ଦେଶ ବିଦେଶ

PM Modi: ପଶ୍ଚିମ ଏସିଆ ଯୁଦ୍ଧ ପରିସ୍ଥିତି ଭିତରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: ଆମେରିକା-ଇସ୍ରାଏଲ ସହ ଇରାନ ଯୁଦ୍ଧର ୨୮ତମ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଆଭାସୀ ବୈଠକ କରିଛନ୍ତି। ଏହି ବୈଠକର ମୂଳ ଉଦ୍ଦେଶ୍ୟ ଥିଲା ପଶ୍ଚିମ ଏସିଆରେ ଚାଲିଥିବା ସଙ୍କଟର ପ୍ରଭାବ ସମୀକ୍ଷା କରିବା ଏବଂ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ମଧ୍ୟରେ ‘ଟିମ୍ ଇଣ୍ଡିଆ’ ଓ ‘ସମନ୍ବିତ ପ୍ରୟାସ’ ଭାବନାରେ କାର୍ଯ୍ୟ କରି ପ୍ରସ୍ତୁତି ତ୍ବରାନ୍ବିତ କରିବା।

ବୈଠକରେ ମୁଖ୍ୟତଃ ଇନ୍ଧନ ଯୋଗାଣ ଉପରେ ପ୍ରଭାବ ନେଇ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ହର୍ମୁଜ ପ୍ରଣାଳୀରେ ଇରାନ ସୃଷ୍ଟି କରୁଥିବା ବ୍ୟାଘାତ ଯୋଗୁଁ ତୈଳ ଓ ଏଲ୍‌ପିଜି ଯୋଗାଣରେ ସୃଷ୍ଟି ହୋଇଥିବା ସଙ୍କଟର ମୁକାବିଲା ପାଇଁ ପ୍ରସ୍ତୁତି ଓ ସମ୍ଭାବ୍ୟ ଅଭାବର ସମାଧାନ ଉପରେ ଆଲୋଚନା ହୋଇଛି। ବିଶ୍ୱ ବଜାରରେ ତୈଳ ମୂଲ୍ୟ ବୃଦ୍ଧି ଯୋଗୁଁ ଦେଶରେ ମୂଲ୍ୟବୃଦ୍ଧିର ସମ୍ଭାବନା ଏବଂ ତାହାକୁ ରୋକିବା ପାଇଁ କେନ୍ଦ୍ର-ରାଜ୍ୟ ସମନ୍ୱୟ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ଯୁଦ୍ଧ ଯୋଗୁଁ ସମଗ୍ର ଯୋଗାଣ ଶୃଙ୍ଖଳ ଉପରେ ପଡ଼ୁଥିବା ପ୍ରଭାବ ଏବଂ ତାହାର ସମାଧାନ ପାଇଁ ଯୋଜନା ଉପରେ ଆଲୋଚନା ହୋଇଛି।

ପ୍ରତ୍ୟେକ ରାଜ୍ୟର ପ୍ରସ୍ତୁତି ଏବଂ ପଦକ୍ଷେପ ସଠିକ୍‌ ରଣନୀତି ଆଧାରିତ ହେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କୁ କହିଥିଲେ। କୋଭିଡ୍ ମହାମାରୀ ସମୟରେ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ମଧ୍ୟରେ ହୋଇଥିବା ସହଯୋଗର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ସଙ୍କଟରେ ମଧ୍ୟ ଏକାଠି କାର୍ଯ୍ୟ କରି ଦେଶର ଅର୍ଥନୈତିକ ଗତିକୁ ବଜାୟ ରଖିବାକୁ ପଡ଼ିବ।

ନିର୍ବାଚନ ଘୋଷଣା ହୋଇଥିବା ରାଜ୍ୟ (ତାମିଲନାଡୁ, ପଶ୍ଚିମବଙ୍ଗ, ଆସାମ, କେରଳ ଓ ପଡୁଚେରୀ)ର ମୁଖ୍ୟମନ୍ତ୍ରୀମାନେ ଆଦର୍ଶ ଆଚରଣ ବିଧି କାରଣରୁ ବୈଠକରେ ଯୋଗ ଦେଇନଥିଲେ। କ୍ୟାବିନେଟ୍ ସଚିବାଳୟ ପକ୍ଷରୁ ସେହି ରାଜ୍ୟଗୁଡ଼ିକର ମୁଖ୍ୟ ସଚିବମାନଙ୍କ ସହ ପୃଥକ ବୈଠକ ହେବ । ସୂଚନାଯୋଗ୍ୟ, ଏହି ବୈଠକ ପୂର୍ବରୁ ବୁଧବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ହୋଇଥିଲା, ଯେଉଁଥିରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଓ ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ମଧ୍ୟ ଉପସ୍ଥିତ ଥିଲେ।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button