
ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ( ଇଡି) ଦ୍ବାରା ଆଇପ୍ୟାକ ଅଫିସ୍ ଚଢ଼ଉ ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପସ୍ଥିତ ରହିବା ଆଦୌ ଯୁକ୍ତିଯୁକ୍ତ ନୁହେଁ ବୋଲି ସୁପ୍ରିମକୋର୍ଟ ଆଜି କହିଛନ୍ତି। ଏଭଳି ଏକ ଅସାଧାରଣ ସ୍ଥିତିରେ କ’ଣ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ଉପାୟଶୁନ୍ୟ ଭାବେ ଛାଡ଼ି ଦିଆଯାଇପାରିବ କି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। କୋର୍ଟ କହିଛନ୍ତି, ଯଦି ଆସନ୍ତାକାଲି ଅନ୍ୟ କୌଣସି ମୁଖ୍ୟମନ୍ତ୍ରୀ ଚଢ଼ଉ ସମୟରେ ଜବରଦସ୍ତ ପ୍ରବେଶ କରନ୍ତି ତେବେ କ’ଣ ଇଡିକୁ ପ୍ରତିକାର ବିନା ଛାଡ଼ି ଦିଆଯାଇପାରିବ? ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଏବଂ ଏନ୍ଭି ଅଞ୍ଜରିଆଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଆଜି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ର ଏକ ଆବେଦନ ଉପରେ ଶୁଣାଣି ସମୟରେ ଏହି ଟିପ୍ପଣୀ ରଖିବା ସହ ମମତାଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇ ଇଡି କହିଛି ଯେ ମମତା ବାନାର୍ଜୀ ଆଇ-ପ୍ୟାକ୍ର ମୁଖ୍ୟ ନିର୍ବାଚନ କନ୍ସଲଟାଣ୍ଟ୍ ପ୍ରତୀକ ଜୈନଙ୍କ ବାସଭବନ ଏବଂ ସେମାନଙ୍କ ଅଫିସ୍ରୁ ଲ୍ୟାପଟପ, ଫୋନ୍ ଏବଂ ଅନେକ ଦସ୍ତାବିଜ ଧରି ବାହାରିଯିବା କ୍ଷମତାର ଘୋର ଅପବ୍ୟବହାର। ଏଥିପାଇଁ ଇଡି ମମତାଙ୍କ ବିରୋଧରେ ପୁଲିସରେ ଏକ ମାମଲା ରୁଜୁ ପାଇଁ ଦାବି କରିଛି। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ କୋର୍ଟରେ ଉପସ୍ଥିତ ଥିବା ବରିଷ୍ଠ ଆଇନଜୀବୀ ଶ୍ୟାମ ଦିଭାନ କହିଛନ୍ତି, କେନ୍ଦ୍ର ସରକାରଙ୍କର ଏକ ବିଭାଗକୁ ରାଜ୍ୟ ସରକାର ବିରୋଧରେ ଆବେଦନ କରିବାପାଇଁ ଅନୁମତି ଦେବା ସଂଘୀୟ ଢାଞ୍ଚା ପାଇଁ ବିପଜ୍ଜନକ ହେବ। ସେ କହିଛନ୍ତି ଯେ ସିବିଆଇ, ଇଡି, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ, ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ ଭଳି ସଂସ୍ଥାର ରାଜ୍ୟ ସରକାରଙ୍କ ବିରୋଧରେ ମକଦ୍ଦମା ଚଳାଇବାର କୌଣସି ଅଧିକାର ନାହିଁ। ଏପରିକି ରାଜ୍ୟ ସ୍ତରୀୟ ସଂସ୍ଥା ସିଆଇଡି, ଭିଜିଲାନ୍ସ କମିସନ୍ ଏବଂ ଦୁର୍ନୀତି ନିରୋଧ ବ୍ୟୁରୋର ମଧ୍ୟ ଏହି କ୍ଷମତା ନାହିଁ ବୋଲି ବରିଷ୍ଠ ଆଇନଜୀବୀ ଶ୍ୟାମ ଦିଭାନ କହିଛନ୍ତି।
ଜଷ୍ଟିସ ମିଶ୍ର ଏହି ସମୟରେ ପ୍ରଶ୍ନ କରିଥିଲେ ଯେ ଯଦି ମୁଖ୍ୟମନ୍ତ୍ରୀ ତଦନ୍ତକାରୀ ସଂସ୍ଥାର କାର୍ଯ୍ୟରେ ବାଧା ସୃଷ୍ଟି କରିବା ଭଳି ଅସାଧାରଣ ସ୍ଥିତି ସୃଷ୍ଟି କରନ୍ତି ତେବେ କ’ଣ ହେବ। କାରଣ ଏହି ମାମଲାରେ ସେମାନଙ୍କ ମତରେ ମୁଖ୍ୟମନ୍ତ୍ରୀ ଇଡିର କାର୍ଯ୍ୟାନୁଷ୍ଠାନ କ୍ଷେତ୍ରକୁ ଧସେଇ ପଶିଥିଲେ। ଅନ୍ୟ କୌଣସି ମୁଖ୍ୟମନ୍ତ୍ରୀ ମଧ୍ୟ ଅନ୍ୟ କେଉଁ ଅଫିସ୍ରେ ଏଭଳି ପ୍ରବେଶ କରିପାରନ୍ତି। ଏଠାରେ କୌଣସି ଶୂନ୍ୟସ୍ଥାନ ରହିବା ଉଚିତ ନୁହେଁ ବୋଲି ବିଚାରପତି କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୪ ତାରିଖରେ ହେବ।
ସୌଜନ୍ୟ ସମ୍ବାଦ




