Assam: ଆସାମରେ କୋଲକାତା-ସାଇରାଙ୍ଗ ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ
ଗୁଆହାଟୀ ଉପକଣ୍ଠ କାମରୂପ ମହାନଗର ଜିଲ୍ଲାର ଡିଗାରୁ ରେଳଷ୍ଟେସନ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ଟ୍ରେନ୍ର ଇଞ୍ଜିନ୍ ଓ ପାଞ୍ଚଟି ଯାତ୍ରୀବାହୀ ବଗି ରେଳଧାରଣାରୁ ଖସିଯାଇଛି।

ଗୁଆହାଟୀ: ଆସାମରେ ବୁଧବାର ସକାଳେ କୋଲକାତାରୁ ମିଜୋରାମ୍ର ସାଇରାଙ୍ଗ ଯାଉଥିବା କୋଲକାତା-ସାଇରାଙ୍ଗ ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ ହୋଇଛି। ଗୁଆହାଟୀ ଉପକଣ୍ଠ କାମରୂପ ମହାନଗର ଜିଲ୍ଲାର ଡିଗାରୁ ରେଳଷ୍ଟେସନ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ଟ୍ରେନ୍ର ଇଞ୍ଜିନ୍ ଓ ପାଞ୍ଚଟି ଯାତ୍ରୀବାହୀ ବଗି ରେଳଧାରଣାରୁ ଖସିଯାଇଛି। ପ୍ରାରମ୍ଭିକ ସୂଚନାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ରେଳବାଇ କହିଥିବାବେଳେ ପରବର୍ତ୍ତୀ କେତେକ ରିପୋର୍ଟରେ ଯାତ୍ରୀ ଆହତ ହୋଇଥିବା ଖବର ମିଳିଛି। ଆହତଙ୍କ ସଂଖ୍ୟା ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ।
ଉତ୍ତର-ପୂର୍ବ ସୀମାନ୍ତ ରେଳବାଇ (ଏନ୍ଏଫ୍ଆର୍)ର ସୂଚନା ଅନୁଯାୟୀ, ଟ୍ରେନ୍ ନମ୍ବର ୧୩୧୨୫ ବୁଧବାର ସକାଳ ପ୍ରାୟ ୬ଟା ୫୪ ମିନିଟ୍ରେ ଡିଗାରୁ ଷ୍ଟେସନ୍ରେ ପହଞ୍ଚୁଥିବାବେଳେ ଏହି ଘଟଣା ଘଟିଥିଲା। ଏହି ସମୟରେ ଲୋକୋ ପାଇଲଟ୍ ଟ୍ରେନ୍ର ବେଗ ନିୟନ୍ତ୍ରଣ କରିପାରି ନ ଥିବାରୁ ଇଞ୍ଜିନ୍ ଓ ପାଞ୍ଚଟି ବଗି ଲାଇନ୍ଚ୍ୟୁତ ହୋଇଥିବା ରେଳବାଇର ପ୍ରାରମ୍ଭିକ ବିବୃତିରେ କୁହାଯାଇଛି। ଘଟଣା ପରେ ତୁରନ୍ତ ଉଦ୍ଧାର ଓ ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲା। ଉତ୍ତର-ପୂର୍ବ ସୀମାନ୍ତ ରେଳବାଇର ମହାପ୍ରବନ୍ଧକ ବିବେକ ଖରେଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଦୁର୍ଘଟଣାସ୍ଥଳକୁ ଯାଇଥିଲେ।
ଅଟକି ରହିଥିବା ଯାତ୍ରୀମାନଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ବିକଳ୍ପ ଟ୍ରେନ୍ର ବ୍ୟବସ୍ଥା କରାଯାଇଥିଲା। ଦୁର୍ଘଟଣା ଯୋଗୁଁ ଏହି ରୁଟ୍ରେ ଅନ୍ୟ କେତେକ ଟ୍ରେନ୍ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଥିବା ଖବର ମିଳିଛି। ଅନ୍ୟପକ୍ଷରେ ଦୁର୍ଘଟଣା ପୂର୍ବର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଛି। ଏଥିରେ ଲୋକୋ ପାଇଲଟ୍ ଜରୁରିକାଳୀନ ବ୍ରେକ୍ କାମ କରୁ ନ ଥିବା ନେଇ କହୁଥିବା ଶୁଣିବାକୁ ମିଳୁଛି। ଟ୍ରେନ୍ର ବ୍ରେକ୍ ବ୍ୟବସ୍ଥାରେ ତ୍ରୁଟି ଥିଲା କି ନାହିଁ, ତାହା ରେଳବାଇ ପକ୍ଷରୁ ଏଯାଏଁ ନିଶ୍ଚିତ କରାଯାଇନାହିଁ।
ସୌଜନ୍ୟ ସମ୍ବାଦ




