ରାଇରଙ୍ଗପୁର ସିଟି: ଚାରୋଟି ରାଜ୍ୟର ବିଚ୍ଛିନ୍ନାଞ୍ଚଳରେ ଥିବା ଓଡ଼ିଆ ଚାଟଶାଳି ଓ ବିଦ୍ୟାଳୟଗୁଡ଼ିକରେ ୬ ଶହରୁ ଅଧିକ ଶିକ୍ଷାକର୍ମୀ ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି। ହେଲେ ୩ ବର୍ଷ ହେଲା ଦରମା ପାଇ ନ ଥିବାରୁ ସେମାନେ ଆର୍ଥିକ ସମସ୍ୟା ଭୋଗୁଛନ୍ତି। ତେଣୁ ଓଡ଼ିଶା ସରକାର ସେମାନଙ୍କ ପାଇଁ ନୂତନ ପ୍ୟାକେଜ୍ ଘୋଷଣା କରିବାକୁ ଯାଉଛନ୍ତି।
ତେବେ କିଛିଦିନ ତଳେ କେନ୍ଦୁଝର ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କୁ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲା ଶିକ୍ଷା ପରିଦର୍ଶକ ସରୋଜ କୁମାର ପ୍ରଧାନଙ୍କ ସହ ୪ ଜଣ ଶିକ୍ଷାକର୍ମୀ; ରିତାରାଣୀ ନନ୍ଦ, ଲକ୍ଷ୍ମୀପ୍ରିୟା କର, ସୁଭଦ୍ରା ମିସ୍ତ୍ରି ଓ ବାସନ୍ତୀ ମହାନ୍ତ ବଡ଼ବିଲଠାରେ ସାକ୍ଷାତ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ସେମାନଙ୍କ ସମସ୍ୟା ବାବଦରେ ଅବଗତ କରି ଏକ ସ୍ମାରକପତ୍ର ଦେଇଥିଲେ। ମିଳିଥିବା ସୂଚନା ଅନୁଯାୟୀ, ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଶିକ୍ଷାର ପ୍ରସାର ପାଇଁ ଓଡ଼ିିଶା ସରକାର ଶୀଘ୍ର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିବେ। ଯେଉଁ ଶିକ୍ଷାକର୍ମୀଙ୍କୁ ମାସିକ ୩ ହଜାର ଟଙ୍କା ଦରମା ମିଳୁଥିଲା, ସେମାନଙ୍କୁ ମାସିକ ୬ ହଜାର ଟଙ୍କା ଦରମା ମିଳିବ। ଏହା ସହିତ ବକେୟା ଦରମା ମଧ୍ୟ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।
ସୌଜନ୍ୟ ସମ୍ବାଦ

