Diwali: ଦୀପାବଳିରେ ‘କାଜୁ କତଲୀ’ର ଜମିଲା ବଜାର: ସର୍ବାଧିକ ଅର୍ଡର ସାଙ୍ଗକୁ ଅନ୍ୟ କ’ଣ କ’ଣ କିଣିଲେ ଲୋକେ?
ଦୀପାବଳି ସମୟରେ ଅର୍ଡର ହୋଇଥିବା ମିଠାଗୁଡ଼ିକ ମଧ୍ୟରେ 'କାଜୁ କତଲୀ' ସବୁଠାରୁ ଅଧିକ ଅର୍ଡର ପାଇ ପ୍ରଥମ ସ୍ଥାନରେ ରହିଛି। ଏହାପରେ ଦ୍ୱିତୀୟ ସ୍ଥାନରେ ମୋତିଚୁର ଲଡୁ ଏବଂ ତୃତୀୟ ସ୍ଥାନରେ ବେସନ ଲଡୁ ରହିଥିବା ଜଣାପଡ଼ିଛି।

ନୂଆଦିଲ୍ଲୀ: ଚଳିତ ଦୀପାବଳି ଏବଂ ଧନତେରସ ଅବସରରେ କ୍ୱିକ କମର୍ସ ପ୍ଲାଟଫର୍ମଗୁଡ଼ିକରେ ଗ୍ରାହକମାନେ ଭରପୁର ଅର୍ଡର କରିଥିବା ଦେଖିବାକୁ ମିଳିଛି | ସ୍ୱିଗୀର ‘ଇନଷ୍ଟାମାର୍ଟ’ (Instamart) ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଦୀପାବଳି ପର୍ବରେ ଦେଶବ୍ୟାପୀ ଲୋକଙ୍କ ମଧ୍ୟରେ ମିଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ କିଣିବାର ପ୍ରବଳ କ୍ରେଜ୍ ଦେଖିବାକୁ ମିଳିଛି।
କାଜୁ କତଲୀ ରହିଲା ସବୁଠାରୁ ଆଗରେ
ଦୀପାବଳି ସମୟରେ ଅର୍ଡର ହୋଇଥିବା ମିଠାଗୁଡ଼ିକ ମଧ୍ୟରେ ‘କାଜୁ କତଲୀ’ ସବୁଠାରୁ ଅଧିକ ଅର୍ଡର ପାଇ ପ୍ରଥମ ସ୍ଥାନରେ ରହିଛି। ଏହାପରେ ଦ୍ୱିତୀୟ ସ୍ଥାନରେ ମୋତିଚୁର ଲଡୁ ଏବଂ ତୃତୀୟ ସ୍ଥାନରେ ବେସନ ଲଡୁ ରହିଥିବା ଜଣାପଡ଼ିଛି। ସେହିପରି ପାର୍ଟି ଆୟୋଜନ ସାମଗ୍ରୀର ଚାହିଦା ବାର୍ଷିକ ଭିତ୍ତିରେ ୧୬୨ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ନମକିନ୍ ଓ ସ୍ନାକ୍ସର ବିକ୍ରିରେ ୪୨ ପ୍ରତିଶତର ଉଲ୍ଲେଖନୀୟ ବୃଦ୍ଧି ଘଟିଛି।
ସବୁଠାରୁ ବ୍ୟସ୍ତବହୁଳ ସମୟ
ରିପୋର୍ଟ ମୁତାବକ, ଦୀପାବଳି ସମୟରେ ଦିନ ୧୧ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ସବୁଠାରୁ ଅଧିକ ଭିଡ଼ ଏବଂ ଅର୍ଡର ଆସିଥିଲା। ବିଶେଷକରି ସକାଳ ୧୧ଟା ୧୮ ମିନିଟ୍ରେ ମାତ୍ର ଗୋଟିଏ ମିନିଟ୍ ଭିତରେ ସର୍ବାଧିକ ସଂଖ୍ୟକ ଅର୍ଡର ମିଳିଥିଲା। ରାୟପୁର, ମଦୁରାଇ, ଗୌହାଟୀ, ତ୍ରିଶୂର ଏବଂ କୋଲ୍ଲମ ସହରଗୁଡ଼ିକରେ ପର୍ବ ସମୟରେ ସବୁଠାରୁ ଅଧିକ ଗ୍ରାହକଙ୍କ ଚାହିଦା ଦେଖାଯାଇଥିଲା।
ଧନତେରସରେ ସୁନା ଓ ରୁପା ସମେତ ବଡ଼ ବଡ଼ ଅର୍ଡର
ଏହା ପୂର୍ବରୁ ଧନତେରସ ଅବସରରେ ଲୋକେ ବହୁ ପରିମାଣରେ ସୁନା ଓ ରୁପାର ସିକ୍କା (Coins) କିଣିଥିଲେ।ହାଇଦ୍ରାବାଦରୁ ରାତି ୧୨ଟା ୩୦ ସେକେଣ୍ଡରେ ପ୍ରଥମ ୨୪ କ୍ୟାରେଟ୍ର ଫୁଲ ଡିଜାଇନ୍ ସୁନା ସିକ୍କା ଅର୍ଡର ହୋଇଥିବାବେଳେ, ଏହାର ୪ ସେକେଣ୍ଡ ପରେ ବେଙ୍ଗାଲୁରୁରୁ ରୁପା ସିକ୍କା ଅର୍ଡର ହୋଇଥିଲା। କିଣାଯାଇଥିବା ସୁନା ସିକ୍କାଗୁଡ଼ିକର ପ୍ରାୟ ଦୁଇ-ତୃତୀୟାଂଶରେ ଗୋଲାପ ବା ଫୁଲ ଡିଜାଇନ୍ ଏବଂ ୭୩ ପ୍ରତିଶତ ରୁପା ସିକ୍କାରେ ମା’ ଲକ୍ଷ୍ମୀ ଓ ଗଣେଶଙ୍କ ଆକୃତି ରହିଥିଲା।
ସୌଜନ୍ୟ ସମ୍ବାଦ




