Border redrawing: ସୀମା ପୁନଃନିର୍ଦ୍ଧାରଣକୁ ନେଇ ହଟଚମଟ: ଓଡ଼ିଶାର ରାଜନୈତିକ ପ୍ରତିନିଧିତ୍ବ ୩.୪%କୁ କମିଯିବ

ଭୁବନେଶ୍ବର: ସୀମା ପୁନଃ ନିର୍ଦ୍ଧାରଣ ବିଲ୍‌କୁ ନେଇ ଜାତୀୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ବିରୋଧୀ ଦଳଗୁଡ଼ିକ ଏହାକୁ ବିରୋଧ କରିବେ ବୋଲି ଘୋଷଣା କରିଛନ୍ତି। ଏହି ପ୍ରସଙ୍ଗରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଏକ ପତ୍ର ମଧ୍ୟ ରାଜ୍ୟ ରାଜନୀତିକୁ ସରଗରମ କରିଛି। ସୀମା ପୁନଃନିର୍ଦ୍ଧାରଣରେ ଓଡ଼ିଶା ପ୍ରଭାବିତ ହେବ ବୋଲି ଆଶଙ୍କା ପ୍ରକାଶ ପାଉଥିବାରୁ ବିଜେଡି ଏହାକୁ ବିରୋଧ କରିବ ବୋଲି ନବୀନ ଜଣାଇ ଦେଇଛନ୍ତି। ରାଜ୍ୟ ବିଜେପି ପ୍ରତିକ୍ରିୟା ଦେଇନାହିଁ।

କେନ୍ଦ୍ର ସରକାର ଦେଶରେ ଲୋକସଭା ଆସନ ସଂଖ୍ୟା ୫୪୩ରୁ ୮୫୦କୁ ବୃଦ୍ଧି କରିବାକୁ ଯୋଜନା କରିଛନ୍ତି। ଏଥିପାଇଁ ସଂସଦରେ ଡିଲି‌ମିଟେସନ୍ ବିଲ୍-୨୦୨୬ ଆସିବ। ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକ ସମେତ ଓଡ଼ିଶାର ରାଜନୈତିକ ପ୍ରତିନିଧିତ୍ବ ଅନୁପାତ କମିଯିବ ବୋଲି ଜାତୀୟ ଗଣମାଧ୍ୟମରେ ଆକଳନ କରାଯାଇଛି। ୨୦୧୧ ଜନଗଣନା ଆଧାରରେ ଜନସଂଖ୍ୟା ବୃଦ୍ଧି ହାରକୁ ଦେଖି ଲୋକସଭା ଆସନ ସଂଖ୍ୟା ବଢ଼ାଯାଉଥିବାରୁ ଏହି ଅନୁପାତ କମିବ। ପୂର୍ବରୁ ଏମିତି ଆଶଙ୍କା ପ୍ରକାଶ କରାଯାଇ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଚେନ୍ନାଇରେ ହୋଇଥିବା ବୈଠକରେ ବିଜେଡି ପ୍ରତିନିଧିତ୍ବ କରିଥିଲା। ଏବେ ନବୀନ ଏହାକୁ ପାଦେ ଆଗକୁ ନେଇ ଆଗାମୀ ୪୮ଘଣ୍ଟା ମଧ୍ୟରେ ରାଜ୍ୟ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡାକି ଆଲୋଚନା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ଓଡ଼ିଶାର ରାଜନୈତିକ ପ୍ରତିନିଧିତ୍ବ ୩.୪%କୁ କମିଯିବ 
୪୮ ଘଣ୍ଟା ମଧ୍ୟରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ନବୀନଙ୍କ ଦାବି

