପତି ମହମ୍ମଦ ବିନ ଜାୟେଦ ଅଲ ନାହୟାନଙ୍କ ସହ ମଧ୍ୟପ୍ରାଚ୍ୟ ସଙ୍କଟ ନେଇ ଆଲୋଚନା କରିଛନ୍ତି।

ମୁମ୍ବାଇ: ଇରାନ-ଆମେରିକା-ଇସ୍ରାଏଲ୍‌ ଯୁଦ୍ଧ ପ୍ରଭାବରେ ଭାରତୀୟ ଷ୍ଟକ୍‌ ବଜାରରେ ଅସ୍ଥିରତା ବଜାୟ ରହିଛି। ବୁଧବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ ସୂଚୀରେ ବଡ଼ଧରଣର ହ୍ରାସ ଘଟିଛି। ଅର୍ଥନୈତିକ ଅନିଶ୍ଚିତତାକୁ ନେଇ ନିବେଶକମାନେ ଛାନିଆ ହୋଇ ପଡ଼ିଥିବାରୁ ସେୟାର ବିକ୍ରି କରୁଛନ୍ତି। ତାହାର ପ୍ରଭାବରେ ସେନ୍‌ସେକ୍ସ ୭୭ ହଜାର ପଏଣ୍ଟ ତଳକୁ ଖସିଆସିଛି। ତାହା ୧୩୪୨.୨୭ ପଏଣ୍ଟ ହ୍ରାସ ପାଇ ୭୬,୮୬୩ ପଏଣ୍ଟରେ ବନ୍ଦ ହୋଇଛି।

ସେନ୍‌ସେକ୍ସରେ ହ୍ରାସ ଯୋଗୁଁ ନିବେଶକମାନେ ୬ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ନ୍ୟାସନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୩୯୪.୭୫ ପଏଣ୍ଟ ହ୍ରାସ ପାଇ ୨୩,୮୬୬୬.୮୫କୁ ଖସିଆସିଛି। ବଜାଜ ଫାଇନାନ୍ସ, ଆକ୍ସିସ୍‌ ବ୍ୟାଙ୍କ, ବଜାଜ ଫିନ୍‌ସର୍ଭ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ମାରୁତି, ଟ୍ରେଣ୍ଟ୍, ଭାରତୀ ଏୟାରଟେଲ୍‌ ଓ କୋଟକ୍‌ ମହିନ୍ଦ୍ରା ବ୍ୟାଙ୍କର ସେୟାର ମୂଲ୍ୟ ହ୍ରାସ ପାଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button