ଓଡିଶା

Book: ବିନା ବହିରେ ନୂଆ ଶିକ୍ଷାବର୍ଷ

ରାତି ପାହିଲେ ନୂଆ ଶିକ୍ଷାବର୍ଷ। ନୂଆ ଶ୍ରେଣୀରେ ନୂତନ ପାଠ୍ୟକ୍ରମରେ ଛାତ୍ରଛାତ୍ରୀ ପଢ଼ିବେ। ଏଥିପାଇଁ ସରକାରୀ ଓ ଘରୋଇ ବିଦ୍ୟାଳୟରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ପ୍ରବେଶ ଉତ୍ସବଠାରୁ ଆରମ୍ଭ କରି ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବାକୁ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି।

ଭୁବନେଶ୍ବର: ରାତି ପାହିଲେ ନୂଆ ଶିକ୍ଷାବର୍ଷ। ନୂଆ ଶ୍ରେଣୀରେ ନୂତନ ପାଠ୍ୟକ୍ରମରେ ଛାତ୍ରଛାତ୍ରୀ ପଢ଼ିବେ। ଏଥିପାଇଁ ସରକାରୀ ଓ ଘରୋଇ ବିଦ୍ୟାଳୟରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ପ୍ରବେଶ ଉତ୍ସବଠାରୁ ଆରମ୍ଭ କରି ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବାକୁ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ହେଲେ ପିଲାଙ୍କ ନିକଟରେ ପାଠ୍ୟପୁସ୍ତକ ଉପଲବ୍ଧ ହୋଇପାରି ନାହିଁ। ଉଭୟ ରାଜ୍ୟ ସରକାର ଓ ଏନ୍‌ସିଇଆରଟି ଛାତ୍ରଛାତ୍ରୀଙ୍କୁ ବହି ଯୋଗାଇବାରେ ବିଫଳ ହୋଇଛନ୍ତି। ସରକାରୀ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ଯୋଗାଣ ଏପର୍ଯ୍ୟନ୍ତ ସମ୍ଭବପର ହୋଇ ପାରିନାହିଁ। ବଜାରରେ ବିକ୍ରି ହେଉଥିବା ବହି ମଧ୍ୟ ମିଳୁନି। ବିଗତ ବର୍ଷଗୁଡ଼ିକ ପରି ଏଥର ମଧ୍ୟ ଏନ୍‌ସିଇଆରଟି ଠିକ୍‌ ସମୟରେ ପାଠ୍ୟପୁସ୍ତକ ବଜାରକୁ ଛାଡ଼ି ପାରିନାହିଁ। କଷ୍ଟେମଷ୍ଟେ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ରେ ପାଠ୍ୟପୁସ୍ତକ ଉପଲବ୍ଧ କରାଯାଇଛି। ତେବେ ୯ମ ଶ୍ରେଣୀ ସିଲାବସ୍‌ ପରିବର୍ତ୍ତନ ହୋଇଥିବାରୁ ତାହା ଏବେ ସମସ୍ୟା ସୃଷ୍ଟି କରିଛି। ନୂତନ ସିଲାବସ୍‌ ଅନୁଯାୟୀ ଏପର୍ଯ୍ୟନ୍ତ ପାଠ୍ୟପୁସ୍ତକ ପ୍ରସ୍ତୁତ ସରି ନ ଥିବାରୁ ଛପା ଯାଇପାରି ନାହିଁ। ବଜାରକୁ ଆସିବାକୁ ଆହୁରି କେତେ ସମୟ ଲାଗିବ ତାହା କେହି କହିପାରୁ ନାହାନ୍ତି। ଏହାଦ୍ବାରା ପିଲାମାନେ ବହୁ ପରିମାଣରେ ହଇରାଣ ହେଉଛନ୍ତି। ସ୍କୁଲ କର୍ତ୍ତୃପକ୍ଷ ମଧ୍ୟ ପିଲାଙ୍କୁ କେଉଁଭଳି ପଢ଼ାଇବେ ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି।