ନବୀନ ତାଙ୍କ ପତ୍ରରେ କହିଛନ୍ତି, ତୁରନ୍ତ ଏହାକୁ ବିରୋଧ କରି ବିଧାନସଭାରେ ସଂକଳ୍ପ ପାରିତ କରାଯାଉ। ଓଡ଼ିଶାର ରାଜନୈତିକ ଅଧିକାର ଯେପରି ୦.୦୦୧% କ୍ଷୁର୍ଣ୍ଣ ନ ହେବ ସେଥିପାଇଁ ସମସ୍ତେ କାମ କରିବା ଦରକାର। କାରଣ ଲୋକସଭାର ସଦସ୍ୟ ସଂଖ୍ୟା ୫୪୩ରୁ ୮୫୦କୁ ବୃଦ୍ଧି ପାଇବ। ବର୍ତ୍ତମାନ ଓଡ଼ିଶାର ଲୋକସଭା ଆସନ ସଂଖ୍ୟା ୨୧ ଅଛି। ଯାହାକି ମୋଟ ଆସନ ସଂଖ୍ୟାର ୩.୯%। ଯଦି ସମ୍ବିଧାନ ସଂଶୋଧନ ବିଲ୍‌ ପାରିତ ହୁଏ, ତେବେ ଲୋକସଭାରେ ଓଡ଼ିଶାର ପ୍ରତିନିଧିତ୍ୱ ୨୯କୁ ବୃଦ୍ଧି ପାଇବ। କିନ୍ତୁ ଆନୁପାତିକ ହାରରେ ଦେଖିଲେ ଏହା ୩.୯ ପ୍ରତିଶତରୁ ୩.୪ ପ୍ରତିଶତକୁ କମିବ। ନବୀନ କହିଛନ୍ତି, ଏହି ନୂତନ ସଂଶୋଧନ ଦ୍ୱାରା ଓଡ଼ିଶାର ରାଜନୈତିକ ପ୍ରତିନିଧିତ୍ୱ ଜାତୀୟ ସ୍ତରରେ ୧୫% ହ୍ରାସର ସମ୍ଭାବନା ରହିଛି, ଯାହା ଚିନ୍ତାଜନକ। ଓଡ଼ିଶାର ରାଜନୈତିକ ପ୍ରତିଷ୍ଠା ପ୍ରଭାବିତ ହେବ । ରିପୋର୍ଟ ଅନୁଯାୟୀ, ଏହି ପ୍ରସ୍ତାବିତ ନୂତନ ବ୍ୟବସ୍ଥା ଦ୍ୱାରା ଓଡ଼ିଶା ବିପୁଳ କ୍ଷତି ସହିବାରେ ଦେଶର ଚତୁର୍ଥ ରାଜ୍ୟ ହେବ।

ଯଦି ଓଡ଼ିଶାର ରାଜନୈତିକ ଅଧିକାର ଅକ୍ଷୁର୍ଣ୍ଣ ରୁହେ, ତେବେ ଯାଇ ଆମେ ଏହି ବିଲ୍‌କୁ ସ୍ୱାଗତ କରିବୁ। ଅନ୍ୟଥା ଭବିଷ୍ୟତ ବଂଶଧର ଆମକୁ କେବେ କ୍ଷମା କରିବେ ନାହିଁ। ମହିଳା ସଂରକ୍ଷଣ ବିଲ୍‌ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ପଟ୍ଟନାୟକ କହିଛନ୍ତି, ବିଜୁ ବାବୁ ମହିଳା ସଂରକ୍ଷଣ ଓ ମହିଳା ସଶକ୍ତୀକରଣ କ୍ଷେତ୍ରରେ ସାରା ଦେଶରେ ଜଣେ ଅଗ୍ରଦୂତ ଥିଲେ। ବିଜେଡି ସବୁବେଳେ ବିଧାନସଭା ଓ ସଂସଦରେ ମହିଳାଙ୍କ ପ୍ରତିନିଧିତ୍ୱ ବୃଦ୍ଧି ପାଇଁ ସଂଗ୍ରାମ କରିଆସିଛି। ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକରେ ମହିଳାଙ୍କ ପାଇଁ ୫୦%ସଂରକ୍ଷଣ ବିଜେଡି ବହୁ ପୂର୍ବରୁ କରିଛି। ତେଣୁ ମହିଳାଙ୍କ ସଶକ୍ତୀକରଣ ପାଇଁ ଆସୁଥିବା ଜାତୀୟ ବିଧେୟକକୁ ବିଜେଡି ସମର୍ଥନ ଦେବ।

 

 

 

ସୌଜନ୍ୟ ସମ୍ବାଦ