Britain: ବ୍ରିଟେନ୍ରେ ଭାରତବିରୋଧୀ କାର୍ଯ୍ୟକଳାପ ନେଇ ରାଷ୍ଟ୍ରପତିଙ୍କୁ ୫୦ ପ୍ରବାସୀ ସଂଗଠନର ଚିଠି
ବ୍ରିଟେନ୍ରେ ଭାରତବିରୋଧୀ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଅଭିଯୋଗ କରି ସେଠାକାର ୫୦ଟି ପ୍ରବାସୀ ଭାରତୀୟ ଓ ସାମାଜିକ ସଂଗଠନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି।

ଲଣ୍ଡନ: ବ୍ରିଟେନ୍ରେ ଭାରତବିରୋଧୀ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଅଭିଯୋଗ କରି ସେଠାକାର ୫୦ଟି ପ୍ରବାସୀ ଭାରତୀୟ ଓ ସାମାଜିକ ସଂଗଠନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ଗତ ଅକ୍ଟୋବର ମାସରେ ଲଣ୍ଡନରେ ଅନୁଷ୍ଠିତ ଦୁଇଟି ବିକ୍ଷୋଭ ସମାବେଶକୁ ନେଇ ଏହି ସଂଗଠନଗୁଡ଼ିକ ଉଦ୍ବେଗ ପ୍ରକାଶ କରିଛନ୍ତି। ଏହି ବିକ୍ଷୋଭ ପଛରେ ଉଗ୍ରବାଦୀ ଓ ବିଚ୍ଛିନ୍ନତାବାଦୀ ସଂଗଠନଗୁଡ଼ିକର ସମ୍ପୃକ୍ତି ଥିବା ସନ୍ଦେହ ପ୍ରକାଶ କରି ସେମାନେ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ବିଶେଷକରି ପାକିସ୍ତାନ ଓ ବାଂଲାଦେଶର ଇସଲାମୀ ସଂଗଠନ ଏବଂ ଖଲିସ୍ତାନ ସମର୍ଥକ ବିଚ୍ଛିନ୍ନତାବାଦୀଙ୍କ ସମ୍ଭାବ୍ୟ ସମ୍ପୃକ୍ତି ଯାଞ୍ଚ କରିବାକୁ ସେମାନେ ଅନୁରୋଧ କରିଛନ୍ତି।
ଏହି ଚିଠିରେ ହିନ୍ଦୁ କମ୍ୟୁନିଟି ଅର୍ଗାନାଇଜେସନ୍ସ ଗ୍ରୁପ୍, ଇଣ୍ଡିଆନ୍ ଡାଏସ୍ପୋରା ଇନ୍ ଦି ୟୁକେ (ଆଇଡିୟୁକେ), ଫ୍ରେଣ୍ଡ୍ସ ଅଫ୍ ଇଣ୍ଡିଆ ସୋସାଇଟି ଇଣ୍ଟରନ୍ୟାସନାଲ୍ (ଏଫ୍ଆଇଏସ୍ଆଇ) ୟୁକେ ଏବଂ ଇଣ୍ଡିଆନ୍ ନ୍ୟାସନାଲ୍ ଷ୍ଟୁଡେଣ୍ଟ୍ସ ଆସୋସିଏସନ୍ (ଆଇଏନ୍ଏସ୍ଏ) ୟୁକେ ସମେତ ୫୦ଟି ସଂଗଠନ ସାମିଲ ହୋଇଛନ୍ତି। ଗତ ସପ୍ତାହାନ୍ତରେ ପ୍ରେରିତ ଏହି ଚିଠିରେ ଭାରତର ଗଣତାନ୍ତ୍ରିକ ଓ ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକୁ ବିଦେଶରେ ଯୋଜନାବଦ୍ଧ ଭାବେ ବଦନାମ କରିବାକୁ ଉଦ୍ୟମ ହେଉଥିବା ଅଭିଯୋଗ କରାଯାଇଛି।
ଚିଠିରେ ଅକ୍ଟୋବର ୧୬ ଓ ୧୭ ତାରିଖରେ ଲଣ୍ଡନରେ ଅନୁଷ୍ଠିତ ଦୁଇଟି ବିକ୍ଷୋଭର ଉଲ୍ଲେଖ ରହିଛି। ଅକ୍ଟୋବର ୧୬ରେ ଷ୍ଟୁଡେଣ୍ଟ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ (ଏସ୍ଏଫ୍ଆଇ)ର ବ୍ରିଟେନ୍ ଶାଖା ପକ୍ଷରୁ ଲଣ୍ଡନସ୍ଥିତ ଭାରତୀୟ ହାଇକମିସନ ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା। ପରଦିନ ଅକ୍ଟୋବର ୧୭ରେ ପାର୍ଲାମେଣ୍ଟ ସ୍କୋୟାରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଆଉ ଏକ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା। ଏଥିରେ ୟୁଟ୍ୟୁବର୍ ତଥା ସାମାଜିକ ଗଣମାଧ୍ୟମ ବ୍ୟକ୍ତିତ୍ୱ ଧ୍ରୁବ ରାଠୀ ଯୋଗଦେଇ ଉଦ୍ବୋଧନ ଦେଇଥିଲେ।
ଏହି ବିକ୍ଷୋଭଗୁଡ଼ିକ ଭାରତରେ ନିର୍ବାଚନ ପ୍ରକ୍ରିୟାକୁ ନେଇ ହୋଇଥିବା ଆନ୍ଦୋଳନ ସମର୍ଥନରେ ଆୟୋଜିତ ହୋଇଥିଲା। ଆନ୍ଦୋଳନକାରୀମାନେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବା ସହ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟା ବାତିଲ କରିବାକୁ ଦାବି କରିଥିଲେ। ଭାରତୀୟ ଓଭରସିଜ୍ କଂଗ୍ରେସର ଯୁବ ଶାଖା ଓ ସାଉଥ୍ ଏସିଆ ସଲିଡାରିଟି ଗ୍ରୁପ୍ ଭଳି ସଂଗଠନ ମଧ୍ୟ ଏହି ବିକ୍ଷୋଭ ସହ ସମ୍ପୃକ୍ତ ଥିବା କୁହାଯାଇଛି।
ସୌଜନ୍ୟ ସମ୍ବାଦ