କେବଳ ସିବିଏସ୍‌ଇ ଛାତ୍ରଛାତ୍ରୀ ନୁହନ୍ତି, ଓଡ଼ିଆ ମାଧ୍ୟମ ଛାତ୍ରଛାତ୍ରୀଙ୍କ ପାଖରେ ମଧ୍ୟ ବହି ପହଞ୍ଚି ପାରିନାହିଁ। ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ପ୍ରଥମରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାର ମାଗଣା ପାଠ୍ୟପୁସ୍ତକ ଯୋଗାଇ ଦେବାର ନିୟମ ରହିଛି। ହେଲେ ଆଜି ପର୍ଯ୍ୟନ୍ତ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ନୟାଗଡ଼, କଟକଯାଜପୁରଢେଙ୍କାନାଳ ପରି ଭୁବନେଶ୍ବର ନିକଟବର୍ତ୍ତୀ ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ଦିଆଯାଇ ନାହିଁ। ଉପାନ୍ତ ତଥା ଆଦିବାସୀବହୁଳ ଜିଲ୍ଲାଗୁଡ଼ିକର କିଛି ବିଦ୍ୟାଳୟକୁ ମାଗଣା ପାଠ୍ୟପୁସ୍ତକ ଯୋଗାଣ ହୋଇଛି। ସରକାରୀ ହିସାବ କହୁଛି, ୩୦ ପ୍ରତିଶତ ବିଦ୍ୟାଳୟରେ ମାଗଣା ପାଠ୍ୟପୁସ୍ତକ ପହଞ୍ଚିଛି। ତେବେ ଏହି ସଂଖ୍ୟା ଆହୁରି କମ୍‌ ହେବ ବୋଲି ଶିକ୍ଷକ ସଙ୍ଗଠନଗୁଡ଼ିକ କହିଛନ୍ତି। ସମସ୍ତ ଜିଲ୍ଲାରେ ପାଠ୍ୟପୁସ୍ତକ ପହଞ୍ଚି ନ ଥିବାରୁ ପ୍ରବେଶ ତଥା ଖଡ଼ିଛୁଆଁ ଉତ୍ସବକୁ ଘୁଞ୍ଚାଇ ଦିଆଯାଇଥିବା ନେଇ ଚର୍ଚ୍ଚା ଚାଲିଛି। କାରଣ ପ୍ରବେଶ ଉତ୍ସବରେ ହିଁ ପିଲାମାନଙ୍କୁ ନୂତନ ପାଠ୍ୟପୁସ୍ତକ ସମେତ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କରାଯିବ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପ୍ରକାଶିତ ୯ମ ଓ ୧୦ମ ଶ୍ରେଣୀ ପାଠ୍ୟପୁସ୍ତକରେ ମଧ୍ୟ ସମାନ ସ୍ଥିତି ଲାଗିରହିଛି। ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ଅନୁଯାୟୀ ପାଠ୍ୟପୁସ୍ତକ ଛପାଯାଇ ନ ଥିବାରୁ ପିଲାଙ୍କ ପାଖରେ ପାଠ୍ୟପୁସ୍ତକ ଉପଲବ୍ଧ ହୋଇ ପାରିନାହିଁ। ସମସ୍ତ ବିଦ୍ୟାଳୟରେ ବହି ପହଞ୍ଚିବାକୁ ଆହୁରି ୧୫ ଦିନ ଲାଗିବ ବୋଲି ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି।

ଅନ୍ୟପକ୍ଷରେ ନୂଆ ଶିକ୍ଷାବର୍ଷ ସହ ସକାଳୁଆ ସ୍କୁଲକୁ ନେଇ ଏବେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ୨୦୧୪ରେ ଗଣଶିକ୍ଷା ବିଭାଗ ଦ୍ବାରା ଜାରି ଶିକ୍ଷା କ୍ୟାଲେଣ୍ଡର ଅନୁଯାୟୀ ଏପ୍ରିଲରୁ ହିଁ ବିଦ୍ୟାଳୟଗୁଡ଼ିକ ସକାଳୁଆ ହେବା କଥା। ଏହି ନିୟମ ୧୧ ବର୍ଷ ହେଲା ଜାରି ରହିଛି। ତେବେ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ବିଗତବର୍ଷଗୁଡ଼ିକ ମାର୍ଚ୍ଚ ମାସରୁ ସକାଳୁଆ ସ୍କୁଲ ହୋଇଯାଉଥିଲା। ତେବେ ଚଳିତବର୍ଷ ଏପର୍ଯ୍ୟନ୍ତ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ନୂଆ ଶିକ୍ଷାବର୍ଷରୁ ସକାଳୁଆ ହେବ କି ନାହିଁ ତାହାକୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଦ୍ବନ୍ଦ୍ବ ପଡ଼ିଛନ୍ତି। କେତେକ ଡିଇଓ ପୂର୍ବ ବିଜ୍ଞପ୍ତି ଆଧାରରେ ଏପ୍ରିଲ ୨ରୁ ସକାଳୁଆ ସ୍କୁଲ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ପୁଣି ନିଷ୍ପତ୍ତି ବଦଳାଇଥିବା ଜଣାପଡ଼ିଛି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button